Liquor Party Inside Hospital Post-Mortem Room: ହସ୍ପିଟାଲର ପୋଷ୍ଟମର୍ଟମ୍ ରୁମ୍‌ରେ ମଦ ପାର୍ଟି, ଭିଡିଓ ଭାଇରାଲ୍ ପରେ ଡାକ୍ତର ନିଲମ୍ବିତ

Oct 17, 2026 - 13:25
Liquor Party Inside Hospital Post-Mortem Room: ହସ୍ପିଟାଲର ପୋଷ୍ଟମର୍ଟମ୍ ରୁମ୍‌ରେ ମଦ ପାର୍ଟି, ଭିଡିଓ ଭାଇରାଲ୍ ପରେ ଡାକ୍ତର ନିଲମ୍ବିତ

ହସ୍ପିଟାଲର ପୋଷ୍ଟମର୍ଟମ୍ ରୁମ୍‌ରେ ମଦ ପାର୍ଟି ହେଉଥିବା ଅଭିଯୋଗ। ଭିଡିଓ ଭାଇରାଲ୍ ହେବା ପରେ ଡାକ୍ତର ନିଲମ୍ବିତ। ମହାରାଷ୍ଟ୍ରର ପିମ୍ପ୍ରି-ଚିଞ୍ଚୱାଡ୍‌ ମହାନଗର ନିଗମ ଅଧୀନରେ ଥିବା ୟଶୱନ୍ତରାଓ ଚଭନ୍ ମେମୋରିଆଲ୍‌ ହସ୍ପିଟାଲରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଡ୍ୟୁଟିରେ ଥିବା ଡାକ୍ତର ମଦ୍ୟପାନ କରିଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି। ଏଥିସହ ଘଟଣାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ଗୁରୁବାର ରାତିରେ ହସ୍ପିଟାଲର ପୋଷ୍ଟମର୍ଟମ୍ ରୁମ୍‌ରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଜଣେ ବ୍ୟକ୍ତି ନିଜ ପରିବାରର ମୃତକଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ରାତିସାରା ହସ୍ପିଟାଲ ବାହାରେ ଅପେକ୍ଷା କରିଥିଲେ। ଏହି ସମୟରେ ସେ ରୁମ୍‌ ଭିତରକୁ ଦେଖିବା ପରେ ଡ୍ୟୁଟିରେ ଥିବା ଡାକ୍ତର ମଦ୍ୟପାନ କରୁଥିବା ଦେଖିଥିଲେ।

ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ଏକ ଟେବୁଲ୍‌ ଉପରେ ଖାଦ୍ୟ ସାମଗ୍ରୀ ଓ ଏକ ବୋତଲ ପଡ଼ିଥିବା ଦେଖାଯାଉଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ମହାନଗର ନିଗମ ପ୍ରଶାସନ ଘଟଣାକୁ ଗୁରୁତ୍ୱର ସହ ନେଇଥିଲା।

ଏହି ମାମଲାରେ ଡାକ୍ତର ବୈଭବ ଅବିନାଶ ମହସ୍କେଙ୍କୁ ଶୁକ୍ରବାରଠାରୁ ତୁରନ୍ତ ନିଲମ୍ବିତ କରାଯାଇଛି। ପିମ୍ପ୍ରି-ଚିଞ୍ଚୱାଡ୍‌ ମହାନଗର ନିଗମର ଅତିରିକ୍ତ କମିଶନର କୁଲଦୀପ ଜଙ୍ଗମ ଏହି ଘଟଣାକୁ ନେଇ ପ୍ରଥମେ ଡାକ୍ତର ଓ ସମ୍ପୃକ୍ତ କର୍ମଚାରୀଙ୍କୁ ନୋଟିସ୍‌ ଜାରି କରିଥିଲେ। ସେମାନଙ୍କୁ ସେହିଦିନ ସନ୍ଧ୍ୟା ସୁଦ୍ଧା ଲିଖିତ ଜବାବ ଦେବାକୁ କୁହାଯାଇଥିଲା।

ମହାନଗର ନିଗମ କମିଶନର ବିଜୟ ସୂର୍ଯ୍ୟବଂଶୀଙ୍କ ନିର୍ଦ୍ଦେଶରେ ଡାକ୍ତରଙ୍କୁ ନିଲମ୍ବିତ କରାଯିବା ସହ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି। ଡାକ୍ତରଙ୍କ ଏଭଳି ଆଚରଣ ମହାରାଷ୍ଟ୍ର ସିଭିଲ୍ ସର୍ଭିସ୍‌ ନିୟମର ଉଲ୍ଲଂଘନ। ତେଣୁ ନିଲମ୍ବନ ସହ ତାଙ୍କ ବିରୋଧରେ ଆଗକୁ ଶୃଙ୍ଖଳାଗତ ପଦକ୍ଷେପ ନିଆଯିବ ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ଡାକ୍ତରଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯିବ। ଏହା ପରେ ବିଭାଗୀୟ ତଦନ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ।

ନିଲମ୍ବନ ଅବଧି ମଧ୍ୟରେ ଡାକ୍ତର ମହସ୍କେ ପିମ୍ପ୍ରି ମହାନଗର ନିଗମ ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ। ଏଥିସହ ଏହି ସମୟରେ ସେ ଅନ୍ୟ କୌଣସି ଚାକିରି କିମ୍ବା ବ୍ୟବସାୟ ମଧ୍ୟ କରିପାରିବେ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।