Living Mother Declared Dead in Aadhaar: ସରକାରୀ ଖାତାରେ ‘ଭୂତ’ ପାଲଟିଲେ ଜୀବନ୍ତ ମହିଳା, ମିଳୁନି ସରକାରୀ ସୁବିଧା

Oct 06, 2026 - 19:24
Living Mother Declared Dead in Aadhaar: ସରକାରୀ ଖାତାରେ ‘ଭୂତ’ ପାଲଟିଲେ ଜୀବନ୍ତ ମହିଳା, ମିଳୁନି ସରକାରୀ ସୁବିଧା

ଭୂତ ଝାଡୁ କରୁଛି । ଭୂତ ରୋଷେଇ କରୁଛି । ଆଉ ଭୂତ ନିଜ ଛୁଆକୁ ଗେଲ ବି କରୁଛି । ଆପଣଙ୍କୁ ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ହେଲେ, ଏକଥା ଆମେ କହୁନୁ । ଏକଥା କହୁଛି ଆମ ସରକାରୀ ବ୍ୟବସ୍ଥା । ଆଜକୁ ୬ ମାସ ହେବ ଜୀବନ୍ତ ଥାଇ ବି ଆଧାରକାର୍ଡରେ ମୃତ ପାଲଟିଯାଇଛନ୍ତି ଅନୁଗୁଳ ଜିଲ୍ଲା ଏକଘରିଆ ଗାଁର ଦୁଖୀ ମହାକୁଡ । ଗର୍ଭଧାରଣ ଠାରୁ ଆରମ୍ଭ କରି ପୁଅକୁ ୪ ମାସ ହେବା ଯାଏଁ ଅଙ୍ଗନବାଡ଼ିରୁ ସବୁ ପ୍ରକାର ପୃଷ୍ଟିକର ଖାଦ୍ୟ ମିଳୁଥିଲା। କିନ୍ତୁ ଆଧାର କାର୍ଡରେ ଭୁଲବଶତଃ ମୃତ ଦର୍ଶାଯିବା ପର ଠାରୁ ଗତ ୬ ମାସ ହେଲାଣି ପୋଷଣ ଯୋଜନାରୁ ବଞ୍ଚିତ ହୋଇଛନ୍ତି ଦୁଖୀ । ୧୦ ମାସର ପୁଅକୁ କେମିତି ପୃଷ୍ଟିକର ଖାଦ୍ୟ ଦେବେ ସେନେଇ ଚିନ୍ତାରେ ପଡିଛନ୍ତି ପରିବାର ଲୋକେ। ଖାଲି କଣ ସେତିକି ?  ପ୍ରସୂତି ମହିଳା ଜଣଙ୍କୁ ଅଙ୍ଗନବାଡି ମୁହଁ ବୁଲାଇଦେବା ପରେ ଏବେ ଗୋଟିଏ  ପରେ ଗୋଟିଏ ସରକାରୀ ଯୋଜନାରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡୁଛି । ନିଜକୁ 'ଜୀବନ୍ତ' ପ୍ରମାଣିତ କରିବାକୁ ପାଇଁ ଦୁଖୀ ଓ ତାଙ୍କ ପରିବାର ଏ ଅଫିସରୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି । ହେଲେ କୌଣସି ସୁଫଳ ମିଳିପାରୁନଥିବା ସେ ଓ ପରିବାର ଲୋକ ଅଭିଯୋଗ କରିଛନ୍ତି ।  

ଜଣେ ମହିଳା ପ୍ରସବ କରିବା ପରେ ଉଭୟ ମା’ ଓ ଶିଶୁର ସ୍ବାସ୍ଥ୍ୟସେବା ଉପରେ ସରକାରଙ୍କ କଡ଼ା ଦୃଷ୍ଟି ରହିଥାଏ । ଜଣେ ମା’ ଓ ଶିଶୁ ଯେଭଳି ସୁସ୍ଥ ରହିବେ ସେନେଇ ସରକାରୀ ବ୍ୟବସ୍ଥା ସଜାଗ ରହିଥାଏ । ହେଲେ, ଦୁଖୀ ମହାକୁଡଙ୍କ କ୍ଷେତ୍ରରେ କାହିଁକି ବ୍ୟତିକ୍ରମ ଘଟିଲା ?  କାହିଁକି ପ୍ରସୂତି ମା’ ଜଣଙ୍କ ଦୀର୍ଘ ୬ ମାସ ହେଲାଣି ପୋଷଣ ଯୋଜନାରୁ ବଞ୍ଚିତ ହୋଇଛନ୍ତି ?  କାହିଁକି ଅନ୍ୟ  ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ମା’ ? କାହିଁକି ଅଭିଯୋଗ ପରେ ବି ସମସ୍ୟାର ସମାଧାନ ହେଉନି ? ଏଭଳି ଅନେକ ପ୍ରଶ୍ନ ଦୁଖୀଙ୍କ ପରିବାର ଓ ଗ୍ରାମବାସୀ କରିଥିବା ବେଳେ ସେପଟେ ବିଡିଓ କହିଛନ୍ତି, ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ । ଆଧାରକାର୍ଡ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଆଧାର କାର୍ଡ ଅଧିକାରୀଙ୍କୁ ଅବଗତ କରାଇବୁ । ଏହାସହ ପୋଷଣ ଯୋଜନା ସମ୍ପର୍କରେ ସିଡିପିଓଙ୍କ ସହ ଆଲୋଚନା କରାଯିବ । 

ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସରକାରୀ ନିୟମାନୁସାରେ ଅତ୍ୟନ୍ତ ସମ୍ବେଦନଶୀଳ। ହେଲେ ଏପରି ଗୁରୁତର ଦାୟିତ୍ୱହୀନତା ପାଇଁ ଦାୟୀ କିଏ ? ଗୋଟିଏ ପଟେ ଶିଶୁ ଓ ମା'ଙ୍କ ଅପୋଷଣ ଦୂର କରିବାକୁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଅଫିସରଙ୍କ ଅବହେଳା ଯୋଗୁଁ ଜଣେ ଜୀବନ୍ତ ମା' ସରକାରୀ ଖାତାରେ 'ଭୂତ' ପାଲଟିଯାଇଛି । ଏହା  ସରକାରୀ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।