LPG Price Hike: ଅକ୍ଟୋବର ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ଦର, ଲାଗୁ ହେଲା ନୂଆ ନିୟମ
ଅକ୍ଟୋବର ଆରମ୍ଭରୁ ଖାଉଟିଙ୍କ ପକେଟ୍ ଉପରେ ପୁଣି ଚାପ। ୧୯ କେଜିର କମର୍ସିଆଲ LPG ସିଲିଣ୍ଡର ଦର ବଢ଼ିଛି। ଦିଲ୍ଲୀରେ ଏହାର ଦାମ ୬୨ ଟଙ୍କା ୫୦ ପଇସା ବଢ଼ି ୨,୮୧୦ ଟଙ୍କାରେ ପହଞ୍ଚିଛି। ଘରୋଇ ୧୪.୨ କେଜି LPG ସିଲିଣ୍ଡର ଦରରେ କିନ୍ତୁ କୌଣସି ପରିବର୍ତ୍ତନ ହୋଇନାହିଁ।
କମର୍ସିଆଲ LPG ଦର ବୃଦ୍ଧିର ସିଧା ପ୍ରଭାବ ହୋଟେଲ୍, ରେସ୍ତୋରାଁ, ଢାବା, ବେକେରି, କ୍ୟାଟରିଂ ଓ ଛୋଟ ଖାଦ୍ୟ ବ୍ୟବସାୟ ଉପରେ ପଡ଼ିପାରେ। ଗ୍ୟାସ୍ ଖର୍ଚ୍ଚ ବଢ଼ିଲେ ଖାଦ୍ୟ ପ୍ରସ୍ତୁତି ଖର୍ଚ୍ଚ ବଢ଼ିବା ସହ ଆଗକୁ ମେନୁ ରେଟ୍ରେ ମଧ୍ୟ ତାହାର ପ୍ରଭାବ ପଡ଼ିପାରେ ବୋଲି ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି।
LPG ସବସିଡି ପାଇଁ ବାୟୋମେଟ୍ରିକ ଆଧାର ଜରୁରୀ
ଅକ୍ଟୋବର ୧ରୁ ସବସିଡିଯୁକ୍ତ ଘରୋଇ LPG ଗ୍ରାହକଙ୍କ ପାଇଁ ନୂଆ ନିୟମ ମଧ୍ୟ ଲାଗୁ ହୋଇଛି। ଯେଉଁ ଗ୍ରାହକ Biometric Aadhaar Authentication (BAA) ସମ୍ପୂର୍ଣ୍ଣ କରିନାହାନ୍ତି, ସେମାନେ ନିୟନ୍ତ୍ରିତ ଖୁଚୁରା ମୂଲ୍ୟରେ ସବସିଡି ସୁବିଧା ସହିତ ରିଫିଲ୍ ପାଇବାକୁ ହେଲେ ପ୍ରଥମେ ଏହି ପ୍ରକ୍ରିୟା ପୂରଣ କରିବାକୁ ପଡ଼ିବ। ସରକାର କହିଛନ୍ତି, ୨୭.୪୩ କୋଟି ବା ପ୍ରାୟ ୮୯.୯ ପ୍ରତିଶତ ଗ୍ରାହକ ପୂର୍ବରୁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିସାରିଛନ୍ତି।
ବ୍ୟାଙ୍କରେ ମଧ୍ୟ ବଦଳିଲା ନିୟମ
ଅକ୍ଟୋବର ୧ରୁ ବ୍ୟାଙ୍କଗୁଡ଼ିକୁ ବଲ୍କ ଡିପୋଜିଟ୍ର ସୁଧହାର ପ୍ରତ୍ୟେକ କାର୍ଯ୍ୟଦିବସରେ ସକାଳ ୧୦ଟା ସୁଦ୍ଧା ନିଜ ୱେବସାଇଟ୍ରେ ପ୍ରକାଶ କରିବାକୁ RBI ନିର୍ଦ୍ଦେଶ ଦେଇଛି। ୧୦ ମିନିଟ୍ର ଗ୍ରେସ୍ ପିରିୟଡ୍ ସହ ସର୍ବାଧିକ ୧୦ଟା ୧୦ ମିନିଟ୍ ମଧ୍ୟରେ ଏହା ଅପଡେଟ୍ ହେବା ଦରକାର।
ସେହିପରି SBI ସାଲାରି ପ୍ୟାକେଜ୍ ଆକାଉଣ୍ଟଧାରୀଙ୍କ ପାଇଁ ଅନ୍ୟ ବ୍ୟାଙ୍କର ATM/ADWMରେ ମାଗଣା ଟ୍ରାଞ୍ଜାକ୍ସନ ସଂଖ୍ୟାରେ ମଧ୍ୟ ସଂଶୋଧନ ହୋଇଛି। SBI ନିଜ ୱେବସାଇଟ୍ରେ ଏହି ପରିବର୍ତ୍ତନ ଅକ୍ଟୋବର ୧ରୁ ଲାଗୁ ହେବାକୁ ସୂଚନା ଦେଇଛି।
ଅର୍ଥାତ୍, ଅକ୍ଟୋବର ମାସର ଆରମ୍ଭ ସହ କେବଳ LPG ଦର ନୁହେଁ, ଗ୍ୟାସ୍ ସବସିଡି ଓ ବ୍ୟାଙ୍କିଂ ସେବା ସହ ଜଡ଼ିତ ଅନେକ ଜରୁରୀ ନିୟମ ମଧ୍ୟ ବଦଳିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।