Maggi seller: ପାହାଡ଼ରେ ମ୍ୟାଗି ବିକି ଦିନକୁ ରୋଜଗାର ୧୫ ହଜାର! ଜାଣନ୍ତୁ ଦୋକାନୀଙ୍କ ସଫଳତା ପଛର କାହାଣୀ
ନୂଆଦିଲ୍ଲୀ: ପାହାଡ଼ର ହାଡ଼ଭଙ୍ଗା ଶୀତରେ ଗରମାଗରମ ମ୍ୟାଗି ବିକ୍ରି କରି କେତେ ଲାଭ ମିଳିପାରେ, ତାହାର ଏକ ରୋଚକ ଉଦାହରଣ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। କଣ୍ଟେଣ୍ଟ କ୍ରିଏଟର ହର୍ଷ ଚୌହାନ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ରୋହତାଙ୍ଗ ଗିରିପଥର ଜଣେ ସ୍ଥାନୀୟ ଦୋକାନୀ ନିଜର ରୋଜଗାର ସମ୍ପର୍କରେ ଖୁଲାସା କରିଛନ୍ତି।
ମାନ୍ଦାବସ୍ଥା ସମୟରେ ମଧ୍ୟ ଏହି ଦୋକାନୀ ପ୍ରତିଦିନ ପ୍ରାୟ ୬୦ରୁ ୭୦ ପ୍ଲେଟ୍ ମ୍ୟାଗି ଏବଂ ୨୦୦ କପ୍ ଚା’ ବିକ୍ରି କରୁଛନ୍ତି। ଏଥିରୁ ଦୈନିକ ୧୪ରୁ ୧୫ ହଜାର ଟଙ୍କାର କାରବାର ହେଉଛି। ତେବେ ଏହି ଆକର୍ଷଣୀୟ ରୋଜଗାର ପଛରେ ପାହାଡ଼ର କଠିନ ସଂଘର୍ଷ ମଧ୍ୟ ଲୁଚି ରହିଛି। ମନାଲିରୁ ସାମଗ୍ରୀ ଆଣିବା ପାଇଁ ଅଧିକ ପରିବହନ ଖର୍ଚ୍ଚ, ଶୂନ ଡିଗ୍ରିରୁ କମ୍ ତାପମାତ୍ରାରେ ବରଫିଆ ପବନ ମଧ୍ୟରେ କାମ କରିବା ଏବଂ ପିଠିରେ ଗ୍ୟାସ୍ ସିଲିଣ୍ଡର ବୋହି ପାହାଡ଼ ଚଢ଼ିବା ଭଳି କଠିନ ପରିଶ୍ରମ ପରେ ହିଁ ଏହି ରୋଜଗାର ସମ୍ଭବ ହୋଇପାରୁଛି।।
ମାନ୍ଦାବସ୍ଥାରେ ମଧ୍ୟ ଜବରଦସ୍ତ ରୋଜଗାରର
ଭିଡିଓ ସେୟାର କରି ହର୍ଷ କହିଛନ୍ତି ଯେ, ଯେତେବେଳେ ସେ ଦୋକାନୀଙ୍କୁ ଏହି ସିଜନ୍ରେ କେତେ ରୋଜଗାର ହେଉଛି ବୋଲି ପଚାରିଥିଲି, ସେତେବେଳେ ଦୋକାନୀ ଜଣକ କହିଥିଲେ, ‘‘ଭାଇ, ଏବେ ମାନ୍ଦାବସ୍ଥା ଚାଲିଛି। ବେଶି ବେପାର ହେଉନାହିଁ।’ଦୈନିକ ବିକ୍ରିର ହିସାବ କହିବାକୁ ଗଲେ ପ୍ରତିଦିନ ଅତି କମ୍ରେ ୬୦ରୁ ୭୦ ପ୍ଲେଟ୍ ମ୍ୟାଗି (ପ୍ରତି ପ୍ଲେଟ୍ ୧୦୦ ଟଙ୍କା ହିସାବରେ ୬,୦୦୦ରୁ ୭,୦୦୦ ଟଙ୍କା ରୋଜଗାର) ଏବଂ ପ୍ରାୟ ୨୦୦ କପ୍ ଚା’ ବିକ୍ରି ହୋଇଥାଏ (ପ୍ରତି କପ୍ ୪୦ ଟଙ୍କା ହିସାବରେ ୮,୦୦୦ ଟଙ୍କା)।। ଏହାବ୍ୟତୀତ କିଛି ଗ୍ରାହକ ସିଝା ଅଣ୍ଡା ଓ ଅମ୍ଲେଟ୍ ମଧ୍ୟ ଅର୍ଡର କରିଥାଆନ୍ତି।
ପ୍ରତିଦିନ ହଜାର ହଜାର ଟଙ୍କାର କାରବାର
ଏହି ହିସାବ ଅନୁଯାୟୀ, ମାନ୍ଦାବସ୍ଥା ସମୟରେ ମଧ୍ୟ ଏହି ଛୋଟ ଦୋକାନର ଦୈନିକ କାରବାର ୧୪ରୁ ୧୫ ହଜାର ଟଙ୍କା ମଧ୍ୟରେ ରହୁଛି। ହର୍ଷ ମଜାଳିଆ ଢଙ୍ଗରେ କହିଛନ୍ତି ଯେ, ଯଦି ମାନ୍ଦାବସ୍ଥାରେ ଏତେ ରୋଜଗାର ହେଉଛି, ତେବେ ରୋହତାଙ୍ଗରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବା ପର୍ଯ୍ୟଟନ ଋତୁରେ ଏହି ମ୍ୟାଗି ଦୋକାନୀ କେତେ ରୋଜଗାର କରୁଥିବେ, ତାହା ସହଜରେ ଅନୁମାନ କରିହେବ।
ରୋଜଗାର ଯେତିକି, ପରିଶ୍ରମ ତା’ଠାରୁ ଅଧିକ
ତେବେ ସୋସିଆଲ ମିଡିଆରେ କିଛି ଲୋକ ଏହି ରୋଜଗାର ଦେଖି ଆଶ୍ଚର୍ଯ୍ୟ ହେଉଥିବା ବେଳେ ଅନେକ ବୁଦ୍ଧିଜୀବୀ ଏହା ପଛରେ ଥିବା କଠିନ ପରିଶ୍ରମ ଓ ସମସ୍ୟା ସମ୍ପର୍କରେ ମଧ୍ୟ ମତ ରଖିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏହା କେବଳ ଦୋକାନର ମୋଟ କାରବାର, ପ୍ରକୃତ ଲାଭ ନୁହେଁ। ପାହାଡ଼ ଉପରେ ଦୋକାନ ଚଳାଇବା ଏତେ ସହଜ ନୁହେଁ। ମନାଲିରୁ ରୋହତାଙ୍ଗ ପର୍ଯ୍ୟନ୍ତ କଞ୍ଚାମାଲ ଆଣିବା ପାଇଁ ଦୈନିକ ପ୍ରାୟ ୨,୦୦୦ ଟଙ୍କା ପରିବହନ ଖର୍ଚ୍ଚ ହୋଇଥାଏ। ଭାରୀ ଗ୍ୟାସ୍ ସିଲିଣ୍ଡର ଓ ରାସନ ସାମଗ୍ରୀ ପିଠିରେ ବୋହି ପାହାଡ଼ ଚଢ଼ିବାକୁ ପଡ଼ିଥାଏ। ଏହାସହିତ ହାଡ଼ଭଙ୍ଗା ଶୀତରେ ଦୂରଦୂରାନ୍ତରୁ ପିଇବା ପାଣି ଆଣିବାକୁ ପଡ଼େ। ପ୍ରବଳ ବରଫିଆ ପବନ ଯୋଗୁଁ ଗ୍ୟାସ୍ ମଧ୍ୟ ଅଧିକ ଖର୍ଚ୍ଚ ହୁଏ। ଶୂନ ଡିଗ୍ରିରୁ କମ୍ ତାପମାତ୍ରାରେ ସକାଳୁ ଉଠି ପର୍ଯ୍ୟଟକଙ୍କୁ ସେବା ଯୋଗାଇବା ଅତ୍ୟନ୍ତ କଷ୍ଟକର କାମ। ତେଣୁ ଏହି ଦୋକାନୀ କେବଳ ମ୍ୟାଗି ବିକ୍ରି କରୁନାହାନ୍ତି, ବରଂ ନିଜର ହାଡ଼ଭଙ୍ଗା ପରିଶ୍ରମର ମୂଲ୍ୟ ପାଉଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।