Maharastra: ମହାରାଷ୍ଟ୍ରରେ ମରୁଡ଼ି ସଙ୍କଟ: ୨୬୫ ତାଲୁକା ମରୁଡ଼ି ପ୍ରଭାବିତ ଘୋଷଣା
"ମୁମ୍ବାଇ: ମହାରାଷ୍ଟ୍ରରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ସୃଷ୍ଟି ହୋଇଥିବା ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଏକ ସରକାରୀ ସଂକଳ୍ପ (ଜିଆର୍) ଜାରି କରିଛନ୍ତି।
ଏହି ନିର୍ଦ୍ଦେଶନାମା ଅନୁଯାୟୀ ରାଜ୍ୟର ମୋଟ ୩୫୮ଟି ତାଲୁକା ମଧ୍ୟରୁ ୨୬୫ଟି ତାଲୁକାକୁ ମରୁଡ଼ି ପ୍ରଭାବିତ ଘୋଷଣା କରାଯାଇଛି।
ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମରୁଡ଼ି ମାନଦଣ୍ଡ ପୂରଣ ହେବା ପରେ ଏହି ଅଞ୍ଚଳଗୁଡ଼ିକ ପାଇଁ ସ୍ବତନ୍ତ୍ର ଯୋଜନା ଲାଗୁ କରାଯାଇଛି।
ଏହାସହିତ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ତୁରନ୍ତ ପ୍ରଭାବିତ ଚାଷଜମି ଗୁଡ଼ିକର ଯୁଗ୍ମ କ୍ଷେତ୍ର ପରିଦର୍ଶନ କରି ଫସଲ କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।Advertisment ମରୁଡ଼ି ଘୋଷଣା ପରେ ଏହି ସମସ୍ତ ଅଞ୍ଚଳରେ ସରକାରୀ ସହାୟତା ଓ ପ୍ରଶମନ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବ।
ସରକାରୀ ରିପୋର୍ଟ ଅନୁଯାୟୀ ଜିଲ୍ଲାୱାରୀ ମରୁଡ଼ି ପ୍ରଭାବିତ ତାଲୁକା ଗୁଡ଼ିକ ମଧ୍ୟରେ ୟବତମାଲ୍ରେ ସର୍ବାଧିକ ୧୬ଟି, ଜଲ୍ଗାଓଁରେ ୧୫ଟି, ଅହଲ୍ୟାନଗର, ଅମରାବତୀ ଓ ନାଗପୁରରେ ୧୪ଟି ଲେଖାଏଁ, ବୁଲଢ଼ାନାରେ ୧୩ଟି, ଚନ୍ଦ୍ରପୁରରେ ୧ଟି, ସୋଲାପୁର ଓ ବିଡ୍ରେ ୧୧ଟି ଲେଖାଏଁ, ନାସିକ, ଲାତୁର ଏବଂ ସିନ୍ଧୁଦୁର୍ଗରେ ୧୦ଟି ଲେଖାଏଁ ତାଲୁକା ସାମିଲ ରହିଛି।
ଅନୁରୂପ ଭାବେ ଛତ୍ରପତି ସମ୍ଭାଜୀନଗର ଓ ପରଭଣୀରେ ୯ଟି ଲେଖାଏଁ, ରତ୍ନଗିରି, ଜାଲ୍ନା, ଧାରାଶିବ, ପୁନେ ଓ ସତାରାରେ ୮ଟି ଲେଖାଏଁ, ଆକୋଲା ଓ ୱାର୍ଦ୍ଧାରେ ୭ଟି ଲେଖାଏଁ, ନନ୍ଦୁରବାର, କୋହ୍ଲାପୁର ଓ ୱାସିମ୍ରେ ୬ଟି ଲେଖାଏଁ ଏବଂ ହିଙ୍ଗୋଲିରେ ୫ଟି ତାଲୁକା ମରୁଡ଼ି ଗ୍ରସ୍ତ ହୋଇଛି।
ଏହାବାଦ୍ ଧୁଲେ ଓ ସାଙ୍ଗଲିରେ ୪ଟି ଲେଖାଏଁ, ଭଣ୍ଡାରାରେ ୩ଟି, ଗଡ଼ଚିରୋଲିରେ ୨ଟି ଏବଂ ରାୟଗଡ଼ ଓ ଗୋନ୍ଦିଆରେ ଗୋଟିଏ ଲେଖାଏଁ ତାଲୁକା ପ୍ରଭାବିତ ହୋଇଛି।
ରାଜ୍ୟର ସାମଗ୍ରିକ ମରୁଡ଼ି ସ୍ଥିତି ସମ୍ପର୍କିତ ଏକ ସଂଯୋଜିତ ପ୍ରାରମ୍ଭିକ ରିପୋର୍ଟ ମିଳିବା ପରେ ସରକାର ଏହି ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ମରୁଡ଼ି ପ୍ରଭାବିତ ଚାଷୀମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଅଧିକାରୀମାନେ ଅନେକ ଜନକଲ୍ୟାଣକାରୀ ପଦକ୍ଷେପ ଘୋଷଣା କରିଛନ୍ତି।
ଏଥିମଧ୍ୟରେ ଚାଷୀଙ୍କ ଭୂରାଜସ୍ୱ ଛାଡ଼, କୃଷି ଋଣର ପୁନର୍ଗଠନ, ଋଣ ଆଦାୟ ଉପରେ ସ୍ଥଗିତାଦେଶ, କୃଷି ପମ୍ପ ପାଇଁ ବ୍ୟବହୃତ ବିଦ୍ୟୁତ ବିଲ୍ ଛାଡ଼ ଏବଂ ମରୁଡ଼ି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ ଓ କଲେଜ ଫି" ସମ୍ପୂର୍ଣ୍ଣ ଛାଡ଼ କରାଯିବା ସାମିଲ ରହିଛି।
ସ୍ଥାନୀୟ ଅଞ୍ଚଳରେ ଜୀବିକା ହରାଇଥିବା ଲୋକଙ୍କ ପାଇଁ ଗ୍ରାମୀଣ ନିଯୁକ୍ତି ଭିତ୍ତିକ କାର୍ଯ୍ୟକ୍ରମ ଜରିଆରେ ନୂତନ କର୍ମସଂସ୍ଥାନ ସୃଷ୍ଟି କରାଯିବ।
ଆହୁରି ପଢନ୍ତୁ: Dead: ବିଲରେ ମାଛ ଧରୁଥିବା ବେଳେ ବଜ୍ରାଘାତରେ ୧୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଏହି ସରକାରୀ ସଂକଳ୍ପ ଅନୁଯାୟୀ ଯେଉଁ ଅଞ୍ଚଳରେ ପାନୀୟ ଜଳର ଘୋର ଅଭାବ ଦେଖାଦେବ, ସେଠାରେ ତୁରନ୍ତ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ଆରମ୍ଭ କରାଯିବ।
ଚାଷ ଜମିକୁ ଜଳସେଚନ ପାଇଁ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟକୁ କୌଣସି ପରିସ୍ଥିତିରେ ବନ୍ଦ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଚାଷ ଓ କୃଷି ଶ୍ରମ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବା ପ୍ରଭାବିତ ପରିବାରଗୁଡ଼ିକୁ ସରକାରଙ୍କ ପକ୍ଷରୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ।
ଗୃହପାଳିତ ପଶୁମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଗୋଖାଦ୍ୟ ଶିବିର ପ୍ରତିଷ୍ଠା କରାଯିବ ଏବଂ ଜଳ ସଂରକ୍ଷଣ ପାଇଁ ଚେକ୍ ଡ୍ୟାମ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ସୂଚନା ମିଳିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।