Malkangiri Farmers Destroy Cannabis Crops: ଆଖିକୁ ନିଦ ନାହିଁ, ପେଟକୁ ଦାନା ନାହିଁ; ଗଞ୍ଜେଇ ଚାଷ ଛାଡ଼ିଲେ ଚାଷୀ
ନିଜ ବିଲରେ ନିଜର ଲକ୍ଷାଧିକ ଟଙ୍କାର ମୂଲ୍ୟର ଗଞ୍ଜେଇକୁ କାଟି ପକାଉଛନ୍ତି ମାଲିକ। ଯେଉଁ ଗଛକୁ ବଢ଼ାଇବାକୁ ଲକ୍ଷାଧିକ ଟଙ୍କା ସାରିଥିଲେ, ଅମଳ ପରେ ଦୁଇରୁ ତିନି ଗୁଣା ଲାଭ ହୋଇଥାନ୍ତା, ସେସବୁ ନିଜେ ହିଁ କାଟି ସଫା କରୁଛନ୍ତି। ଏ ଛନଛନିଆ ସବୁଜ ଫର ଫର ଗଛ ସବୁ ଗଞ୍ଜେଇ। ତା ପୁଣି ଉନ୍ନତମାନର। ମାଲକାନଗିରି ଚିତ୍ରକୋଣ୍ଡା ସିଲିମେଟା ଗାଁର। ବର୍ଷ ବର୍ଷ ଧରି ନିଜ ଚାଷ ଜମିରେ ଗଞ୍ଜେଇ ଚାଷ କରୁଥିଲେ। ହେଲେ ଏଥରଠୁ ଆଉ ଗଞ୍ଜେଇ ନୁହେଁ, ଗଞ୍ଜେଇକୁ ଦୁରୁ ଜୁହାର। ଅଳ୍ପ ସମୟରେ ଅଳ୍ପ ଲୋଭରେ ଅନେକ ଅର୍ଥ ମିଳିଛି। ହେଲେ ସବୁବେଳେ ବିପଦ, ରାତିରେ ଭଲରେ ନିଦ ହେଉନି। ପୋଲିସର..ଅବକାରୀ ବିଭାଗର ତ ପୁଣି ମାଫିଆ ମାନଙ୍କ। ତେଣୁ ଏଥରଠୁ ଆଉ ଗଞ୍ଜେଇ ଚାଷ ନକରି ଧାନ ସହ ପାରମ୍ପରିକ ଚାଷ କରିବାକୁ ଆଗେଇ ଆସିଛନ୍ତି ଏମାନେ।
କୋରାପୁଟରୁ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ଯାଏଁ। ଯେଉଁଠି ଅପହଞ୍ଚ ବ୍ୟବସ୍ଥା, ପହଞ୍ଚି ପାରିନି ପ୍ରଶାସନ ସେଠି ମାଡ଼ି ରହିଛି ଗଞ୍ଜେଇ। ଓଡ଼ିଶା ଓ ଅନେକ ରାଜ୍ୟ ବାହାର ମାଫିଆ ଏଠି ଗଞ୍ଜେଇ ଚାଷ କରାନ୍ତି। ଜମି ନୀରିହ ଆଦିବାସୀଙ୍କ, ଗଛ ଲଗାଇବେ ସେମାନେ, ହେଲେ ଲାଭରେ ମାଲେମାଲ୍ ହେବେ ବାହାର ରାଜ୍ୟର ଗଞ୍ଜେଇ ବେପାରୀ। କିନ୍ତୁ ଗିରଫ ହେଲା ବେଳେ ଧରାପଡ଼ନ୍ତି ସ୍ଥାନୀୟ ଆଦିବାସୀ ମାନେ। ହେଲେ ଏବେ ମାହୋଲ ବଦଳୁଛି, ପରିସ୍ଥିତିରେ ବି ସୁଧାର ଆସୁଛି। ତେବେ ଗଞ୍ଜେଇରୁ ଯାହା ମିଳୁଥିଲା ସେତିକି କଣ ପାରମ୍ପରିକ ଚାଷରୁ ମିଳିପାରିବ ? ତାକୁ ନେଇ ଚିନ୍ତାରେ ଏମାନେ। କାରଣ ଘର ଚଳାଇବା ଓ ପିଲାଙ୍କୁ ପଢ଼ାଇବା ପାଇଁ ଅର୍ଥ ଦରକାର, ଆଉ ସେଇ ଅର୍ଥ ଅନବରତ ଗଞ୍ଜେଇ ଦେଇ ଆସୁଥିଲା।
ସ୍ବାଭିମାନ ଅଞ୍ଚଳର ସ୍ବଭାବ ବଦଳୁଛି। ବିକାଶ ଧାରା ବହିବା ପରେ ବି ଅନେକ ଗାଁରେ ଆର୍ଥିକ ଅନଟନର ଭାର ଆଦିବାସୀଙ୍କୁ ଗଞ୍ଜେଇ ଆଡ଼କୁ ଟାଣୁଛି। ତେଣୁ ଜୀବନ ଜୀବିକା ବଞ୍ଚିବା ବାଟ ପାଇଲେ ଏମାନେ ଏସବୁ ବି କରନ୍ତେନି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।