Mamata Backs Congress in Nandigram Bypoll: ନନ୍ଦିଗ୍ରାମରେ ନୂଆ ମୋଡ଼, କଂଗ୍ରେସକୁ ସମର୍ଥନ ଘୋଷଣା କଲେ ମମତା

Sep 18, 2026 - 17:39
Mamata Backs Congress in Nandigram Bypoll: ନନ୍ଦିଗ୍ରାମରେ ନୂଆ ମୋଡ଼, କଂଗ୍ରେସକୁ ସମର୍ଥନ ଘୋଷଣା କଲେ ମମତା

ନନ୍ଦିଗ୍ରାମ ଉପନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ନୂଆ ମୋଡ଼ ଆସିଛି। ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ, କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ସମର୍ଥନ ଘୋଷଣା କରିଛନ୍ତି ମମତା।

ମମତା କହିଛନ୍ତି, ତାଙ୍କ ଶିବିର ନନ୍ଦିଗ୍ରାମରେ ଆଉ କୌଣସି ପ୍ରାର୍ଥୀ ଦେବ ନାହିଁ ଏବଂ INDIA ମେଣ୍ଟ ପ୍ରତି ତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ରହିଛି। ସଞ୍ଚିତାଙ୍କ ପ୍ରାର୍ଥିତ୍ୱ ପ୍ରତ୍ୟାହାର ପରେ ଏହି ଘୋଷଣା କରିଛନ୍ତି ସେ।

ସୂଚନା ଅନୁସାରେ, ସଞ୍ଚିତା ପ୍ରଧାନ ଦେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନବାନ୍ନରେ ସାକ୍ଷାତ କରିବା ପରେ ନିର୍ବାଚନରୁ ଓହରିଛନ୍ତି। ତେବେ ପ୍ରାର୍ଥିତ୍ୱ ପ୍ରତ୍ୟାହାରର ସ୍ପଷ୍ଟ କାରଣ ସାମ୍ନାକୁ ଆସିନାହିଁ।

ଅନ୍ୟପଟେ, ତୃଣମୂଳ କଂଗ୍ରେସର ନାମ ଓ ‘ଫୁଲ-ଘାସ’ ଚିହ୍ନକୁ ନେଇ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଛି। ନିର୍ବାଚନ ଆୟୋଗ ଉଭୟ ଗୋଷ୍ଠୀକୁ ନୂଆ ନାମ ଓ ଚିହ୍ନ ଦେଇଛି—ମମତାଙ୍କ ଗୋଷ୍ଠୀକୁ ‘ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ସହ ‘ଫୁଟବଲ୍ ଖେଳାଳି’ ଚିହ୍ନ ଏବଂ ବିରୋଧୀ ଗୋଷ୍ଠୀକୁ ‘ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ’ ସହ ‘ଲଫାପା’ ଚିହ୍ନ ମିଳିଛି।

ନନ୍ଦିଗ୍ରାମ ସମେତ ଆଗାମୀ ଉପନିର୍ବାଚନ ପାଇଁ ଏହି ବ୍ୟବସ୍ଥା ଅସ୍ଥାୟୀ ଭାବେ ଲାଗୁ ହୋଇଛି। ଏବେ ନନ୍ଦିଗ୍ରାମ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ମମତାଙ୍କ ସମର୍ଥନ ପରେ ରାଜନୈତିକ ସମୀକରଣ କିପରି ବଦଳିବ, ତା’ଉପରେ ନଜର ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।