Man Killed Mother: କଳିଯୁଗ ପୁଅର ଜଘନ୍ୟ କାଣ୍ଡ, ମାଆକୁ ଜୀଅନ୍ତା ଜାଳିଦେଲା, କହିଲା “ମୁଁ ଭଗବାନ” !
ଯେଉଁ ମାଆ ଜୀବନ ଦେଇଥିଲା, ସେହି ମାଆର ଜୀବନ ନେବାକୁ ପଛାଇଲାନି ପୁଅ। ରାଗର ନିଆଁରେ ସମ୍ପର୍କକୁ ଆହୁତି ଦେଇଦେଲା। ଆଉ ମାଆର ମୃତ୍ୟୁ ପରେ କହିଲା ମୁଁ ଭଗବାନ! ମଦ ନିଶାରେ ମାଆକୁ ବିଭତ୍ସ ହତ୍ୟା। ଜୀଅନ୍ତା ଅବସ୍ଥାରେ ମାଆ ଦେହରେ ନିଆଁ ଲଗାଇ ଜାଳିଦେଲା ପୁଅ। ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ତ ଘଟିଛି ବିହାରରେ।
ବିହାରର ରାଜଧାନୀ ପାଟନାର ଖାଜେକଲାନ ଥାନା ଅନ୍ତର୍ଗତ ଦିୱାନ ମୋହଲ୍ଲା ଅଞ୍ଚଳରେ ରହୁଥିବା ଚିଣ୍ଟୁ କୁମାର ତାଙ୍କ ୬୦ ବର୍ଷୀୟା ବୃଦ୍ଧା ମାଆଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଚିଣ୍ଟୁ କୁମାର ହତ୍ୟାକାଣ୍ଡ ବେଳେ ନିଶାଗ୍ରସ୍ତ ଅବସ୍ଥାରେ ଥିବା କୁହାଯାଉଛି। ଏପରିକି ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିବାକୁ ପହଞ୍ଚିବା ବେଳେ ସେ ସେମାନଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲା। ତେବେ ଗିରଫ ହେବା ପରେ ଅଭିଯୁକ୍ତ ନିଜକୁ ଭଗବାନ ବୋଲି ଦାବି କରିଥିଲା।
ପୋଲିସର ସୂଚନା ଅନୁସାରେ, ମୃତ ମହିଳାଙ୍କ ନାମ ମଞ୍ଜୁ ଦେବୀ। ବୟସ ୬୦ ବର୍ଷ। ସେ ଖାଜେକଲାନ ଥାନା ଅନ୍ତର୍ଗତ ଦିୱାନ ମୋହଲ୍ଲା ଅଞ୍ଚଳରେ ରହୁଥିଲେ। ତାଙ୍କ ପୁଅ ଚିଣ୍ଟୁ କୁମାର ଅଟୋରିକ୍ସା ଚଲାଏ। କିନ୍ତୁ ଅନେକ ସମୟ ସେ ନିଶାରେ ହିଁ ବୁଡ଼ିକି ରୁହେ। ଘଟଣା ଦିନ ମଧ୍ୟ ସେ ନିଶାଗ୍ରସ୍ତ ଅବସ୍ଥାରେ ଥିଲା। ଶନିବାର ବଳମ୍ବିତ ରାତିରେ ଘରକୁ ଫେରିବା ପରେ ମଞ୍ଜୁ ଦେବୀଙ୍କ ସହ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହା ପରେ ସେ ଏଭଳି ଜଘନ୍ୟ କାଣ୍ଡ କରିବାକୁ ବି ପଛାଇଲାନି। ଗ୍ୟାସ୍ ସିଲିଣ୍ଡରରେ ହିଁ ମାଆକୁ ଘର ଭିତରେ ଜୀଅନ୍ତା ଜାଳି ଦେଇଥିଲା। ନିଜେ ସେଠାରେ ରହି ଦେଖୁଥିଲା। ସ୍ଥାନୀୟ ଲୋକଙ୍କ ଦ୍ୱାରା ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା, କିନ୍ତୁ ସେତେବେଳକୁ ମହିଳାଙ୍କ ମୃତ୍ୟୁ ହୋଇସାରିଥିଲା।
ପୋଲିସ ଟିମ୍ ଅଭିଯୁକ୍ତ ଚିଣ୍ଟୁକୁ ଗିରଫ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ସେ ପୋଲିସ ଅଧିକାରୀଙ୍କ ସହ ଝଗଡ଼ା କରିବା ଆରମ୍ଭ କରିଥିଲା। ପୋଲିସ କୌଣସି ପ୍ରକାରେ ତାକୁ ନିୟନ୍ତ୍ରଣ କରି ଗିରଫ କରିଥିଲା। ଗିରଫ ହେବା ପରେ ମଧ୍ୟ ଅଭିଯୁକ୍ତର ଆଚରଣ ଅତ୍ୟନ୍ତ ଅଶୋଭନୀୟ ଥିଲା। ସେ ପୋଲିସ ସାମନାରେ ନିଜକୁ ଭଗବାନ ବୋଲି କହୁଥିଲା। ଏପରିକି ଏହା କଳିଯୁଗ ଏବଂ ସେ ହିଁ ତା’ ମାଆଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା।
ପୋଲିସ ମଞ୍ଜୁ ଦେବୀଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଛି। ପୋଲିସ ଅଭିଯୁକ୍ତକୁ ପଚରାଉଚରା କରୁଛି ଏବଂ କାହିଁକି ମାଆକୁ ଏପରି ନିର୍ମମ ଭାବେ ହତ୍ୟା କଲା, ସେ ବିଷୟରେ ମଧ୍ୟ ଖୋଳତାଡ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।