Man Mauled to Death by Tiger: ବାଘ ଖୁଆଡ଼ ଭିତରକୁ ପଶିଲେ ବ୍ୟକ୍ତି, ଆକ୍ରମଣରେ ଚାଲିଗଲା ଜୀବନ!

Oct 11, 2026 - 09:50
Man Mauled to Death by Tiger: ବାଘ ଖୁଆଡ଼ ଭିତରକୁ ପଶିଲେ ବ୍ୟକ୍ତି, ଆକ୍ରମଣରେ ଚାଲିଗଲା ଜୀବନ!

ବ୍ରିଟେନ୍‌ର ଏକ ୱାଇଲ୍ଡଲାଇଫ୍ ପାର୍କରେ ଅଭାବନୀୟ ଘଟଣା ଘଟିଛି। ବାଘ ରହୁଥିବା ଖୁଆଡ଼ ଭିତରକୁ ପ୍ରବେଶ କରିବା ପରେ ବାଘ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ପାର୍କକୁ ତୁରନ୍ତ ଖାଲି କରାଯିବା ସହ ରବିବାର ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରାଯାଇଛି।

ଇଂଲଣ୍ଡର ଡନ୍‌କାଷ୍ଟର ନିକଟରେ ଥିବା ୟର୍କଶାୟର୍ ୱାଇଲ୍ଡଲାଇଫ୍ ପାର୍କରେ ଶନିବାର ଏହି ଘଟଣା ଘଟିଛି। ଦକ୍ଷିଣ ୟର୍କଶାୟର୍ ପୋଲିସର ସୂଚନା ଅନୁଯାୟୀ, ଦିନ ପ୍ରାୟ ୧ଟା ୩୫ ମିନିଟ୍‌ରେ ଜଣେ ବ୍ୟକ୍ତି ବାଘ ରହୁଥିବା ଏନ୍‌କ୍ଲୋଜର୍‌ ଭିତରକୁ ପ୍ରବେଶ କରିଥିବା ନେଇ ଖବର ମିଳିଥିଲା। ଏହାପରେ ବାଘ ତାଙ୍କୁ ଆକ୍ରମଣ କରିଥିଲା।

ଘଟଣା ପରେ ଜରୁରୀକାଳୀନ ସେବା ଓ ଡାକ୍ତରୀ ଦଳ ତୁରନ୍ତ ପହଞ୍ଚିଥିଲେ। ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ଗୁରୁତର ଆଘାତ ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପୋଲିସ କହିଛି।

ଲୋକଙ୍କୁ ଭିଡିଓ ସେୟାର ନକରିବାକୁ ଅନୁରୋଧ

ଘଟଣା ପରେ ବାଘର ସ୍ଥିତିକୁ ନେଇ ସୋସିଆଲ୍ ମିଡିଆରେ ବିଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ପୋଲିସ ସ୍ପଷ୍ଟ କରିଛି ଯେ ବାଘଟି ସୁରକ୍ଷିତ ଅଛି। ଆକ୍ରମଣ ପରେ ମଧ୍ୟ ଏହା ନିଜ ଏନ୍‌କ୍ଲୋଜର୍‌ ଭିତରେ ରହିଥିଲା। ଏଥିସହ ସାଧାରଣ ଲୋକଙ୍କ ପ୍ରତି ଆଉ କୌଣସି ବ୍ୟାପକ ବିପଦ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଘଟଣାର ଭିଡିଓ ଅନଲାଇନ୍‌ରେ ପ୍ରସାରିତ ହେଉଥିବା ନେଇ ପୋଲିସ ଅବଗତ ଅଛି। ଏଭଳି ମର୍ମନ୍ତୁଦ ଦୃଶ୍ୟକୁ ସେୟାର ନକରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି।

ଘଟଣା ପରେ ୟର୍କଶାୟର୍ ୱାଇଲ୍ଡଲାଇଫ୍ ପାର୍କକୁ ତୁରନ୍ତ ଖାଲି କରାଯାଇଥିଲା। ପାର୍କ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥାକୁ ସକ୍ରିୟ କରାଯାଇ ଉଦ୍ଧାରକାରୀ ଦଳକୁ ଡକାଯାଇଥିଲା। ପାର୍କ ରବିବାର ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ପରିଦର୍ଶକ, କର୍ମଚାରୀ ଓ ପଶୁପକ୍ଷୀଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ବୋଲି ପାର୍କ ପକ୍ଷରୁ କୁହାଯାଇଛି।

ତେବେ ବ୍ୟକ୍ତି ଜଣକ କେଉଁ ପରିସ୍ଥିତିରେ ବାଘ ଖୁଆଡ଼ ଭିତରକୁ ପ୍ରବେଶ କରିଥିଲେ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣାର ପ୍ରକୃତ କାରଣ ଜାଣିବାକୁ ସମ୍ପୃକ୍ତ ଅଧିକାରୀମାନେ ତଦନ୍ତ କରୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।