03 NOVEMBER 2026

Welcome!

Unlock your personalized experience.
Sign Up

Market: ୧ ନମ୍ବର ହାଟ: ଅଗ୍ନିକାଣ୍ଡ ଉଜାଡ଼ିଦେଉଛି ପେଟପାଟଣା, ୧୧ବର୍ଷ ହେଲା ଯୋଜନା ଆଗଉନି

Nov 03, 2026 - 04:58
Market: ୧ ନମ୍ବର ହାଟ: ଅଗ୍ନିକାଣ୍ଡ ଉଜାଡ଼ିଦେଉଛି ପେଟପାଟଣା, ୧୧ବର୍ଷ ହେଲା ଯୋଜନା ଆଗଉନି

ଭୁବନେଶ୍ବର: ଭୁବନେଶ୍ବରର ୧ ନମ୍ବର ହାଟ ସହରର ସବୁଠୁ ଶସ୍ତା ହାଟ ଭାବେ ପରିଚିତ। ଏଣୁ ସକାଳ ପାହିଲେ, ଗ୍ରାହକଙ୍କ ଏଠାରେ ଭିଡ଼ ଲାଗେ। ସେପଟେ ୪ହଜାରରୁ ଅଧିକ ପାଇକାରୀ ଓ ଖୁଚୁରା ବେପାରୀଙ୍କ ପେଟପାଟଣା ଏହି ହାଟ ଉପରେ ନିର୍ଭରଶୀଳ। କିନ୍ତୁ ଅଗ୍ନିକାଣ୍ଡ ପ୍ରତିବର୍ଷ ଏକାଧିକ ଥର ଏହି ଦୋକାନୀମାନଙ୍କ ଭାଗ୍ୟ ଉଜାଡ଼ି ଦେଉଛି। ଏହାର ପ୍ରତିକାର ସହ ଦୋକାନୀଙ୍କୁ ବେପାରର ସ୍ଥାୟୀ ଭିତ୍ତିଭୂମି ଯୋଗାଇଦେବାକୁ ୧୧ ବର୍ଷ ତଳୁ ଯୋଜନା ‌କରାଗଲାଣି। କିନ୍ତୁ ଏହା କେବଳ ମିଛ ଆଶ୍ବାସନା ପାଲଟିଛି। ଏବେ ବି ଅବ୍ୟବସ୍ଥିତ ଢଙ୍ଗରେ ଦୋକାନୀମାନେ ବେପାର କରୁଛନ୍ତି ଓ ପ୍ରତି ମୁହୂର୍ତ୍ତରେ ଅଗ୍ନିକାଣ୍ଡର ଭୟ ଭିତରେ ରହୁଛନ୍ତି।

Climate: ମୃତପ୍ରାୟ ଅବସ୍ଥାରେ ରାମ୍‌କି କାରଖାନାରୁ ନିର୍ଗତ ବିଷାକ୍ତ ରାସାୟନିକ ବର୍ଜ୍ୟ ପ୍ରଭାବରୁ ୧୦ ହଜାର ଅର୍ଜୁନ ଗଛ

୧ ନମ୍ବର ହାଟ ଜମି ସାଧାରଣ ପ୍ରଶାସନ ବିଭାଗର। ହାଟ ବ୍ୟବସାୟୀ ସଂଘ ତଥ୍ୟ ଅନୁସାରେ, ହାଟରେ ୨୮୩୯ଜଣ ବ୍ୟବସାୟ କରୁଛନ୍ତି। ଯେଉଁଥିରେ କଞ୍ଚା ପରିବା ବ୍ୟବସାୟୀ ୧୪୫୦ଜଣ ଓ ୫୦ଜଣ ହୋଲ୍‌ସେଲ୍‌ ବ୍ୟବସାୟୀ ରହିଛନ୍ତି। ଏହାବାଦ୍‌ ଅନେକ ଫଳ, ବହିଖାତା, ଚୁଡ଼ା, ଖଇ ଆଦି ଦୋକାନ ଖୋଲିଛନ୍ତି। ସମସ୍ତଙ୍କୁ ମିଶାଇଲେ ବ୍ୟବସାୟୀଙ୍କ ସଂଖ୍ୟା ୪ହଜାର ଟପିଯିବ। ୨୦୧୪ ମସିହାରେ ବିଏମ୍‌ସି ୧ ନମ୍ବର ହାଟ ବ୍ୟବସାୟୀଙ୍କୁ ଅତ୍ୟାଧୁନିକ ମାର୍କେଟ୍‌ କମ୍ପ୍ଲେକ୍ସରେ ଥଇଥାନ କରିବାକୁ ଯୋଜନା ହୋଇଥିଲା। ୫ ମହଲା ବିଶିଷ୍ଟ ଏହି କମ୍ପ୍ଲେକ୍ସର ଦୁଇଟି ବେସ୍‌ମେଣ୍ଟରେ ପାର୍କିଂ ଓ ବାକି ତିନି ମହଲାରେ ଯଥାକ୍ରମେ ପରିବା, ତେଜରାତି ଓ ଘରକରଣା ଜିନିଷ ଉପଲବ୍ଧ ହେବ ବୋଲି ନକ୍ସା ପ୍ରସ୍ତୁତ ହୋଇଥିଲା। ୩ ଏକର ଜାଗାରେ ପ୍ରାୟ ୨ ହଜାର ଖୁଚୁରା ବ୍ୟବସାୟୀ ବସିବା ଭଳି ଏକ ଅତ୍ୟାଧୁନିକ ମାର୍କେଟ୍‌ କମ୍ପ୍ଲେକ୍ସର ନୀଳ ନକ୍ସା ଆଙ୍କିଥିଲା। ଏଥିରେ ପାଖାପାଖି ୧୪୬ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଅଟକଳ କରାଯାଇଥିଲା। ଯେଉଁଠି ମାର୍କେଟ ‌କମ୍ପ୍ଲେକ୍ସ ତିଆରି ହେବାକୁ ଥିଲା ସେଠାରେ ୭୫ ସରକାରୀ କ୍ବାର୍ଟର୍ସ ଓ ବସ୍ତିରେ ୧୨୫ ଘର ରହିଥିଲା। ଏଣୁ ସବୁକୁ ଭାଙ୍ଗିବା ଯୋଜନା ହୋଇଥିଲା। ୧୨୫ ବସ୍ତିବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନାରେ ସାମିଲ ପରେ ବସ୍ତି ଉଚ୍ଛେଦ କରାଯାଇଥିଲା। ସରକାରୀ କ୍ବାର୍ଟର୍ସ ବି ଭଙ୍ଗାଯାଇଥିଲା।

Asia Cup: ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ପାଇଁ ଭାରତ ‘ଏ’ ଦଳରେ ଅଭିଷେକ, ସୂର୍ଯ୍ୟବଂଶୀ

ଏଠାର ପାଇକାରୀ ବ୍ୟବସାୟୀଙ୍କୁ ଭଗବାନପୁରକୁ ଉଠାଇ ନିଆଯିବାକୁ ଯୋଜନା କରାଯାଇଥିଲା। ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ବି ବହୁବର୍ଷ ତଳୁ ୧୦ ଏକର ଜମି ଭଗବାନପୁରରେ ଦେଇ ସାରିଛି। ଏହା କେବଳ ଅଗ୍ନିକାଣ୍ଡ ଭଳି ବିପତ୍ତିରୁ ଦୋକାନୀ ଓ ଦୋକାନକୁ ସୁରକ୍ଷିତ ରଖିବନି, ବ୍ୟବସାୟୀଙ୍କ ବ୍ୟବସାୟକୁ ଆହୁରି ଆଗକୁ ନେବ ବୋଲି ଲକ୍ଷ୍ୟ ଥିଲା। କିନ୍ତୁ ଅଧିକାରୀଙ୍କ ଉଦାସୀନତା ଯୋଗୁ ୧୧ ବର୍ଷ ପରେ ବି ଏହା ସମ୍ଭବ ହୋଇପାରି ନାହିଁ। ନିକଟରେ ଅଗ୍ନିକାଣ୍ଡ ଭୟ ଦୂର ପାଇଁ ୧ ନମ୍ବର ହାଟରେ ଭିତ୍ତିଭୂମି ପ୍ରସ୍ତୁତି କାମ ଆରମ୍ଭ ହୋଇଛି। ୧ ନମ୍ବର ହାଟ କଞ୍ଚା ପନିପରିବା ବ୍ୟବସାୟୀ ସଂଘ ସଭାପତି କବିରାଜ ସାହୁ କହିଛନ୍ତି, ୧୧ ବର୍ଷ ତଳେ ଯେଉଁ ବହୁତଳ ମାର୍କେଟ୍‌ କମ୍ପ୍ଲେକ୍ସର ଯୋଜନା କରାଯାଇଥିଲା, ତାହା ସପକ୍ଷରେ ବେପାରୀମାନେ ନାହାନ୍ତି। ଆମେ ଗୋଟିଏ ମହଲାରେ ହାଟ ଦୋକାନୀଙ୍କୁ ଥଇଥାନର ପ୍ରସ୍ତାବ ଦେଇଛୁ। ସେପଟେ ଭଗବାନପୁରକୁ ପାଇକାରୀ ବେପାରୀଙ୍କୁ ଉଠାଇନେବା ସପକ୍ଷରେ ଅଛୁ ଓ ଏଥିରେ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ। କିନ୍ତୁ ଭୁବନେଶ୍ବର ମହାନଗର ନିଗମର ଅଦ୍ୟାବଧି ଏ ଦିଗରେ କିଛି ଆଗେଇନି। ଏ ସମ୍ପର୍କରେ ବିଏମ୍‌ସି ଡେପୁଟି କମିସନର ପ୍ରିୟଙ୍କା ମଲ୍ଲିକ କହିଛନ୍ତି, ହାଟ ଉନ୍ନତୀକରଣ ସମ୍ପର୍କିତ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠାଯାଇଛି। ସରକାରଙ୍କ ମଞ୍ଜୁର ମିଳିବା ପରେଏଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।