Mayurbhanj Murder Case: ମାତ୍ର ଗୋଟିଏ ଛେଳି ପାଇଁ ମାଝୀ ବାବାଙ୍କୁ ମାରିଦେଲା! ଜଙ୍ଗଲରେ କଟୁରିରେ ହାଣି ବିଭତ୍ସ ହତ୍ୟା

Oct 29, 2026 - 12:39
Mayurbhanj Murder Case: ମାତ୍ର ଗୋଟିଏ ଛେଳି ପାଇଁ ମାଝୀ ବାବାଙ୍କୁ ମାରିଦେଲା! ଜଙ୍ଗଲରେ କଟୁରିରେ ହାଣି ବିଭତ୍ସ ହତ୍ୟା

ଛେଳି ମୃତ୍ୟୁର ପ୍ରତିଶୋଧ ପାଇଁ ରଚିଲା ହତ୍ୟା ଷଡ଼ଯନ୍ତ୍ର।

ହାଟରୁ ତେଲେଙ୍ଗା କଟୁରି କିଣି ଜଙ୍ଗଲରେ ହାଣିଦେଲା।

ମାଝୀ ବାବା ହତ୍ୟାକାଣ୍ଡର ହେଲା ପର୍ଦ୍ଦାଫାଶ।

ମାତ୍ର ଗୋଟିଏ ଛେଳିର ମୃତ୍ୟୁକୁ ନେଇ ବଢ଼ିଥିବା ବିବାଦ ନେଇଗଲା ଜଣେ ଗାଁ ମୁଖିଆ ମାଝୀ ବାବାଙ୍କ ଜୀବନ।

ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅଞ୍ଚଳରେ ଘଟିଥିବା ଏହି ସାଙ୍ଘାତିକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ।

ଗାଁ ବୈଠକରେ ଅପମାନିତ ହେବା ଭୟରେ ପ୍ରତିଶୋଧପରାୟଣ ହୋଇ ଅଭିଯୁକ୍ତ ଜେନା ନାୟକ, ତାଣ୍ଡିପାଣି ଗାଁର ମାଝୀ ବାବା ରାମେଶ୍ୱର ପିଙ୍ଗୁଆଙ୍କୁ ଜଙ୍ଗଲ ରାସ୍ତାରେ ହାଣି ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି।

Advertisment ଶନିବାର ରାତିରେ ରାମେଶ୍ୱର ସାପ୍ତାହିକ ହାଟରୁ ବାଇକ୍‌ରେ ଘରକୁ ଫେରିଲା ବେଳେ କାକୁଡ଼ିରୁମା ଜଙ୍ଗଲ ନିକଟ ରାସ୍ତାରେ ଅଭିଯୁକ୍ତ ଜେନା ନାୟକ ତାଙ୍କୁ ଅଟକାଇ ଧାରୁଆ କଟୁରିରେ ଆକ୍ରମଣ କରିଥିଲା।

ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ରାମେଶ୍ୱରଙ୍କ ମୃତ୍ୟୁ ହୋଇଥିଲା।

ରବିବାର ସକାଳେ ସ୍ଥାନୀୟ ଲୋକଙ୍କ ସୂଚନା ପରେ ପୋଲିସ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଥିଲା ।

ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା ଯେ, ଗାଁ ନିକଟରେ ଚାଲିଥିବା ଏକ ପ୍ରକଳ୍ପ କାମରେ ନିୟୋଜିତ ଗାଡ଼ି ଧକ୍କାରେ ଜେନା ନାୟକଙ୍କ ଛେଳିର ମୃତ୍ୟୁ ହୋଇଥିଲା।

ଏଥିପାଇଁ ଠିକାଦାରଙ୍କଠାରୁ ୧୦ ହଜାର ଟଙ୍କା କ୍ଷତିପୂରଣ ମିଳିଥିଲେ ମଧ୍ୟ ପ୍ରକଳ୍ପ କାମ ବନ୍ଦ ହୋଇଯାଇଥିଲା।

ଏହାକୁ ନେଇ ଗାଁରେ ଅସନ୍ତୋଷ ବଢ଼ିଥିଲା।

ରବିବାର ୪ରୁ ୫ଟି ଗାଁର ଲୋକଙ୍କୁ ନେଇ ବୈଠକ ହେବାର ଥିଲା।

ସେଠାରେ ଅପମାନିତ ହେବା ଓ ଜରିମାନା ଦେବା ଭୟରେ ଜେନା ହତ୍ୟା ଯୋଜନା କରିଥିବା ପୋଲିସ କହିଛି।

ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତ କଟୁରୀକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲା ଏବଂ ବଡ଼ବନ୍ତ ଗ୍ରାମ ନଦୀ କୂଳରେ ନିଜର ରକ୍ତଭିଜା ପୋଷାକ ଓ ହେଲମେଟ୍‌କୁ ନିଆଁ ଲଗାଇ ପୋଡ଼ି ଦେଇଥିଲା।

ରାଇରଙ୍ଗପୁର ଏସ୍‌ପିଙ୍କ ନିର୍ଦ୍ଦେଶରେ ଗଠିତ ସ୍ୱତନ୍ତ୍ର ଟିମ୍‌ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି।

ପୋଲିସ ହତ୍ୟାରେ ବ୍ୟବହୃତ କଟୁରି ଓ ବାଇକ୍‌ ଜବତ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।