Men's Hockey World Cup 2026: ହକି ବିଶ୍ୱକପ୍‌ରେ ବିଜୟରୁ ଭାରତର ଅଭିଯାନ ଆରମ୍ଭ

Aug 15, 2026 - 18:55
Men's Hockey World Cup 2026: ହକି ବିଶ୍ୱକପ୍‌ରେ ବିଜୟରୁ ଭାରତର ଅଭିଯାନ ଆରମ୍ଭ

ନେଦରଲାଣ୍ଡ୍‌ସରେ ଆରମ୍ଭ ହୋଇଥିବା ପୁରୁଷ ହକି ବିଶ୍ୱକପ୍‌ ୨୦୨୬ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ପୁଲ୍‌-ଡିର ଉଦ୍‌ଘାଟନୀ ମ୍ୟାଚ୍‌ରେ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରିଛି ଭାରତ।

ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରେ ଭାରତ ଦୁଇଟି ଗୋଲ୍‌ କରି ଦୃଢ଼ ଆରମ୍ଭ କରିଥିଲା। ସଞ୍ଜୟ ରାଣା ଓ ଅଧିନାୟକ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରରୁ ଗୋଲ୍‌ କରିଥିଲେ। ତୃତୀୟ କ୍ୱାର୍ଟରରେ ହରମନପ୍ରୀତ ନିଜର ଦ୍ୱିତୀୟ ଗୋଲ୍‌ କରି ଭାରତର ଅଗ୍ରଣୀକୁ ୩-୦ କରିଥିଲେ।

ଚତୁର୍ଥ କ୍ୱାର୍ଟରର ୫୫ତମ ମିନିଟ୍‌ରେ ୱେଲ୍ସ ପକ୍ଷରୁ ସାମ୍‌ ୱେଲ୍ସ ଗୋଟିଏ ଗୋଲ୍‌ କରିଥିଲେ। ତେବେ ଶେଷ ପର୍ଯ୍ୟନ୍ତ ଭାରତ ନିଜର ଅଗ୍ରଣୀ ବଜାୟ ରଖି ୩-୧ରେ ବିଜୟ ହାସଲ କରିଥିଲା।

ଏହି ମ୍ୟାଚ୍‌ରେ ଭାରତ ନୂଆ ଗେରୁଆ ରଙ୍ଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲା। ଜର୍ସିକୁ ନେଇ ପୂର୍ବରୁ ଚର୍ଚ୍ଚା ଓ ବିବାଦ ଦେଖାଦେଇଥିଲେ ମଧ୍ୟ ବିଶ୍ୱକପ୍‌ରେ ଏହା ପ୍ରଥମଥର ପାଇଁ ବ୍ୟବହୃତ ହୋଇଛି।

ପୁଲ୍‌-ଡିରେ ଭାରତର ପରବର୍ତ୍ତୀ ମୁକାବିଲା ଇଂଲଣ୍ଡ ବିପକ୍ଷରେ ଅଗଷ୍ଟ ୧୭ ତାରିଖରେ ହେବ। ଏହାପରେ ଅଗଷ୍ଟ ୧୯ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ଭାରତ। ନକ୍‌ଆଉଟ୍‌ ପର୍ଯ୍ୟାୟରେ ସ୍ଥାନ ପକ୍କା କରିବା ପାଇଁ ଏହି ଦୁଇଟି ମ୍ୟାଚ୍‌ ଭାରତ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।