Midnight Vigilance Operation Catches Engineer: ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ, ୬ ଘଣ୍ଟାର ଛକାପଞ୍ଝା ପରେ ଅଧରାତିରେ ଧରାପଡ଼ିଲେ

Oct 17, 2026 - 20:10
Midnight Vigilance Operation Catches Engineer: ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ, ୬ ଘଣ୍ଟାର ଛକାପଞ୍ଝା ପରେ ଅଧରାତିରେ ଧରାପଡ଼ିଲେ

ଜଗତପୁରରୁ ଡେଲଟା। ୬ ଘଣ୍ଟାର ଛକାପଞ୍ଝା। ଟୁଇନସିଟିରେ ଭିଜିଲାନ୍ସର ମିଡ୍ ନାଇଟ୍ ଅପରେସନ। ଅଧରାତିରେ ବାବୁ-ପୋଲିସ୍ ମୂଷା-ବିଲେଇ ଖେଳ। ଆଉ ଶେଷରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ କରିତକର୍ମା ଅଧୀକ୍ଷଣ ଯନ୍ତ୍ରୀ। ନାଁ ପ୍ରସନ୍ନଜିତ୍ ଦାସ। କଟକ ଜଗତପୁର ମହାନଦୀ ନର୍ଦର୍ଣ୍ଣ ଡିଭିଜନର ସୁପରିନଟେଣ୍ଡେଣ୍ଟ ଇଞ୍ଜିନିୟର୍। ଲୁଚକାଳି ଖେଳରେ ଲୁଚିପାରିନଥିବା ଲାଞ୍ଚୁଆ ବାବୁଙ୍କ କାରନାମା । ଗାଡ଼ି ଭିତରେ ଗଦାଗଦା ଗିପ୍ଟ। ସୁନପାମ୍ପୁଡ଼ିଠୁ କାଜୁ କିସମିସ୍। ଦଶହରାରେ ବାବୁଙ୍କୁ ମିଳିଛି ଭଳିକି ଭଳି ଉପହାର। ଖାଲି ଗିଫ୍ଟ ନୁହେଁ, ସରକାରୀ ଗାଡ଼ିରେ ଥାକ ଥାକ କରି ସଜେଇଥିଲେ ବଣ୍ଡଲ୍ ବଣ୍ଡଲ୍ କ୍ୟାସ୍। କେବଳ ଗାଡ଼ି ଭିତରୁ ଭିଜିଲାନ୍ସ ପାଇଛି ନଗଦ ୭ ଲକ୍ଷ ୨୮ ହଜାର ଟଙ୍କା। ଏହାଛଡ଼ା ଏକ ଡାଏରୀ ବି ମିଳିଛି।

ଶୁକ୍ରବାର ମଧ୍ୟାହ୍ନ। ​ଜଗତପୁର ଆଇବିରେ ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଇଥିଲେ ପ୍ରସନ୍ନଜିତ୍। ଯାହାର ଟେର୍ ପହଞ୍ଚିଯାଇଥିଲା ଭିଜିଲାନ୍ସ ପାଖରେ। ବଡ଼ମୁଣ୍ଡକୁ ଧରିବାକୁ ତତ୍କାଳ ଆରମ୍ଭ ହୋଇଥିଲା ଅପରେସନ। ହେଲେ ତଦନ୍ତକାରୀ ଟିମକୁ ଚକମା ଦେବାକୁ ପାଦେ ପାଦେ ପ୍ଲାନ୍ ବଦଳାଉଥିଲେ ଅଧୀକ୍ଷଣ ଯନ୍ତ୍ରୀ। ବାରମ୍ବାର ପରିବର୍ତ୍ତନ କରୁଥିଲେ ଲୋକେସନ୍। ହେଲେ ପ୍ରସନ୍ନଜିତ ଡାଳେ ଡାଳେ ଗଲେ ପତ୍ରେପତ୍ରେ ଜଗିଥିଲା ଭିଜିଲାନ୍ସ। ମୋବାଇଲ୍ ଟ୍ରାକିଂ ଜରିଆରେ ସେ ଡେଲଟା ଆଇବିର ଏକ ଭୋଜିରେ ଥିବା ଜଣାପଡ଼ିଥିଲା। ସେଠାରେ ଦୁଇଜଣ ସାଦା ପୋଷାକଧାରୀ ଭିଜିଲାନ୍ସ ଅଫିସର ନଜର ରଖିଥିଲେ। ​ପାର୍ଟି ଶେଷ କରି ଅନ୍ୟ ଜଣେ ଠିକାଦାରଙ୍କୁ ଭେଟିବାକୁ ଯାଉଥିବା ବେଳେ ଏଜି ଛକ ନିକଟରେ ପ୍ରସନ୍ନଜିତଙ୍କୁ କାବୁ କରିନେଇଥିଲା ଭିଜିଲାନ୍ସ । ରାତି ତମାମ ଚାଲିଥିଲା ଛାନଭିନ। ସେପଟେ ପ୍ରସନ୍ନଜିତଙ୍କ ଘାଟିକିଆ ଫ୍ଲାଟକୁ ଘେରାବନ୍ଦୀ କରି ଜଗିଥିବା ଆଉ ଏକ ଟିମ୍ ମଧ୍ୟ ରେଡ୍ କରିଥିଲା । ଯେଉଁଠୁ ମିଳିଛି ୧୪ ଲକ୍ଷରୁ ଅଧିକ ନଗଦ ଟଙ୍କା। ଗାଡ଼ି ଓ ଘରୁ ମୋଟ ପ୍ରାୟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା କ୍ୟାସ୍ ଜବତ କରି ତଦନ୍ତ ଜାରି ରଖିଛି ଭିଜିଲାନ୍ସ।

୨୦୧୬ରେ ଜଳସଂପଦ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଚାକିରି ଆରମ୍ଭ କରିଥିଲେ ପ୍ରସନ୍ନଜିତ୍। ୨୦୨୨ରେ ପଦୋନ୍ନତି ପାଇ ଗଙ୍ଗାଧର ମେହେର ଉଠା ଜଳସେଚନ ଡିଭିଜନ୍-୧ରେ ନିର୍ବାହୀ ଯନ୍ତ୍ରୀ ଏବଂ ଚଳିତବର୍ଷ କଟକ ମହାନଦୀ ଉତ୍ତର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଭାବେ ବଦଳି ହୋଇଥିଲେ। ଚାକିରି ଆରମ୍ଭ ବେଳେ ଦରମା ଥିଲା ମାତ୍ର ୨୫ ହଜାର। ହେଲେ ମାତ୍ର ୧୦ ବର୍ଷ ଚାକିରିରେ ବାବୁ ଅର୍ଜିଛନ୍ତି କୋଟି କୋଟି ଟଙ୍କାର ସଂପତ୍ତି। ପ୍ରଶ୍ନ ଉଠୁଛି- କେଉଁ କାମ ପାଇଁ କେଉଁ ଠିକାଦାରଙ୍କଠୁ ଲାଞ୍ଚ ନେଇଥିଲେ ପ୍ରସନଜିତ? ଡେଲଟା ଛକ ପାର୍ଟି ପରେ ଆଉ କେଉଁ ଠିକାଦାରଙ୍କୁ ଦେଖା କରିବାକୁ ହୋଇଥିଲା ସେଡ୍ୟୁଲ୍ ? ଦଶହରାରେ ସିରିଜ୍ ଲାଞ୍ଚ ଉଠାଉଥିଲେ କି ? ଏକା ନେଉଥିଲେ ନା ଆଉ କାହାର ଭାଗ ଥିଲା? ଏପଟେ ଜବତ ଡାଏରୀରେ କଣ ଓ କାହା ନାଁ ରହିଛି ତାକୁ ନେଇ ଚର୍ଚ୍ଚା ଜୋର୍। ପ୍ରସନ୍ନଜିତଙ୍କୁ ଗିରଫ କରିବା ସହିତ ଡାଏରୀତୁ ତଦନ୍ତ ପରିସରଭୁକ୍ତ କରି ଛାନଭିନ ଚଳାଇଛି ଭିଜିଲାନ୍ସ ।

ପ୍ରସନ୍ନଜିତଙ୍କ ଗାଡ଼ିରୁ ମିଳିଥିବା ଡ୍ରାଏଫ୍ରୁଟ୍ସ ପ୍ୟାକେଟରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ନାଁ ରହିଛି। ଏପରିକି କିଛି ନେତାଙ୍କ ନାଁରେ ମଧ୍ୟ ଆସିଛି ଗିଫ୍ଟ। ଏଣୁ ଏମାନଙ୍କୁ ବି ତଦନ୍ତ ପରିସରଭୁକ୍ତ କରିବ କି ଭିଜିଲାନ୍ସ? ସେପଟେ ପ୍ରସନ୍ନଜିତଙ୍କ ସଂପତ୍ତି ପେଡ଼ିରୁ ଆଗକୁ କଣ କଣ ବାହାରୁଛି ତାହା ଉପରେ ନଜର । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।