Migrant Worker: ଦାଦନ ଦୁଃଖରେ କାନ୍ଦୁଛି କନ୍ଧମାଳ; ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କ କେରଳରେ ମୃତ୍ୟୁ
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇଥିବା କେରଳ ଯାଇଥିବା ପୁଅର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଛନ୍ତି ଅସହାୟ ବିଧବା ବୃଦ୍ଧା ମାଆ।
ପୁଅର ମୃତଦେହକୁ ନିଜ ଜନ୍ମମାଟିକୁ ଫେରାଇ ଆଣିବା ପାଇଁ ଅର୍ଥାଭାବରେ ଅସହାୟ ହୋଇପଡ଼ିଥିବା ମାଆଙ୍କୁ ଶେଷରେ ସହାୟତାର ହାତ ବଢ଼ାଇଛି ପ୍ରଶାସନ।
ଏଭଳି ହୃଦୟବିଦାରକ ଘଟଣା ଘୁ.ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତର ତରାବାଡ଼ି (କୁଅଁସାହି) ଗ୍ରାମର।
ଗ୍ରାମର ବସନ୍ତ ନାୟକଙ୍କ ପୁଅ ରାଜେଶ ନାୟକ(୪୦) ଜୀବିକା ନିର୍ବାହ ପାଇଁ କେରଳ ଯାଇଥିବାବେଳେ ସେଠାରେ ତାଙ୍କର ଅକାଳ ବିୟୋଗ ଘଟିଛି।
Advertisment ନଭେମ୍ବର ୭ ତାରିଖରେ ପରିବାର ଏହି ଦୁଃଖଦ ଖବର ପାଇଛନ୍ତି।
ବର୍ତ୍ତମାନ ମୃତଦେହ କେରଳର ତ୍ରିଶୁର ମେଡିକାଲ କଲେଜରେ ରହିଛି।
ଆର୍ଥିକ ଅନଟନ ଯୋଗୁଁ ମୃତଦେହକୁ ଗାଁକୁ ଫେରାଇ ଆଣିବା ଅସମ୍ଭବ ହୋଇ ପଡ଼ିଥିବାରୁ ପରିବାର ପକ୍ଷରୁ ସୋସିଆଲ ୱାର୍କର୍ସ ଆସୋସିଏସନ୍ ଅଫ୍ କନ୍ଧମାଳ (ସ୍ୱାକ)ର ସହଯୋଗ ଲୋଡ଼ାଯାଇଥିଲା।
ଏହାପରେ ସ୍ୱାକ ପକ୍ଷରୁ ଜିଲ୍ଲାପାଳଙ୍କୁ ଲିଖିତ ନିବେଦନ କରାଯିବା ସହ ମୃତଦେହ ଫେରାଇ ଆଣିବା ପାଇଁ ନିରନ୍ତର ଉଦ୍ୟମ କରାଯାଇଥିଲା।ସ୍ୱାକ ସଭାପତି ଆମନ ଚନ୍ଦ୍ର ନାୟକଙ୍କ ଅନୁରୋଧ ପରେ କନ୍ଧମାଳ ଜିଲ୍ଲାପାଳ ମୃତଦେହ ପରିବହନ ନିମନ୍ତେ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ଅନୁମୋଦନ କରିଛନ୍ତି।
ଆଜି ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକଙ୍କଠାରୁ ଏହି ସହାୟତା ରାଶିର ଚେକ୍ ଗ୍ରହଣ କରାଯାଇଛି।
Dead: କେରଳରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଜିଲ୍ଲାପାଳଙ୍କ ଏହି ମାନବିକ ପଦକ୍ଷେପ ଅସହାୟ ମାଆଙ୍କୁ କିଛିଟା ଆଶ୍ୱାସନା ଦେଇଛି।
ତେବେ ଏହି ଘଟଣା ପୁଣିଥରେ କନ୍ଧମାଳର ଦାଦନ ସମସ୍ୟାର ଭୟାବହତାକୁ ସାମ୍ନାକୁ ଆଣିଛି।
ଗତ ୧୦୫ ଦିନ ମଧ୍ୟରେ ଜିଲ୍ଲାର ୨୨ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଚିନ୍ତାର ବିଷୟ ପାଲଟିଛି।
ରୋଜଗାର ଅଭାବରୁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ସୁରକ୍ଷା ସହ ଜିଲ୍ଲାରେ ସ୍ଥାୟୀ ରୋଜଗାର ସୃଷ୍ଟି ପାଇଁ ସରକାର ଠୋସ୍ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।
ଚେକ୍ ଗ୍ରହଣ ସମୟରେ ସ୍ୱାକର ସମ୍ପାଦକ ହୃଷୀକେଶ ପ୍ରଧାନ, ସଦସ୍ୟ ଅମରେନ୍ଦ୍ର ନାୟକ ଏବଂ ମୃତକଙ୍କ ପରିବାର ପକ୍ଷରୁ ପ୍ରକାଶ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।