Mineral Fund Loot-12: ଖଣିଜ ପାଣ୍ଠି ଲୁଟ୍-୧୨: ବୋହି ନେଇଛନ୍ତି ପାଣ୍ଠି, ୨୦ ମାସରେ ୨.୩୨ କୋଟିର ଡେଭିଏସନ୍
ଯାଜପୁର: ଯାଜପୁର ଜିଲ୍ଲାରେ ଖଣିଜ ପାଣ୍ଠିକୁ ବୋହି ନିଆଯାଇଛି। ଏହାକୁ କିଭଳି ଶୀଘ୍ର ଖର୍ଚ୍ଚ କରି ସାରିଦିଆଯିବ ସେ ନେଇ ଷଡ଼ଯନ୍ତ୍ର ହୋଇଥିଲା। ଯେଉଁ ପ୍ରକଳ୍ପ ପାଇଁ ଶହଶହ କୋଟିର ସରକାରୀ ଅନୁଦାନ ମିଳିଥିଲା ସେ ସବୁ ପ୍ରକଳ୍ପରେ ଖଣିଜ ପାଣ୍ଠିକୁ ମଧ୍ୟ ଖର୍ଚ୍ଚ କରାଯାଇଛି। ଏପରିକି ମେଡିକାଲ କଲେଜ ନିର୍ମାଣ ଓ ଏହାର ଆନୁଷଙ୍ଗିକ ଭିତ୍ତିଭୂମି ବିକାଶରେ ଶହଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପରିବର୍ତ୍ତେ ଜିଲ୍ଲାର ପ୍ରଭାବଶାଳୀ ନେତା ଏହାକୁ ନିଜ ନିର୍ବାଚନମଣ୍ଡଳୀରେ ଖର୍ଚ୍ଚ କରି ବିକାଶର ବାନା ଉଡ଼ାଉଥିବାବେଳେ ଅସଲରେ ଏହି ଅର୍ଥ ସବୁ ଖଣିଜ ପାଣ୍ଠିରୁ ଖର୍ଚ୍ଚ କରାଯାଇଛି। ଏହି କ୍ଷେତ୍ରରେ ଖଣିଜ ପାଣ୍ଠି ଅନୁଦାନ ବିନିଯୋଗ ନିୟମାବଳୀର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି।
S Jaishankar: ୟୁଏନ୍ଜିଏରେ ଭାରତୀୟ ଦଳର ନେତୃତ୍ୱ ନେବେ ଜୟଶଙ୍କର
ଜିଲ୍ଲା ପ୍ରଶାସନ ସ୍ଥାନୀୟ ଖଣି ପ୍ରଭାବିତ ଅଞ୍ଚଳର ଆଦିବାସୀ ଓ ଶୋଷିତ ଲୋକଙ୍କୁ ସମ୍ପୂର୍ଣ୍ଣ ଉପେକ୍ଷା କରି ଯାଜପୁର ସଦର ମହକୁମାରେ ସବୁ ଅର୍ଥ ମନମୁଖି ବ୍ୟୟ କରୁଥିବା ତଥ୍ୟ ‘ସମ୍ବାଦ’ରେ ଲଗାତର ପ୍ରକାଶ ପାଇଆସୁଛି। ଏବେ ପୁଣି ଆଉ ଏକ ରୋଚକ ତଥ୍ୟ ସାମନାକୁ ଆସିଛି। ଯାଜପୁର ମେଡିକାଲ କଲେଜ ପାଇଁ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରିବାକୁ ୨୨ କୋଟି ୯୩ ଲକ୍ଷ ଟଙ୍କା ଖଣିଜ ପାଣ୍ଠିରୁ ବ୍ୟୟ କରାଯାଇଛି। ମେଡିକାଲ କଲେଜ ନିର୍ମାଣରେ ୫୨୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ ଚତୁରତାର ସହିତ କ୍ରୀଡ଼ା ଭିତ୍ତିଭୂମିକୁ ଏଥିରେ ଅନ୍ତର୍ଭୁକ୍ତ କରାନଯାଇ ଖଣିଜ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ଏହାକୁ ଲୁଟ୍ କରାଯାଇଛି। ଏପରିକି ୨୦ମାସ ଭିତରେ ପ୍ରକଳ୍ପର ମଞ୍ଜୁରି ମୂଲ୍ୟକୁ ପୁଣି ୨ କୋଟି ୩୨ ଲକ୍ଷ ଟଙ୍କା (ଡେଭିଏସନ୍) କରାଯାଇଛି। ପ୍ରଶାସନିକ କାର୍ଯ୍ୟଶୈଳୀ ଉପରେ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହାର ତଦନ୍ତ କରାଯାଉନଥିବାରୁ ୨ ହଜାର କୋଟିର ଏହି ମହାଲୁଟ୍ ବର୍ତ୍ତମାନ ଚପିଯିବାକୁ ବସିଛି।
ମେଡିକାଲ କଲେଜ ନିର୍ମାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାରମ୍ଭିକ ଭାବେ ୩୨୬ କୋଟି ୬୮ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇଥିଲା।
ହେଲେ ଏହି ବ୍ୟୟ ଅଟକଳ ପରବର୍ତ୍ତୀ ସମୟରେ ୧୯୯ କୋଟି ୫୩ ଲକ୍ଷ ଟଙ୍କା ବୃଦ୍ଧି ପାଇ (ଡେଭିଏସନ୍) ହୋଇ ଶେଷରେ ୫୨୬ କୋଟି ୨୧ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ତେବେ ମେଡିକାଲ କଲେଜ ନିର୍ମାଣର ମୂଳ ଅଟକଳ ବ୍ୟୟରେ ଏହି କ୍ରୀଡ଼ା ଭିତ୍ତିଭୂମିକୁ ଅନ୍ତର୍ଭୁକ୍ତ କରାଯାଇନଥିଲା। ଅଟକଳଠାରୁ ୧୯୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଅଧିକ ଖର୍ଚ୍ଚ ହେବା ପରେ ପୁଣି କେନ୍ଦ୍ରୀୟ ସଂସ୍ଥା ଏନ୍ବିସିସି ଦ୍ୱାରା କ୍ରୀଡ଼ା ପ୍ରକଳ୍ପ କାର୍ଯ୍ୟ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ଜିଲ୍ଲା ଖଣିଜ ପାଣ୍ଠିରୁ ୨୨.୯୩ କୋଟି ଟଙ୍କା ଦେଇ ଅର୍ଥ ହରିଲୁଟ୍ ପାଇଁ ଜିଲ୍ଲା ପ୍ରଶାସନର ଏହା ଏକ ସୁଚିନ୍ତିତ ଯୋଜନା ଥିଲା ବୋଲି ଅଭିଯୋଗ ହୋଇଛି।
War: ଯୁଦ୍ଧ ସମାପ୍ତ ପାଇଁ ୭ ସର୍ତ୍ତ ରଖିଲା ଇରାନ, ସର୍ତ୍ତ ଅଗ୍ରାହ୍ୟ ହେଲେ ନିର୍ଣ୍ଣାୟକ ଯୁଦ୍ଧ ଚେତାବନୀ
ଏହା ପୂର୍ବରୁ ମଧ୍ୟ ୨୦୨୦-୨୧ରେ ନୂତନ ମେଡିକାଲ କଲେଜର ଜମି ଅଧିଗ୍ରହଣ ଓ ଜମି ସମତୁଲ କରିବା ନାଁରେ ଖଣିଜ ପାଣ୍ଠିରୁ ୪୩ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବାର ତଥ୍ୟ ପଦାକୁ ଆସିଥିଲା। ସାରା ରାଜ୍ୟରେ ଅନ୍ୟ ସମସ୍ତ ମେଡିକାଲ କଲେଜ ନିର୍ମାଣ ମଞ୍ଜୁରିପ୍ରାପ୍ତ ଅଟକଳ ଅର୍ଥରେ ସମ୍ପୂର୍ଣ୍ଣ ହୋଇଥିବାବେଳେ କେବଳ ଯାଜପୁରରେ ଜିଲ୍ଲା ଖଣିଜ ପାଣ୍ଠିରୁ କୋଟି କୋଟି ଟଙ୍କା ବୋହି ନେଇଛନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ନୂତନ ମେଡିକାଲ କଲେଜର କ୍ରୀଡ଼ା ପ୍ରକଳ୍ପ ପାଇଁ ୯ ଜୁନ୍ ୨୦୨୩ରେ ୨୦ କୋଟି ୬୧ ଲକ୍ଷ ଟଙ୍କା ଥିଲା। ୨୮ ଫେବ୍ରୁଆରି ୨୦୨୫ ସୂଚନାରେ ଏହି ପ୍ରକଳ୍ପ ମୂଲ୍ୟ ବୃଦ୍ଧି ପାଇ ୨୨ କୋଟି ୯୩ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ମାତ୍ର ୨୦ ମାସ ଭିତରେ କାହା ସ୍ୱାର୍ଥରେ ଏହି ପ୍ରକଳ୍ପ ମୂଲ୍ୟକୁ ୨ କୋଟି ୩୨ ଲକ୍ଷ ଟଙ୍କା ବୃଦ୍ଧି କରାଗଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଖଣି ଅଞ୍ଚଳର ମୌଳିକ ସମସ୍ୟା ପାନୀୟଜଳ, ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ବଦଳରେ ଯାଜପୁର ସଦର ମହକୁମାରେ ଆଇନର ଗଳା ବାଟରେ ଶିକ୍ଷା ନାମରେ କ୍ରୀଡ଼ା ପ୍ରକଳ୍ପ ଜରିଆରେ ଖଣିଜ ପାଣ୍ଠିର ହରିଲୁଟ୍ର ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।