28 OCTOBER 2026

Welcome!

Unlock your personalized experience.
Sign Up

MLC Election: ୪ ରାଜ୍ୟରେ ୨୮ ଏମ୍‌ଏଲ୍‌ସି ଆସନରେ କଂଗ୍ରେସ ହାତ ଖାଲି

Oct 28, 2026 - 19:31
MLC Election: ୪ ରାଜ୍ୟରେ ୨୮ ଏମ୍‌ଏଲ୍‌ସି ଆସନରେ କଂଗ୍ରେସ ହାତ ଖାଲି

ବେଙ୍ଗାଲୁରୁ: ଦେଶର ଚାରିଟି ରାଜ୍ୟରେ ବିଧାନ ପରିଷଦ (ଏମ୍‌ଏଲ୍‌ସି)ର ୨୮ଟି ଆସନ ପାଇଁ ହୋଇଥିବା ଦ୍ୱିବାର୍ଷିକ ନିର୍ବାଚନରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଦଳ ଗୋଟିଏ ହେଲେ ଆସନ ଜିତିପାରିନାହିଁ। ବିଶେଷକରି କର୍ଣ୍ଣାଟକରେ କ୍ଷମତାସୀନ କଂଗ୍ରେସକୁ ସବୁ ଆସନରେ ହରାଇ ବିଜେପି ଓ ଜେଡିଏସ୍‌ ମେଣ୍ଟ ବଡ଼ ସଫଳତା ହାସଲ କରିଛି। ଏହା ରାଜ୍ୟରେ କଂଗ୍ରେସର ସାଂଗଠନିକ ଶକ୍ତି ଓ ଶିକ୍ଷିତ ଭୋଟରଙ୍କ ମଧ୍ୟରେ ଦଳର ସମର୍ଥନକୁ ନେଇ ପ୍ରଶ୍ନ ଉଠାଇଛି।

କର୍ଣ୍ଣାଟକରେ ଅକ୍ଟୋବର ୨୩ରେ ମତଦାନ ହୋଇଥିବାବେଳେ ଗତକାଲି ଗଣତି ହୋଇଥିଲା ଏବଂ ଆଜି ଅଧିକାଂଶ ଫଳାଫଳ ସାମ୍ନାକୁ ଆସିଛି। ଆଉ କିଛି ଗଣତି ଏବେ ବି ଚାଲିଛି। ଏହି ନିର୍ବାଚନରେ ଶିକ୍ଷକ ଓ ସ୍ନାତକ ଭୋଟରମାନେ ମତଦାନ କରିଥିଲେ। ରାଜ୍ୟରେ ବିଜେପି ତିନୋଟି ଆସନ ଜିତିଥିବାବେଳେ ଏହାର ସହଯୋଗୀ ଜେଡିଏସ୍‌ ଗୋଟିଏ ଆସନ ହାତେଇଛି। କର୍ଣ୍ଣାଟକର ବେଙ୍ଗାଲୁରୁ ଶିକ୍ଷକ ନିର୍ବାଚନମଣ୍ଡଳୀରେ ଜେଡିଏସ୍‌ ପ୍ରାର୍ଥୀ ଏପି ରଙ୍ଗନାଥ କଂଗ୍ରେସର ବର୍ତ୍ତମାନର ବିଧାନ ପରିଷଦ ସଦସ୍ୟ ପୁଟ୍ଟନ୍ନାଙ୍କୁ ୯୦୮ ଭୋଟ୍‌ରେ ପରାସ୍ତ କରିଛନ୍ତି। ରଙ୍ଗନାଥ ୧୦,୮୧୦ ଭୋଟ୍‌ ପାଇଥିବାବେଳେ ପୁଟ୍ଟନ୍ନା ୯,୯୦୨ ଭୋଟ୍‌ ପାଇଛନ୍ତି। ଏହି ଆସନ ପୂର୍ବରୁ କଂଗ୍ରେସ ଦଖଲରେ ଥିଲା। ତେଣୁ ଏହା ଦଳ ପାଇଁ ବିଶେଷ କ୍ଷତି ଭାବେ ଦେଖାଯାଉଛି।

ବିଜେପି କର୍ଣ୍ଣାଟକର ଉତ୍ତର-ପୂର୍ବ ଶିକ୍ଷକ, ପଶ୍ଚିମ ସ୍ନାତକ ଓ ଦକ୍ଷିଣ-ପୂର୍ବ ସ୍ନାତକ ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଛି। ଉତ୍ତର-ପୂର୍ବ ଶିକ୍ଷକ ଆସନରେ ଶଶିଲ୍‌ ଜି. ନାମୋଶି, ପଶ୍ଚିମ ସ୍ନାତକ ଆସନରେ ଏସ୍‌ଭି ସଙ୍କନୁର ଓ ଦକ୍ଷିଣ-ପୂର୍ବ ସ୍ନାତକ ଆସନରେ କେଏମ୍‌ ସୁରେଶ ବିଜୟୀ ହୋଇଛନ୍ତି। ଉତ୍ତର-ପୂର୍ବ ଶିକ୍ଷକ ଆସନ ଅନ୍ତର୍ଗତ ଅଞ୍ଚଳରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ନିଜ ଅଞ୍ଚଳ କଲବୁର୍ଗୀ ମଧ୍ୟ ରହିଛି। ରାଜ୍ୟରେ ଏହି ପରାଜୟ କଂଗ୍ରେସ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ପାଇଁ ମଧ୍ୟ ଏକ ରାଜନୈତିକ ଝଟ୍‌କା। ନିର୍ବାଚନକୁ ଗୁରୁତ୍ୱ ଦେଇ ମନ୍ତ୍ରୀମାନଙ୍କୁ ପ୍ରଚାରରେ ନିୟୋଜିତ କରାଯାଇଥିଲା। ତଥାପି ଦଳ ସଫଳ ହୋଇନାହିଁ। ଅନ୍ୟପକ୍ଷରେ ଜେଡିଏସ୍‌ ନେତା ତଥା କେନ୍ଦ୍ରମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଏହି ବିଜୟକୁ ୨୦୨୮ ବିଧାନସଭା ନିର୍ବାଚନ ପାଇଁ ମେଣ୍ଟର ଶକ୍ତିବୃଦ୍ଧିର ସଙ୍କେତ ଭାବେ ଦର୍ଶାଇଛନ୍ତି।

ଉତ୍ତରପ୍ରଦେଶରେ ୧୧ଟି ଆସନ ମଧ୍ୟରୁ ବିଜେପି ୪ଟି ଓ ସମାଜବାଦୀ ପାର୍ଟି ୨ଟି ଆସନ ଜିତିଛନ୍ତି। ମିରଟ, ବରେଲି-ମୁରାଦାବାଦ ଓ ଲକ୍ଷ୍ନୌ ଶିକ୍ଷକ ଆସନ ସହ ମିରଟର ଶିକ୍ଷକ ଓ ସ୍ନାତକ ଆସନରେ ବିଜେପିର ସଫଳତା ଦଳର ସ୍ଥିତିକୁ ମଜଭୁତ କରିଛି। ବାରାଣସୀ ଓ ଆଗ୍ରା-ଆଲିଗଡ଼ ଶିକ୍ଷକ ଆସନରେ ସମାଜବାଦୀ ପାର୍ଟି ବିଜୟୀ ହୋଇଛି।

'fake AI video': ଭ୍ରାମକ ଭିଡିଓ ପ୍ରସାରଣ ନେଇ କଂଗ୍ରେସ କ୍ଷମା ମାଗିବାକୁ ଦାବି କଲା ବିଜେପି

ବିହାରର ୮ଟି ଆସନ ପାଇଁ ଭୋଟ୍‌ ଗଣତିରେ ରାଷ୍ଟ୍ରୀୟ ଜନତା ଦଳ, ବିଜେପି, ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ଓ ଜଣେ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ଆସନ ଜିତିଥିବାବେଳେ ଅନ୍ୟ ଆସନଗୁଡ଼ିକର ଗଣତି ଜାରି ରହିଥିଲା। ଦରଭଙ୍ଗାରେ ଜନ ସୁରାଜର ବିଜୟ ଦଳ ପାଇଁ ପ୍ରଥମ ବିଧାନ ପରିଷଦ ସଫଳତା ହୋଇଛି। ଏହି ଆସନରେ କଂଗ୍ରେସର ବର୍ତ୍ତମାନର ସଦସ୍ୟ ମଦନ ମୋହନ ଝା ପରାସ୍ତ ହୋଇଛନ୍ତି। ମହାରାଷ୍ଟ୍ରର ୫ଟି ଆସନରେ ମଧ୍ୟ ଗଣତି ଚାଲିଥିଲା।

ଏହି ନିର୍ବାଚନରେ ଶିକ୍ଷକ ଓ ପଞ୍ଜୀକୃତ ସ୍ନାତକମାନେ ଭୋଟ୍‌ ଦେଇଥାନ୍ତି। ତେଣୁ ଏହାକୁ ସମଗ୍ର ରାଜ୍ୟ ଜନମତର ପ୍ରତିଫଳନ ବୋଲି କୁହାଯାଇପାରିବ ନାହିଁ। ତଥାପି ଚାରିଟି ରାଜ୍ୟରେ ଗୋଟିଏ ହେଲେ ଆସନ ନ ଜିତିବା କଂଗ୍ରେସ ପାଇଁ ଚିନ୍ତାର କାରଣ ହୋଇଛି। ବିଶେଷକରି କ୍ଷମତାରେ ଥିବା କର୍ଣ୍ଣାଟକରେ ସମସ୍ତ ଚାରିଟି ଆସନ ହରାଇବା ଦଳର ସାଂଗଠନିକ ଦୁର୍ବଳତାକୁ ସାମ୍ନାକୁ ଆଣିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।