MMDR Bill Debate Intensifies: ଏମ୍ଏମ୍ଡିଆର ସଂଶୋଧନ ବିଲ୍ ରାଜନୀତି: କିଏ ସାଉଁଟିବ ରାଜନୈତିକ ସମ୍ପଦ - ବିଜେପି, ବିଜେଡ଼ି ନା କଂଗ୍ରେସ?
ରାଜନୀତିରେ ପ୍ରସଙ୍ଗ ଏକ ବଡ଼ ଅସ୍ତ୍ର । ଏହି ଅସ୍ତ୍ର ପ୍ରୟୋଗ କରି ରାଜନୈତିକ ଦଳମାନେ ମତଦାତାମାନଙ୍କ ମଧ୍ୟରେ ବା ନିଜର ଭୋଟ୍ ବ୍ୟାଙ୍କ ଓଜନ ବା ଷ୍ଟେକ୍ ବଢାଇଥାନ୍ତି । ବର୍ତ୍ତମାନ ଓଡ଼ିଶା ରାଜନୀତିରେ ଯେଉଁ ପ୍ରସଙ୍ଗ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଯଥା ଶାସକ ଭାରତୀୟ ଜନତା ପାର୍ଟି, ବିରୋଧୀ ବିଜୁ ଜନତା ଦଳ ଓ କଂଗ୍ରେସ ନିଜର ପତିଆରା ବୃଦ୍ଧି କରିବାକୁ ଚାହୁଁଛନ୍ତି ତାହା ହେଲା ନିକଟରେ ପାର୍ଲାମେଣ୍ଟରେ ପାରିତ ହୋଇଥିବା ଖଣି ଓ ଖଣିଜ ସମ୍ପଦ (ବିକାଶ ଓ ନିୟନ୍ତ୍ରଣ ସଂଶୋଧନ) ବିଲ୍ – ୨୦୨୬ ।
ଖଣି ଓ ଖଣିଜ ସମ୍ପଦ (ବିକାଶ ଓ ନିୟନ୍ତ୍ରଣ) ବିଲ୍ – ୨୦୨୬ ବିଲ୍କୁ ଇଂରାଜୀରେ ମାଇନ୍ସ ଓ ମିନେରାଲ୍ସ (ଡେଭେଲପ୍ମେଣ୍ଟ ଓ ରେଗୁଲେସନ) ବିଲ୍ -୨୦୨୬ ବା ସଂକ୍ଷେପରେ ଏମ୍ଏମ୍ଡିଆର (ସଂଶୋଧନ) ବିଲ୍, ୨୦୨୬ କୁହାଯାଉଛି । ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ ବା ବିଜେଡ଼ିର ମୁଖିଆ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ ଏହି ବିଲ୍ ସଂଶୋଧନ ଦ୍ୱାରା ଓଡ଼ିଶା ବ୍ୟାପକ ପରିମାଣରେ କ୍ଷତିଗ୍ରସ୍ତ ହେବ ବୋଲି କହିଛନ୍ତି । ତାଙ୍କ ହିସାବ ଅନୁସାରେ ରାଜ୍ୟ ବାର୍ଷିକ ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ରାଜସ୍ୱ ହରାଇବ । ଏହି ବିଲ୍ ପାରିତ ହେବା ବେଳେ ବିଜେପିର ୨୦ ସାଂସଦ ଲୋକସଭାରେ ନୀରବ ରହିବାକୁ ସେ ସମାଲୋଚନା କରିଛନ୍ତି । ଏହା ବ୍ୟତୀତ ଏ ନେଇ ସେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ଦାବି ଜଣାଇଛନ୍ତି ।
ରାଜ୍ୟର ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ମଧ୍ୟ ଏହି ବିଲ୍ ନେଇ ନିଜର ବିରୋଧାଭାସ ପ୍ରକାଶ କରିଛି । ଏହି ସଂଶୋଧନ ବିଲ୍ର ନୂତନ ବ୍ୟବସ୍ଥାକୁ ପ୍ରତ୍ୟାହାର ନକରାଗଲେ, ଦଳ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଘୋଷଣା କରିଛନ୍ତି ।
ଏ କଥା ଅନସ୍ୱୀକାର୍ଯ୍ୟ ଯେ ଖଣିଜ ସମ୍ପଦ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ। ଲୁହାପଥର, କୋଇଲା, ବକ୍ସାଇଟରୁ ଆରମ୍ଭ କରି ବିଭିନ୍ନ ଖଣିଜ ସମ୍ପଦ ରାଜ୍ୟର ଶିଳ୍ପ, ରାଜସ୍ୱ, ନିଯୁକ୍ତି ଓ ଭିତ୍ତିଭୂମି ବିକାଶ ସହ ଗଭୀର ଭାବେ ଜଡ଼ିତ। ତେଣୁ ଖଣି ଓ ଖଣିଜ ସମ୍ପଦ ସମ୍ପର୍କିତ ଯେ କୌଣସି କେନ୍ଦ୍ରୀୟ ଆଇନର ପରିବର୍ତ୍ତନ ଓଡ଼ିଶାରେ ରାଜନୈତିକ ତର୍କର ବିଷୟ ହେବା ସ୍ୱାଭାବିକ।
ଏମ୍ଏମ୍ଡିଆର (ସଂଶୋଧନ) ବିଲ୍, ୨୦୨୬ କୁ ନେଇ ଏବେ ଠିକ୍ ସେହି ପରିସ୍ଥିତି ସୃଷ୍ଟି ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ବିଲ୍କୁ ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି ପ୍ରଶ୍ନ ଉଠାଇଥିବା ବେଳେ ଭାରତୀୟ ଜନତା ପାର୍ଟି ରାଜ୍ୟ ଶାଖା ଏହାର କଡ଼ା ପ୍ରତିବାଦ କରିଛନ୍ତି। ଉଭୟ ପକ୍ଷର ଯୁକ୍ତିକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ—ଏହା କେବଳ ଏକ ଖଣି ଆଇନର ସଂଶୋଧନ ନୁହେଁ; ଏହା ଓଡ଼ିଶାର ଖଣିଜ ରାଜସ୍ୱ ଓ ରାଜ୍ୟର ଅଧିକାରକୁ ନେଇ ବଡ଼ ପ୍ରଶ୍ନ।
ବିଜେପି ଯୁକ୍ତିର ମୁଖ୍ୟ ଆଧାର ହେଉଛି ଖଣି ରାଜସ୍ୱର ବୃଦ୍ଧି। ଦଳର କହିବା ଅନୁସାରେ, ୨୦୧୪ ପୂର୍ବରୁ ଓଡ଼ିଶାର ଖଣି ରାଜସ୍ୱ ପ୍ରାୟ ୫ ହଜାର କୋଟି ଟଙ୍କା ସୀମାରେ ଥିଲା। ପରବର୍ତ୍ତୀ ସମୟରେ ଖଣି ନିଲାମରେ ସ୍ୱଚ୍ଛତା, ରୟାଲଟି ଓ ଜିଲ୍ଲା ଖଣିଜ ପାଣ୍ଡି ବା ଡିଏମ୍ଫ୍ ପରି ବ୍ୟବସ୍ଥା ଆସିବା ପରେ ରାଜ୍ୟର ଖଣିଜ ଆୟ ବହୁଗୁଣିତ ହୋଇଛି। ତାଙ୍କ ଦାବି ଅନୁସାରେ ଏବେ ଏହା ପ୍ରାୟ ୫୦ହଜାର କୋଟି ଟଙ୍କା ସ୍ତରରେ ପହଞ୍ଚିଛି ।
ଏଠାରେ ମୂଳ ପ୍ରଶ୍ନଟି ହେଉଛି— ଏହି ୫ହଜାର କୋଟି ଟଙ୍କା ରାଜସ୍ୱ ଆୟର ବୃଦ୍ଧି ୫୦ହଜାର କୋଟିରେ ପହଞ୍ଚିବାର ଶ୍ରେୟ କେବଳ କେନ୍ଦ୍ରୀୟ ଖଣି ସଂସ୍କାରକୁ ଦିଆଯିବ କି, ନା ଖଣିଜ ଉତ୍ପାଦନ ବୃଦ୍ଧି, ବଜାର ଦର, ରପ୍ତାନି, ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଓ ନିଲାମ ପ୍ରକ୍ରିୟା ସମେତ ଅନେକ କାରକ ଏଥିପାଇଁ ଦାୟୀ? ଏହାର ଏକ ନିରପେକ୍ଷ ମୂଲ୍ୟାୟନ ଆବଶ୍ୟକ।
ଅନ୍ୟପକ୍ଷରେ, ବିଜେଡିର ମୁଖ୍ୟ ଚିନ୍ତା ହେଉଛି ରାଜ୍ୟର ଖଣିଜ ସମ୍ପଦ ଉପରେ ଆର୍ଥିକ ଅଧିକାର। ଏହି ଆଶଙ୍କାକୁ କେବଳ ରାଜନୈତିକ ଅପପ୍ରଚାର ବୋଲି ଅଣଦେଖା କରିଦେବା ମଧ୍ୟ ଠିକ୍ ହେବ ନାହିଁ। କାରଣ ଓଡ଼ିଶାର ଖଣିଜ ସମ୍ପଦ ଏହାର ଭୌଗୋଳିକ ସମ୍ପତ୍ତି ମାତ୍ର ନୁହେଁ, ଏହା ରାଜ୍ୟର ଆର୍ଥିକ ସ୍ୱାବଲମ୍ବନର ଏକ ବଡ଼ ଆଧାର।
ତେଣୁ ନୂଆ ବିଲ୍ ରାଜ୍ୟର ରୟାଲଟି, ନିଲାମ ପ୍ରିମିୟମ୍ ଓ ଡିଏମ୍ଫ ଆଦିରୁ ଆସୁଥିବା ଅର୍ଥରେ ବାସ୍ତବରେ କେତେ ପ୍ରଭାବ ପଡ଼ିବ, ଏହା ସବୁଠାରୁ ଅଧିକ ସ୍ପଷ୍ଟ ହେବା ଦରକାର। ବିଜେପି କହିଛି ନୂତନ ବ୍ୟବସ୍ଥା ଦ୍ୱାରା ରାଜସ୍ୱ କୌଣସି ଭାବରେ ହ୍ରାସ ପାଇବ ନାହିଁ । ଯଦି ଏହି ରାଜସ୍ୱରେ କୌଣସି ହ୍ରାସ ହେଉନାହିଁ, ତେବେ ବିଲ୍କୁ ରାଜ୍ୟ ବିରୋଧୀ ବୋଲି କହିବାର ଯୁକ୍ତି ନିହାତି ନିରାଧାର। ଆଉ ଯଦି ଭବିଷ୍ୟତରେ ରାଜ୍ୟର ଆୟ କିମ୍ବା ନୀତି ନିର୍ଦ୍ଧାରଣ କ୍ଷମତା କମିବାର ଆଶଙ୍କା ଥାଏ, ତେବେ ରାଜ୍ୟ ସରକାର ଓ ବିରୋଧୀଙ୍କ ପକ୍ଷରୁ ସେହି ଆଶଙ୍କାକୁ ତଥ୍ୟ ସହ ପ୍ରକାଶ କରିବା ଆବଶ୍ୟକ।
ଏହି ବିତର୍କର ଆଉ ଏକ ଦିଗ ରହିଛି। ଓଡ଼ିଶା ଦୀର୍ଘଦିନ ଧରି ଖଣିଜ ସମ୍ପଦର ଅତ୍ୟଧିକ ଶୋଷଣ ଓ ତାହାର ଲାଭର ନ୍ୟାୟସଙ୍ଗତ ବଣ୍ଟନକୁ ନେଇ ପ୍ରଶ୍ନ ସାମ୍ନା କରିଆସୁଛି। ଖଣି ଥିବା ଜିଲ୍ଲାଗୁଡ଼ିକରେ ଆଜି ମଧ୍ୟ ପୌଷ୍ଟିକତା, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଓ ପରିବେଶ ସୁରକ୍ଷା ଭଳି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ। ଡିଏମ୍ଏଫରେ ହଜାର ହଜାର କୋଟି ଟଙ୍କା ଜମା ହୋଇଥିଲେ ମଧ୍ୟ ଖଣି ପ୍ରଭାବିତ ଅଞ୍ଚଳର ଲୋକେ ତାହାର ସୁଫଳ କେତେ ପାଇଛନ୍ତି, ସେ ପ୍ରଶ୍ନର ମଧ୍ୟ ଉତ୍ତର ଆବଶ୍ୟକ।
ଖଣି ରାଜସ୍ୱ ବଢ଼ିବା ନିଶ୍ଚିତ ଭାବେ ଓଡ଼ିଶା ପାଇଁ ଭଲ ଖବର। କିନ୍ତୁ ରାଜସ୍ୱର ପରିମାଣ ହିଁ ସବୁକିଛି ନୁହେଁ। ଏହି ଟଙ୍କା ଖଣି ପ୍ରଭାବିତ ଲୋକଙ୍କ ଜୀବନମାନ ବଦଳାଉଛି କି, ଖଣି ଅଚଂଳର ପରିବେଶ ସୁରକ୍ଷିତ ରହୁଛି କି ଏବଂ ଖଣିଜ ସମ୍ପଦରୁ ମିଳୁଥିବା ଲାଭର ଏକ ନ୍ୟାୟସଙ୍ଗତ ଅଂଶ ସ୍ଥାନୀୟ ଲୋକଙ୍କ ପାଖକୁ ପହଞ୍ଚୁଛି କି—ଏହି ପ୍ରଶ୍ନଗୁଡ଼ିକ ମଧ୍ୟ ସମାନ ଗୁରୁତ୍ୱ ବହନ କରୁଛି।
ଶାସକ ବିଜେପି ଓ ନବୀନଙ୍କ ପରସ୍ପର ଅଭିଯୋଗ-ପ୍ରତ୍ୟାରୋପ ମଧ୍ୟରେ ଓଡ଼ିଶାବାସୀଙ୍କ ଜାଣିବାର ଅଧିକାର ହେଉଛି—ନୂଆ ବିଲ୍ର ଦୀର୍ଘମିଆଦୀ ପ୍ରଭାବ କ’ଣ ହେବ?
ଏମ୍ଏମ୍ଡିଆ ବିଲ୍ ସଂଶୋଧନ ନେଇ ବିଜୁ ଜନତା ଦଳର ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଆହ୍ୱାନକୁ ରାଜ୍ୟ ସରକାର ଅଗ୍ରାହ୍ୟ କରିସାରିଛନ୍ତି । ଏବେ ଦେଖିବାର କଥା ବିରୋଧୀ ଦଳମାନେ ଏହି ଲଢ଼େଇ କେତେ ପର୍ଯ୍ୟନ୍ତ ଉଭୟ ଦଳ ଲଢ଼ିପାରୁଛନ୍ତି ଏବଂ ଓଡ଼ିଶାର ସ୍ୱାର୍ଥ ଏହାଦ୍ୱାରା କେତେ ଅଧିକ ସୁରକ୍ଷିତ ହୋଇପାରୁଛି ।
ବିଶେଷଜ୍ଞମାନଙ୍କ ମତରେ ଏମ୍ଏମ୍ଡ଼ିଆର ବିବାଦ ଏବଂ ଏହାକୁ ନେଇ ଉଠୁଥିବା ସମସ୍ତ ପ୍ରଶ୍ନର ଉତ୍ତର ରାଜନୈତିକ ଭାଷଣରେ ନୁହେଁ, ତଥ୍ୟରେ ମିଳିବା ଦରକାର। କେନ୍ଦ୍ର ଓ ରାଜ୍ୟ—ଉଭୟଙ୍କୁ ସ୍ପଷ୍ଟ ହିସାବ ଦେବାକୁ ହେବ ଯେ ଏହାଦ୍ୱାରା ଓଡ଼ିଶା ସମେତ ଅନ୍ୟ ଖଣିଜ ସମ୍ପଦଭରା ରାଜ୍ୟମାନଙ୍କର ସ୍ୱାର୍ଥ କେତେ ପରିମାଣରେ ସାଧିତ ହୋଇପାରିବ। ଖଣିଜ ସମ୍ପଦ ଓଡ଼ିଶାର; ଏହାର ଲାଭ ଓଡ଼ିଶାର ଲୋକଙ୍କ ପାଖକୁ କେତେ ଯାଉଛି, ସେହି ମାପକାଠିରେ ହିଁ ଯେ କୌଣସି ଖଣି ସଂସ୍କାରକୁ ମୂଲ୍ୟାୟନ କରାଯିବା ଉଚିତ।
ପ୍ରସଙ୍ଗ ନେଇ ରାଜନୀତି ହେବ । ସରକାର ଆସିବ ଏବଂ ଯିବ । ସେହିପରି ଓଡ଼ିଶାର ଖଣିଜ ସମ୍ପଦ ଚିରସ୍ଥାୟୀ ନୁହେଁ। ତେଣୁ ଆଜିର ବିତର୍କର ମୂଳ ପ୍ରଶ୍ନ ହେବା ଉଚିତ—ଖଣିରୁ ଆଜି କେତେ ରାଜସ୍ୱ ଆସୁଛି ନୁହେଁ, ଏହି ସମ୍ପଦରୁ ଓଡ଼ିଶାର ଆଗାମୀ ପିଢ଼ି କ’ଣ ପାଇବେ?
ବି.ଦ୍ର. - ଏହା ଲେଖକଙ୍କ ନିଜସ୍ୱ ମତ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।