MMDR law: ଏମ୍ଏମ୍ଡିଆର୍ ଆଇନ ଓଡ଼ିଶା ବିରୋଧୀ, ଗ୍ରହଣୀୟ ନୁହେଁ: ମାଟିର ସୁରକ୍ଷା ଆଗ, ଦଳ ପଛ
ଭୁବନେଶ୍ବର: କେନ୍ଦ୍ର ସରକାର ଆଣିଥିବା ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍ଏମ୍ଡିଆର୍ ଆଇନ, ୨୦୨୬ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ଏହା ଓଡ଼ିଶା ସ୍ବାର୍ଥ ବିରୋଧୀ। ସଂଘୀୟ ବ୍ୟବସ୍ଥା ପ୍ରତି ଏହା ଏକ ଶକ୍ତ ଧକ୍କା। ପ୍ରତିଟି ଓଡ଼ିଆ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବା ଦରକାର ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଗୁରୁବାର ଗୀତ ଗୋବିନ୍ଦ ସଦନରେ ‘ଓଡ଼ିଶା ନାଗରିକ ସମାଜ’ ପକ୍ଷରୁ ପ୍ରତିଷ୍ଠାତା ସଭାପତି ଡ. ଭଗବାନ ପ୍ରକାଶଙ୍କ ସଭାପତିତ୍ବରେ ‘ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ସଂଶୋଧିତ ଆଇନ (ଏମ୍ଏମ୍ଡିଆର୍ ଆକ୍ଟ) ୨୦୨୬-ଓଡ଼ିଶାର ଲାଭ କେତେ ଓ କ୍ଷତି କେତେ?’ ଶୀର୍ଷକ ବିଷୟରେ ଆୟୋଜିତ ଗୋଲ୍ଟେବୁଲ୍ ବିଚାର ବିମର୍ଷ କାର୍ଯ୍ୟକ୍ରମରେ ଯୋଗଦେଇ ସେମାନେ ଏଭଳି ମତ ରଖିଛନ୍ତି। କ୍ଷମତାରେ ବସିଥିବା ନେତା ଓ ରାଜନୈତିକ ଦଳଗୁଡ଼ିକ ଏହି ପ୍ରସଙ୍ଗକୁ ଯଥେଷ୍ଟ ଗୁରୁତ୍ବ ଦେଉନଥିବାରୁ ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ ନାଗରିକ ସମାଜ ଆଗକୁ ଆସି ଆନ୍ଦୋଳନର ନେତୃତ୍ବ ନେବାକୁ ପଡ଼ିବ ବୋଲି ସେମାନେ କହିଛନ୍ତି।
Indrabati Dam: ଇନ୍ଦ୍ରାବତୀ ଗେଟ୍ ଖୋଲିବା ପାଇଁ ମକଡ୍ରିଲ
କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ କହିଲେ, ଏହି ଆଇନ ପ୍ରକୃତରେ କ’ଣ ତାହା ଜାଣିବା ପାଇଁ ନିଜ ଅନ୍ତରାତ୍ମାକୁ ପ୍ରଶ୍ନ କରିବାକୁ ପଡ଼ିବ। ଆମେ କ’ଣ ଆମ ମା’ ମାଟିକୁ ବିକ୍ରି କରିଦେବା? ଆମ ରାଜନେତାମାନେ କାହିଁକି ଅଜ୍ଞାନୀ ହୋଇପଡ଼ିଛନ୍ତି। ସେମାନେ ମାଟିକୁ ପଛରେ ଓ ଦଳକୁ ଆଗରେ ରଖୁଛନ୍ତି। ଭୂଗୋଳ ଓ ଭାଷା ଆଧାରରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। ଯେତେବେଳେ ତାହା ବିପଦରେ ଅଛି, ଆଉ କେତେ କ୍ଷତି ହେବ ତାହାକୁ କିଏ ପଚାରେ। ଖଣି ଆଇନରେ ହୋଇଥିବା ସଂଶୋଧନ ଆଦୌ ଗ୍ରହଣୀୟ ନୁହେଁ। ଆମ ମାଟିକୁ ଆମଠାରୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏଥିପାଇଁ ଆମେ ବିଦ୍ରୋହ ଓ ସଂଗ୍ରାମ କରିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ। ପୂର୍ବତନ ମନ୍ତ୍ରୀ ଡ. ଅରୁଣ ସାହୁ ଖଣି ଆଇନରେ ସଂଶୋଧନକୁ ଓଡ଼ିଶା ବିରୋଧୀ କହିଥିଲେ। କେନ୍ଦ୍ର ସରକାର କୌଣସି ଆଲୋଚନା ନ କରି ଯେଉଁଭଳି ଭାବେ ଆଇନକୁ ପାରିତ କରାଇଛନ୍ତି ତାହା ବେଆଇନ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ କହିଥିଲେ।
ଓଡ଼ିଶାର ସ୍ବାର୍ଥ ପାଇଁ ପ୍ରତିଟି ଓଡ଼ିଆ ସ୍ବର ଉଠାଇବା ଦରକାର
ଆମ ମାଟିକୁ ଆମଠାରୁ କେହି ଛଡ଼ାଇ ନେଇପାରିବେନି
ମାଟିର ସୁରକ୍ଷା ଆଗ, ଦଳ ପଛ
Horoscope 2026 September 04: ଜାଣନ୍ତୁ ଆଜିର ରାଶିଫଳ...
ଏମ୍ଏମ୍ଡିଆର୍ ଆଇନ ପାଇଁ ଓଡ଼ିଶା ଲକ୍ଷେ ୧୨ ହଜାର କୋଟି ଟଙ୍କା ନୁହେଁ, ବରଂ ୩ ଲକ୍ଷ କୋଟି ଟଙ୍କା ହରାଇବ ବୋଲି ତଥ୍ୟ ଉପସ୍ଥାପନ କରାଯାଇଥିଲା। କେନ୍ଦ୍ର ସରକାର କେବଳ କର୍ପୋରେଟ୍ ସଂସ୍ଥାମାନଙ୍କ ଲାଭ ପାଇଁ ଏହି ଆଇନ ଆଣିଛନ୍ତି। ରାଜ୍ୟମାନଙ୍କ ହିତରେ ସୁପ୍ରିମକୋର୍ଟ ୨୦୨୪ରେ ଯେଉଁ ରାୟ ଦେଇଥିଲେ ତାହାକୁ ସମ୍ପୂର୍ଣ୍ଣ ଅକାମୀ କରିଦେବା ଏବଂ ରାଜ୍ୟମାନେ ଯେଭଳି କୋର୍ଟକୁ ଯାଇପାରିବେ ନାହିଁ, ସେଥିପାଇଁ କେନ୍ଦ୍ର ସରକାର ଏହି ଆଇନ ଆଣିଥିବା ବୁଦ୍ଧିଜୀବୀମାନେ କହିଥିଲେ। ସରକାର କେବଳ ଖଣି ମାଲିକମାନଙ୍କ ଲାଭ କଥା ଭାବୁଛନ୍ତି। କିନ୍ତୁ ଏହି ଆଇନ ଦ୍ବାରା ଯେଉଁମାନେ ପ୍ରଭାବିତ ହେବାକୁ ଯାଉଛନ୍ତି, ସେମାନଙ୍କ କଥା ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। ନାଗରିକ ସମାଜକୁ ସେମାନଙ୍କ ପାଇଁ ଲଢ଼ିବାକୁ ପଡ଼ିବ ବୋଲି ବୁଦ୍ଧିଜୀବୀମାନେ କହିଥିଲେ। ଏମ୍ଏମ୍ଡିଆର୍ ଆଇନରେ ହୋଇଥିବା ସଂଶୋଧନ ପ୍ରତ୍ୟାହାର କରିବା ଲାଗି ଏକ ଜନ ଜାଗରଣର ଆବଶ୍ୟକତା ରହିଛି। ଅର୍ଥନୈତିକ ଅବରୋଧ ଭଳି ପଦକ୍ଷେପ ଉପରେ ବିଚାର କରିବାର ସମୟ ଆସିଛି। ଏହି ପ୍ରସଙ୍ଗକୁ ସୋସିଆଲ୍ ମିଡିଆରେ ବ୍ୟାପକ ପ୍ରଚାର କରିବା ଓ ଏହି ଆନ୍ଦୋଳନରେ ଯୁବବର୍ଗଙ୍କୁ ସାମିଲ କରିବାକୁ ମଧ୍ୟ ବୁଦ୍ଧିଜୀବୀମାନେ ଆହ୍ବାନ ଦେଇଥିଲେ। ଆଜିର ଆଲୋଚନାର ଏକ ସବିଶେଷ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ଅବସରରେ ଓଡ଼ିଶା ନାଗରିକ ସମାଜର ସଦସ୍ୟ ସଚିବ ମନୋଜ ଜେନା, ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଶୋୟୀ ଓ ବିଭିନ୍ନ ବିଶେଷଜ୍ଞ, ରାଜନେତା, ସାମାଜିକ ସଂଗଠନ, ବିଶେଷଜ୍ଞ, ବୁଦ୍ଧିଜୀବୀ, ସାମ୍ବାଦିକ, ପରିବେଶବିତ ଯୋଗଦେଇ ନିଜର ମତ ରଖିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।