MMDR ଆଇନକୁ ନେଇ ନବୀନଙ୍କ ଚିଠି, ବିଜେପି ସାଂସଦଙ୍କୁ ରାଜ୍ୟ ସ୍ୱାର୍ଥ ପାଇଁ ଲଢେଇର ଆହ୍ୱାନ
ନନ୍ଦିଘୋଷ ବ୍ୟୁରୋ : ଏମ୍ଏମ୍ଡିଆର୍ ଆଇନ ପ୍ରତ୍ୟାହାର ଦାବିରେ ନିଜ ସ୍ୱରକୁ ଆହୁରି ଶାଣିତ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏନେଇ ବିଜେପିର ନିର୍ବାଚିତ ୨୦ ଜଣ ସାଂସଦଙ୍କୁ ଚିଠି ଲେଖି ରାଜ୍ୟର ସ୍ୱାର୍ଥ ଓ ଅଧିକାର ପାଇଁ ସ୍ୱର ଉଠାଇବାକୁ ଆହ୍ୱାନ ଦେଇଛନ୍ତି। ଚିଠିରେ ନବୀନ ପ୍ରଶ୍ନ କରିଛନ୍ତି, ଓଡ଼ିଶାବାସୀଙ୍କ ଭୋଟରେ ନିର୍ବାଚିତ ହୋଇ ସାଂସଦମାନେ କାହିଁକି ରାଜ୍ୟର ସ୍ୱାର୍ଥ ଓ ଅଧିକାରକୁ ଭୁଲିଗଲେ? ଓଡ଼ିଶା ଉପରେ ବ୍ୟାପକ ପ୍ରଭାବ ପକାଉଥିବା ଏମ୍ଏମ୍ଡିଆର୍ ଆଇନକୁ ବିଜେପି ସାଂସଦମାନେ କାହିଁକି ସମର୍ଥନ କଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ଅଗଷ୍ଟ ୧୩ରେ ଲୋକସଭାରେ ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ପାରିତ ହେବା ଦିନକୁ ନବୀନ କଳା ଦିବସ ବୋଲି କହିଛନ୍ତି। ଓଡ଼ିଶାର ସ୍ୱାର୍ଥ ସହ ସିଧାସଳଖ ଜଡ଼ିତ ଏତେ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଲୋକସଭାରେ ୧୦ ମିନିଟ୍ରୁ କମ୍ ସମୟ ଆଲୋଚନା ହୋଇଥିବା ସେ ଅଭିଯୋଗ କରିଛନ୍ତି। ନବୀନଙ୍କ କହିବା ଅନୁସାରେ, ଦେଶର ମୋଟ ଖଣିଜ ସମ୍ପଦର ପ୍ରାୟ ୪୪ ପ୍ରତିଶତ ଓଡ଼ିଶାରେ ରହିଛି। ରାଜ୍ୟର ଖଣିଜ ସମ୍ପଦ ଦେଶର ଇସ୍ପାତ, ବିଦ୍ୟୁତ, ଖଣି ଓ ଭିତ୍ତିଭୂମି କ୍ଷେତ୍ରର ବିକାଶରେ ବଡ଼ ଅବଦାନ ରଖିଆସିଛି। ସଂଶୋଧିତ ଆଇନ ଯୋଗୁଁ ଓଡ଼ିଶାକୁ ପ୍ରତିବର୍ଷ ପ୍ରାୟ ୧୨ ହଜାର କୋଟି ଟଙ୍କାର ରାଜସ୍ୱ ହାନି ହେବା ସହ ଖଣି ଉପରେ ରାଜ୍ୟ ଟିକସ ଲଗାଇପାରିବ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି। ଖଣି ଅଞ୍ଚଳରେ ପ୍ରଦୂଷଣ, ବିସ୍ଥାପନ ଓ ପରିବେଶ ଅବକ୍ଷୟର ଭାର ଓଡ଼ିଶାବାସୀ ବହନ କରୁଥିବା ବେଳେ ଏହି ସଂଶୋଧନ ସେମାନଙ୍କ ପ୍ରତି ଅନ୍ୟାୟ ବୋଲି ନବୀନ କହିଛନ୍ତି। ଦଳୀୟ ଆଭିମୁଖ୍ୟରୁ ଊର୍ଦ୍ଧ୍ୱକୁ ଉଠି ରାଜ୍ୟ ସ୍ୱାର୍ଥ ପାଇଁ ଏମ୍ଏମ୍ଡିଆର୍ ଆଇନ ପ୍ରତ୍ୟାହାର ଲଢେଇରେ ସାମିଲ ହେବାକୁ ସେ ବିଜେପି ସାଂସଦମାନଙ୍କୁ ଆହ୍ୱାନ ଦେଇଛନ୍ତି।
ସେପଟେ ନବୀନଙ୍କ ଚିଠି ପରେ ମୁଖ୍ୟମନ୍ତ୍ରୀ ଓ ବିଜେପି ସାଂସଦ କାହିଁକି ଚୁପ ବୋଲି ପ୍ରଶ୍ନ କରିଛି କଂଗ୍ରେସ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ରାଜ୍ୟର ଏତେ ବଡ଼ କ୍ଷତି ସମୟରେ ଓଡ଼ିଆ ଅସ୍ମିତା କଥା କହୁଥିବା ସରକାର ଓ ଏହାର ସାଂସଦମାନେ ନୀରବ କାହିଁକି। ତେବେ ଜବାବରେ ବିଜେପି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, ଏମ୍ଏମ୍ଡିଆର୍ ଆଇନ ଯୋଗୁଁ ଓଡ଼ିଶାର କୌଣସି କ୍ଷତି ହେବ ନାହିଁ। MMDR ଆଇନକୁ ନେଇ ରାଜ୍ୟରେ ଏବେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଜୋର ଧରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।