Modi Congratulates Giorgia Meloni: ଇଟାଲୀରେ ଇତିହାସ ରଚିଲେ ମେଲୋନି, ଅଭିନନ୍ଦନ ଜଣାଇଲେ ମୋଦି

Sep 04, 2026 - 14:21
Modi Congratulates Giorgia Meloni: ଇଟାଲୀରେ ଇତିହାସ ରଚିଲେ ମେଲୋନି, ଅଭିନନ୍ଦନ ଜଣାଇଲେ ମୋଦି

ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମେଲୋନିଙ୍କ ସରକାର ଇଟାଲୀର ଯୁଦ୍ଧ ପରବର୍ତ୍ତୀ ଇତିହାସରେ ସବୁଠାରୁ ଦୀର୍ଘ ସମୟ ଧରି କ୍ରମାଗତ ଭାବେ କାର୍ଯ୍ୟରତ ସରକାର ହେବାର ରେକର୍ଡ କରିଛି। ଏହି ଐତିହାସିକ ରେକର୍ଡ ପାଇଁ ମୋଦି କହିଛନ୍ତି ଯେ, ମେଲୋନିଙ୍କ ଦୀର୍ଘ କାର୍ଯ୍ୟକାଳ ଇଟାଲୀବାସୀଙ୍କ ତାଙ୍କ ନେତୃତ୍ୱ ପ୍ରତି ଦୃଢ଼ ବିଶ୍ୱାସକୁ ପ୍ରତିଫଳିତ କରୁଛି। ଏଥିସହ ଭାରତ ଓ ଇଟାଲୀ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାରେ ମେଲୋନିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ମୋଦି ପ୍ରଶଂସା କରିଛନ୍ତି।

ମୋଦି ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି, “ଇଟାଲୀର ଯୁଦ୍ଧ ପରବର୍ତ୍ତୀ ଇତିହାସରେ ସବୁଠାରୁ ଦୀର୍ଘ ସମୟ ଧରି କ୍ରମାଗତ ଭାବେ କାର୍ଯ୍ୟରତ ପ୍ରଧାନମନ୍ତ୍ରୀ ହେବାରୁ ମୋର ଫ୍ରେଣ୍ଡ୍ ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ଅଭିନନ୍ଦନ। ଏହି ମାଇଲଖୁଣ୍ଟ ତାଙ୍କ ନେତୃତ୍ୱ ଉପରେ ଇଟାଲୀବାସୀଙ୍କ ବିଶ୍ୱାସ ଓ ଆସ୍ଥାର ପ୍ରତିଫଳନ।”
ଭାରତ-ଇଟାଲୀ ସମ୍ପର୍କକୁ ଆହୁରି ମଜବୁତ କରିବାରେ ମେଲୋନିଙ୍କ ଭୂମିକାକୁ ଉଲ୍ଲେଖ କରି ମୋଦି ଆହୁରି କହିଛନ୍ତି, “ତାଙ୍କ ବନ୍ଧୁତ୍ୱ ଭାରତ-ଇଟାଲୀ ବିଶେଷ ରଣନୀତିକ ଭାଗୀଦାରିତାକୁ ମଜବୁତ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି। ଆମ ଦେଶର ଲୋକଙ୍କ ପାଇଁ ଏକ ସମୃଦ୍ଧ ଭବିଷ୍ୟତ ଗଢ଼ିବା ଲକ୍ଷ୍ୟରେ ଆଗାମୀ ଦିନରେ ମଧ୍ୟ ଘନିଷ୍ଠ ସହଯୋଗ ଜାରି ରଖିବାକୁ ମୁଁ ଆଶାବାଦୀ। ଆଗାମୀ ବର୍ଷଗୁଡ଼ିକରେ ତାଙ୍କ ନିରନ୍ତର ସଫଳତା ପାଇଁ ମୋର ଶୁଭେଚ୍ଛା।”

ଜର୍ଜିଆ ମେଲୋନିଙ୍କ ସରକାର କ୍ରମାଗତ ଭାବେ ୧,୪୧୩ ଦିନରୁ ଅଧିକ ସମୟ ଧରି କ୍ଷମତାରେ ରହି ଯୁଦ୍ଧ ପରବର୍ତ୍ତୀ ଇଟାଲୀରେ ସର୍ବାଧିକ ଦୀର୍ଘସ୍ଥାୟୀ ସରକାରର ନୂଆ ରେକର୍ଡ ସ୍ଥାପନ କରିଛି। ଏହା ପୂର୍ବରୁ ୨୦୦୧ରୁ ୨୦୦୫ ପର୍ଯ୍ୟନ୍ତ ସ୍ୱର୍ଗତ ସିଲଭିଓ ବର୍ଲୁସ୍କୋନିଙ୍କ ଦ୍ୱିତୀୟ ସରକାର ୧,୪୧୨ ଦିନ ଧରି ନିରବଚ୍ଛିନ୍ନ ଭାବେ କ୍ଷମତାରେ ରହିଥିଲା।

ଏହି ମାଇଲଖୁଣ୍ଟ ଇଟାଲୀ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଗତ ୮୦ ବର୍ଷ ମଧ୍ୟରେ ଇଟାଲୀରେ ୬୮ଟି ଭିନ୍ନ ସରକାର ଗଠିତ ହୋଇଛି। ସେଠାରେ ଏକ ସରକାରର ଦୀର୍ଘ ସମୟ ଧରି ସ୍ଥିର ଭାବେ କ୍ଷମତାରେ ରହିବା ଏକ ବିରଳ ଘଟଣା।

୨୦୨୨ ଅକ୍ଟୋବରରେ ଜର୍ଜିଆ ମେଲୋନି ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିଥିଲେ। ଏହି ଐତିହାସିକ ରେକର୍ଡ ପରେ ମେଲୋନି ଇଟାଲୀବାସୀଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଛନ୍ତି।
‘ଏକ୍ସ’ରେ ସେ ଲେଖିଛନ୍ତି, “ଏହି ସ୍ଥିରତା ସମ୍ଭବ ହୋଇଛି ସେହି ଇଟାଲୀବାସୀଙ୍କ ପାଇଁ, ଯେଉଁମାନେ ୨୦୨୨ରେ ଆମ ଉପରେ ବିଶ୍ୱାସ ରଖିଥିଲେ। ଏହି ବିଶ୍ୱାସକୁ ଆମେ କେବେ ବି ବ୍ଲାଙ୍କ ଚେକ୍ ବୋଲି ବିବେଚନା କରିନାହୁଁ ଏବଂ ଆଗାମୀ ଦିନରେ ମଧ୍ୟ ଏହାକୁ କେବେ ହାଲକା ଭାବେ ନେବୁ ନାହିଁ।”

ମେଲୋନି ତାଙ୍କ ସରକାରର ପ୍ରମୁଖ ସାମାଜିକ-ଆର୍ଥିକ ଓ ଅନ୍ତର୍ଜାତୀୟ ପ୍ରାଥମିକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ତାଙ୍କର ଏହି ଐତିହାସିକ କାର୍ଯ୍ୟକାଳ ଇଟାଲୀ ରାଜନୀତିରେ ସ୍ଥିରତାର ଏକ ନୂଆ ଅଧ୍ୟାୟ ଭାବେ ଦେଖାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।