Mruttika-2026: ଆରମ୍ଭ ହେଲା ‘ମୃତ୍ତିକା-୨୦୨୬’ ପ୍ରଦର୍ଶନୀ: ୨୧୮ ଷ୍ଟଲ୍ରେ ହସ୍ତଶିଳ୍ପ ସମ୍ଭାର
ଭୁବନେଶ୍ବର: ଟେରାକୋଟା ଓ ମାଟିପାତ୍ର ହସ୍ତଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା-୨୦୨୬’ ଉଦ୍ଘାଟିତ ହୋଇଯାଇଛି। ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଏହି ପ୍ରଦର୍ଶନୀରେ ରାଜ୍ୟର ୨୬ଟି ଜିଲ୍ଲାର ୩୮୦ଜଣ ଟେରାକୋଟା ହସ୍ତଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ୨୧୮ଟି ଷ୍ଟଲ୍ରେ ହାତତିଆରି ମାଟିଦୀପ, ଲଣ୍ଠନ, ଘରକରଣା, ସାଜସଜ୍ଜା ସାମଗ୍ରୀ ସାଙ୍ଗକୁ ଲୋପ ପାଇବାକୁ ବସିଥିବା ମାଟିକଣ୍ଢେଇ ଓ ପିଲାଙ୍କ ଖେଳନା ଝଲମଲ କରୁଛି। ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଚାଲିବ।
ପ୍ରଦର୍ଶନୀରେ ଅଂଶଗ୍ରହଣ କରୁଥିବା ସମସ୍ତ ହସ୍ତଶିଳ୍ପୀମାନଙ୍କୁ ନିଃଶୁଳ୍କ ଷ୍ଟଲ୍ ପ୍ରଦାନ ସହିତ ଯାତାୟାତ ଖର୍ଚ୍ଚ, ଦୈନିକ ଭତ୍ତା ଓ ସାମଗ୍ରୀ ପରିବହନ ପାଇଁ ଖର୍ଚ୍ଚ ଇତ୍ୟାଦି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ପ୍ରଦାନ କରାଯାଉଛି। ଚଳିତ ବର୍ଷ ଫେବ୍ରୁଆରି ୨୪ ତାରିଖରେ ‘ଭବ୍ୟ ଟେରାକୋଟା ପାତ୍ର ଉତ୍ପାଦନ ପ୍ରତିଯୋଗିତା’ର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା କିଛି କାରିଗର ଆନୁଷ୍ଠାନିକ ଭାବେ ଏବଂ ବ୍ୟକ୍ତିଗତ ଭାବେ ‘ବିଶ୍ବ ରେକର୍ଡ’ ସ୍ଥାପନ କରି ଓଡ଼ିଶା ପାଇଁ ଗୌରବ ଅର୍ଜନ କରିଛନ୍ତି।
ଅନୁରୂପ ଭାବେ ଟେରାକୋଟା କାରିଗରଙ୍କ ସାମଗ୍ରିକ ବିକାଶ ନିମନ୍ତେ ଏକ ‘ମାଟି କଳା ବୋର୍ଡ’ ଗଠନ କରାଯିବା ନେଇ ପ୍ରସ୍ତାବ ବିଚାରାଧୀନ ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସଚିବ ଗୁହା ପୁନମ ତାପସ କୁମାର, ହସ୍ତଶିଳ୍ପ ନିର୍ଦ୍ଦେଶିକା ନିବେଦିତା ପୃଷ୍ଟିଙ୍କ ସମେତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।