Murder Mystery At Bhubaneswar: ରାଜଧାନୀରେ ଚାଞ୍ଚଲ୍ୟ; ଭୂତ ବଙ୍ଗଳାରେ ବିଭତ୍ସ ହତ୍ୟାକାଣ୍ଡ, ହତ୍ୟା କରି ଭୂତ ନାଁ ଦେଉଥିଲେ

Aug 08, 2026 - 19:03
Murder Mystery At Bhubaneswar: ରାଜଧାନୀରେ ଚାଞ୍ଚଲ୍ୟ; ଭୂତ ବଙ୍ଗଳାରେ ବିଭତ୍ସ ହତ୍ୟାକାଣ୍ଡ, ହତ୍ୟା କରି ଭୂତ ନାଁ ଦେଉଥିଲେ

ରାଜଧାନୀରେ ଚାଞ୍ଚଲ୍ୟ। ଭୂତ ବଙ୍ଗଳାରେ ଯୁବକଙ୍କୁ ହତ୍ୟା। ହତ୍ୟା କରିବା ପରେ ଭୂତ ନାଁ ଦେଇ ଖସିଯିବା ପାଇଁ ଉଦ୍ୟମ । ଶବ ବ୍ୟବଚ୍ଛେଦ ରିପୋର୍ଟ ଖୋଲିଦେଲା ସତ । ବନ୍ଧାହେଲା ହତ୍ୟା ଅଭିଯୁକ୍ତ । ସାମ୍ନାକୁ ଆସିଲା ରାଜଧାନୀରେ ଥିବା ଭୂତ ବଙ୍ଗଳାର ରହସ୍ୟ । ଚନ୍ଦକା ଥାନା ପାଇକରାପୁରରେ ହୋଇଥିବା ଏ ହତ୍ୟା ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । 

ଟିକେ ନଜର ପକାନ୍ତୁ ଏହି କୋଠା ଉପରେ । କୋଟି କୋଟି ଟଙ୍କାରେ ତିଆରି ହୋଇଥିବା ଏହି କୋଠାଟି ଚନ୍ଦକା ଥାନା ପାଇକରାପୁରର ଗାଁ ମୁଣ୍ଡରେ ରହିଛି । ଘରର ଚତୁର୍ପାଶ୍ବରେ ରହିଛି ପାଚେରୀ ଆଉ ସାମ୍ନାରେ ବିରାଟ ବଡ ଗେଟ୍ । ହେଲେ ଘର ଭିତରେ ନା ଅଛି କବାଟ ନା ଲାଗିଛ ଝରକା । ବର୍ଷ ବର୍ଷ ଧରି ଘରଟି ଏମିତି ପଡି ରହିଥିଲେ ମଧ୍ୟ କେହି ଏଠାକୁ ଆସୁ ନାହାନ୍ତି । ଘର କାହାର କାହାକୁ ଜଣା ନାହିଁ । କେହି କେହି କହୁଛନ୍ତି ଘର ତିଆରି କରିଥିବା ସ୍ବାମୀ-ସ୍ତ୍ରୀ ଏଠାରେ ହିଁ ଜୀବନ ହାରିଛନ୍ତି। 

ଆଉ ତାଙ୍କର ଆତ୍ମା ଏହି କୋଠାରେ ଘୁରି ବୁଲୁଛି। ଯେଉଁଥି ପାଇଁ ଏହାକୁ କୁହାଯାଉଛି ଭୂତ ବଙ୍ଗଳା । ନା ଏହି କୋଠାକୁ କେହି ଆସୁଛନ୍ତି ନା ରାତି ହେଲେ ଏହି ରାସ୍ତା ଦେଇ କେହି ଯାଉଛନ୍ତି । ହେଲେ ଗତ ୧ ତାରିଖ ବିଳମ୍ବିତ ରାତିର ଏକ ଘଟଣା ଖୋଲି ଦେଇଛି ଏହି ଭୂତ କୋଠିର ଗୁମର । ଗତ ୧ ତାରିଖରେ 'ଭୂତ ବଙ୍ଗଳା' ଭାବେ ପରିଚିତ ଏକ ପରିତ୍ୟକ୍ତ କୋଠାରେ ମହନୀ ଦାସଙ୍କୁ ବାଉଁଶ ଲାଠିରେ ଆକ୍ରମଣ କରାଯାଇଥିଲା । 

କେବଳ ଶୋଇବାକୁ ନେଇ ବଚସା ପରେ ଅଭିଯୁକ୍ତ ବାପି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମହନୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ବିଷ୍ଣୁ ବେହେରା ଓ ବଳରାମ ଭୋଇ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ, ମହନୀ ଶୋଇପଡ଼ିଥିବା ବେଳେ ବାପି ତାଙ୍କ ମୁଣ୍ଡକୁ ବାଉଁଶରେ ଆକ୍ରମଣ କରିଥିଲା । 

ଏହାପରେ ଘଟଣାକୁ ଦୁର୍ଘଟଣାର ରୂପ ଦେବାକୁ ଅଭିଯୁକ୍ତ ଏକ ମିଥ୍ୟା କାହାଣୀ ଗଢ଼ିଥିଲା । ସମସ୍ତଙ୍କୁ ଚକମା ଦେଇ ମହନୀକୁ ଛାତରୁ ଭୂତ ଠେଲି ଦେଇଥିବା କହିଥିଲା । ହେଲେ ପୋଷ୍ଟମର୍ଟମ ରିପୋର୍ଟ ସହ କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ସବୁ ପୋଲ ଖୋଲି ଦେଇଛି। ପୋଲିସ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ବ୍ରଜକିଶୋର ଭୋଇ ଓରଫ ବାପିକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୁରା ଘଟଣାକୁ ନେଇ ପୋଲିସ ଖୋଳତାଡ କରିବା ସହ ଘଟଣା ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଛି । ଏପରିକି ଭୂତ ବଙ୍ଗଳା ନା ଦେଇ ଏଠାରେ ଆଉ କିଛି କ୍ରାଇମ କରାଯାଉଥିଲା କି ନାହିଁ ତାହାକୁ ନେଇ ମଧ୍ୟ ତଦନ୍ତ କରିଛି । ସାଇଣ୍ଟିଫିକ ଟିମ ସହାୟତାରେ ସମସ୍ତ ପ୍ରମାଣ ସଂଗ୍ରହ କରିବା ସହ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯାଇଛି। 

ଏହାରି ଭିତରେ ପୁରା ବଙ୍ଗଳାର ରହସ୍ୟ କଣ , କିଏ ଏହାର ମାଲିକ, କାହିଁକି ଏଠାକୁ କେହି ଆସୁ ନାହାନ୍ତି । ଏତେବଡ ସମ୍ପତି ହାତେଇବା ପାଇଁ କିଛି ଚକ୍ରାନ୍ତ ଚାଲିଛି କି । ତାହାକୁ ନେଇ ପୋଲିସ କରୁଛି ଖୋଳତାଡ । ତେବେ ଏହି ହତ୍ୟାକାଣ୍ଡ ପରେ ସବୁ ଦିନ ପାଇଁ ଏହି ଭୂତ ବଙ୍ଗଳାକୁ ସିଲ କରାଯାଇଛି। କିଛି ଲୋକଙ୍କ କହିବା ଅନୁସାରେ ଅନେକ ଥର ଏହି କୋଠରେ ସେମାନେ ଭୂତ ଦେଖିଛନ୍ତି । 

ଭୂତ କାହାର କ୍ଷତି ନ କଲେ ମଧ୍ୟ ଘରର ଛାତ ଉପରେ ଧଳା ଲୁଗା ପିନ୍ଧି ଛିଡା ହେବାର ଲୋକମାନେ ଦେଖିଛନ୍ତି । ତେବେ ଏହି ଘଟଣାରେ କେତେ ବାସ୍ତବିକତା ଅଛି ତାହାକୁ ନେଇ ତଦନ୍ତ ଚାଲିଛି । ସେପଟେ ଘରର ଅବସ୍ଥା ଦେଖିଲେ ପାଖାପାଖି ୧୫ ବର୍ଷ ପୂର୍ବରୁ ଏହାକୁ ତିଆରି କରାଯାଇଥିବା ଜଣାପଡୁଛି । ହେଲେ ଏହାକୁ ସଂପୂର୍ଣ୍ଣ ନ କରିବା ଓ ଏଠାରେ କେହି ନରିହିବା ଫଳରେ ଏହା ଭୂତ କୋଠୀ ଭଳି ପାଲଟି ଯାଇଛି ।

ଘଟଣାରେ କୌଣସି ପ୍ରତ୍ୟକ୍ଷଦର୍ଶୀ ନଥିଲେ ଏହା ଏକ ଦୁର୍ଘଟଣା ରୂପ ନେଇ ଫାଇଲ ବନ୍ଦ ହୋଇଯାଇ ଥାନ୍ତା। ରାଜଧାନୀରେ ଏମିତି ଅନେକ କୋଠା ରହିଛି ଯାହାକି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ବେଳେ ଏହା ଏବେ ଅପରାଧୀଙ୍କ ଆଡ୍ଡା ପାଲଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।