Nagaur drug raid: କୋଟିପତି ହେବା ନିଶାରେ ଚାକିରି ଛାଡ଼ିଲେ, ଘରେ ଖୋଲିଲେ ଡ୍ରଗ୍ସ ଫ୍ୟାକ୍ଟ୍ରି!
ରାତାରାତି କୋଟିପତି ହେବା ନିଶାରେ ଚାକିରି ଛାଡିଲେ ଯୁବକ, ନିଶା କାରବାରରେ ସାମିଲ ହେଲେ। ୨୮ ବର୍ଷୀୟ ମହାବୀର ଚାକିରି କରୁଥିଲେ। ହେଲେ ଦରମାରେ ସନ୍ତୁଷ୍ଟ ନଥିଲେ। ଶୀଘ୍ର କୋଟିପତି ହେବାର ଲୋଭରେ ଚାକିରି ଛାଡ଼ି ନିଶା କାରବାରର ରାସ୍ତା ବାଛିଥିବା ଅଭିଯୋଗ ହୋଇଛି। ରାଜସ୍ଥାନର ନାଗୌରରେ ଏମିତି ଏକ ଡ୍ରଗ୍ସ ଫ୍ୟାକ୍ଟ୍ରିର ପର୍ଦ୍ଦାଫାଶ ହୋଇଛି।
ପୋଲିସର ଦାବି ଅନୁସାରେ, ନାଗୌରର ଦୀପ କଲୋନୀରେ ଏକ ଭଡ଼ା ଘର ନେଇ ସେଠାରେ MDMA ତିଆରି କରିବାର ସେଟଅପ୍ କରିଥିଲେ ମହାବୀର। ଡିସେମ୍ବର ୨୦୨୫ରୁ ଜାନୁଆରୀ ୨୦୨୬ ମଧ୍ୟରେ ଅନଲାଇନ୍ରୁ ଏ ସମ୍ପର୍କିତ ତଥ୍ୟ ଜାଣିବାକୁ ଚେଷ୍ଟା କରିଥିବା ମଧ୍ୟ ତଦନ୍ତରେ ସାମ୍ନାକୁ ଆସିଛି। ପ୍ରଥମେ ସଫଳ ନହେଲେ ମଧ୍ୟ ପରେ ସେଟଅପ୍ ପ୍ରସ୍ତୁତ କରିଥିବା ପୋଲିସ କହିଛି।
ଅଗଷ୍ଟ ୧୦ରେ DST ଟିମ୍ର ରେଡ୍ରେ ମହାବୀର ଧରାପଡ଼ିଥିଲେ। ତାଙ୍କ ଠାରୁ ପ୍ରଥମେ ୨୦ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜବତ ହୋଇଥିବା ପୋଲିସ କହିଛି। ପରେ ତାଙ୍କ ସୂଚନା ଆଧାରରେ ଅନ୍ୟ ଏକ ଘରେ ଚଢ଼ାଉ କରି ସାଢ଼େ ୫ କିଲୋ MDMA, ୩ କିଲୋ କ୍ୟାଫିନ୍, ୨୪ ପ୍ରକାରର ପ୍ରାୟ ୨୧୦ ଲିଟର କେମିକାଲ୍ ଜବତ କରାଯାଇଛି। ଏସବୁର ଅନ୍ତର୍ଜାତୀୟ ବଜାର ମୂଲ୍ୟ ୧୦୦ କୋଟିରୁ ଅଧିକ ବୋଲି ପୋଲିସ ଆକଳନ କରିଛି। ଏହାଛଡ଼ା ମହାବୀରଙ୍କ ପାଖରେ ୧୦ରୁ ୧୨ଟି ସିମ୍ କାର୍ଡ ଥିବା ଏବଂ ପ୍ରାୟ ୧୦ ଦିନ ଅନ୍ତରରେ ସିମ୍ ବଦଳାଉଥିବା ତଥ୍ୟ ମଧ୍ୟ ପୋଲିସକୁ ମିଳିଛି। ଏବେ ଏହି ନେଟୱର୍କରେ ଆଉ କେଉଁମାନେ ସାମିଲ ଅଛନ୍ତି, ତାହା ଖୋଜୁଛି ପୋଲିସ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।