Nana Patekar’s Last Video Goes Viral: ମୃତ୍ୟୁ ପୂର୍ବରୁ ଏମିତି କହିଥିଲେ ନାନା, ସାମ୍ନାକୁ ଆସିଲା ତାଙ୍କର ଶେଷ ଭିଡିଓ

Oct 08, 2026 - 11:16
Nana Patekar’s Last Video Goes Viral: ମୃତ୍ୟୁ ପୂର୍ବରୁ ଏମିତି କହିଥିଲେ ନାନା, ସାମ୍ନାକୁ ଆସିଲା ତାଙ୍କର ଶେଷ ଭିଡିଓ

ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ଶେଷ ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ମୃତ୍ୟୁର ମାତ୍ର ୪ ଦିନ ପୂର୍ବରୁ, ଅକ୍ଟୋବର ୪ରେ ଗୋଆର ଡୋନା ପାଉଲାରେ ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ସେଠାରେ ସ୍ଥାନୀୟ କଳାକାରଙ୍କ ସହ ସଙ୍ଗୀତ ଓ ନୃତ୍ୟରେ ମଧ୍ୟ ସାମିଲ ହୋଇଥିଲେ। ଏହି ସମୟରେ ମଞ୍ଚ ଓ ଥିଏଟର ପ୍ରତି ତାଙ୍କର ଗଭୀର ଭଲପାଇବା ବିଷୟରେ କହିବା ସହ ଜୀବନ ଓ ମୃତ୍ୟୁ ନେଇ ମଧ୍ୟ ଏକ ଭାବପ୍ରବଣ ମନ୍ତବ୍ୟ ଦେଇଥିଲେ।

କାର୍ଯ୍ୟକ୍ରମରେ ନାନା ପାଟେକର ସ୍ଥାନୀୟ କଳାକାରଙ୍କ ସହ ଆଲୋଚନା କରିଥିଲେ। ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇବା ସହ ସ୍ଥାନୀୟ ‘ଦେଖଣୀ’ ନୃତ୍ୟରେ ମଧ୍ୟ ଅଂଶଗ୍ରହଣ କରିଥିବା ଭିଡିଓ ସାମ୍ନାକୁ ଆସିଛି। ନିଜର ଥିଏଟର ଦିନକୁ ମନେ ପକାଇ ସେ କହିଥିଲେ ଯେ, ଅଭିନୟ ଓ ମଞ୍ଚ ସହ ତାଙ୍କର ସମ୍ପର୍କ ଆଜି ବି ସେତିକି ଗଭୀର। ଥିଏଟର କରିବା ଜାରି ରଖିବାକୁ ତାଙ୍କର ଇଚ୍ଛା ଥିବା କଥା ମଧ୍ୟ କହିଥିଲେ।

ଏହି ଅବସରରେ ସେ କହିଥିଲେ, ସମସ୍ତଙ୍କୁ ଦିନେ ନା ଦିନେ ଯିବାକୁ ପଡ଼ିବ ଏବଂ ମୁଁ ଆସନ୍ତାକାଲି ଏଠାରେ ଥିବି କି ନାହିଁ, ତାହା ମୁଁ ଜାଣଣିନି। ମୃତ୍ୟୁ ପରେ ତାଙ୍କର ଏହି କଥା ଏବେ ତାଙ୍କ ପ୍ରଶଂସକଙ୍କ ମନକୁ ଆହୁରି ଛୁଇଁଯାଇଛି। ଏହା ଏବେ ଖୁବ ଭାଇରାଲ ହେଉଛି।

ବରିଷ୍ଠ ଅଭିନେତା ନାନା ପାଟେକରଙ୍କର ଗୁରୁବାର ଭୋର ସମୟରେ ଗୋଆସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ହଠାତ୍‌ ଅସୁସ୍ଥ ହୋଇ ସେ ଅଚେତ ହୋଇପଡ଼ିଥିଲେ। ପରେ ତାଙ୍କୁ ଘରୁ ହସ୍ପିଟାଲ ନିଆଯାଇଥିଲା। ପ୍ରାୟ ୪୫ ମିନିଟ୍‌ ଧରି ତାଙ୍କୁ ସିପିଆର ଦିଆଯାଇଥିଲା। ତଥାପି ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। 

ନାନା ପାଟେକର ହିନ୍ଦୀ ଓ ମରାଠୀ ସିନେମାର ଜଣେ ଦିଗ୍‌ଗଜ ଅଭିନେତା ଥିଲେ। ପ୍ରାୟ ପାଞ୍ଚ ଦଶନ୍ଧିର ଅଭିନୟ ଜୀବନରେ ସେ ଗମନ, ପରିନ୍ଦା, ପ୍ରହାର, ତିରଙ୍ଗା, କ୍ରାନ୍ତିବୀର, ଖାମୋଶୀ ଓ ୱେଲକମ୍‌ ଭଳି ଅନେକ ଚର୍ଚ୍ଚିତ ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କ ନିଖୁଣ ଅଭିନୟ ତାଙ୍କୁ ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା।

ଅଭିନୟ ପାଇଁ ନାନା ପାଟେକର ତିନିଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏହା ସହ ଅନେକ ଫିଲ୍ମଫେୟାର ଓ ଆଞ୍ଚଳିକ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ। ୨୦୧୩ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।