NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

Sep 28, 2026 - 16:44
NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି। କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ସାକ୍ଷାତ ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଥିଲା। ତେବେ ସୋମବାର ମୁମ୍ବାଇରେ ଆୟୋଜିତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର କର୍ମୀ ସମ୍ମିଳନୀରେ ଶରଦ ପାୱାର ସ୍ପଷ୍ଟ କରିଛନ୍ତି ଯେ, ସେ NDA ସହ ଯିବେ ନାହିଁ।

ଏହା ସହିତ ଶରଦ ପାୱାର ଉପମୁଖ୍ୟମନ୍ତ୍ରୀ ତଥା ଅଜିତ ପାୱାର ଗୋଷ୍ଠୀର ନେତ୍ରୀ ସୁନେତ୍ରା ପାୱାରଙ୍କୁ ମଧ୍ୟ ପରୋକ୍ଷ ଭାବେ ବାର୍ତ୍ତା ଦେଇଛନ୍ତି।

ଶରଦ ପାୱାର କହିଛନ୍ତି, ମୋ ବିଷୟରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ଚାଲିଛି। ହଁ, ଚର୍ଚ୍ଚା ଚାଲିଛି। ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ, ଆମେ କୁଆଡ଼େ ଯିବୁନି। ଆମେ କାହା ସହିତ ଯିବୁନି। ଯଦି ଆସିବାକୁ ଚାହୁଁଛନ୍ତି, ତେବେ ଆମ ସହ ଆସନ୍ତୁ।

ଶରଦ ପାୱାରଙ୍କ ଏହି ବୟାନ ପରେ ତାଙ୍କ ଦଳ ମହାରାଷ୍ଟ୍ରରେ ମହାବିକାଶ ଅଗାଡ଼ି ଏବଂ ଜାତୀୟ ସ୍ତରରେ INDIA ମେଣ୍ଟ ସହ ମିଶି କାମ କରିବ ବୋଲି ଚର୍ଚ୍ଚା ହେଉଛି। କିଛି ସମୟ ଧରି ଏହା ମଧ୍ୟ ଚର୍ଚ୍ଚା ହେଉଥିଲା ଯେ, ଶରଦ ପାୱାର ଭାଜପା ସହ ହାତ ମିଳାଇ NDAରେ ସାମିଲ ହୋଇପାରନ୍ତି। ଏଥିପାଇଁ ଦୁଇଟି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ମିଶ୍ରଣ ନେଇ ମଧ୍ୟ ସମ୍ଭାବନା ପ୍ରକାଶ ପାଇଥିଲା। ତେବେ ଶରଦ ପାୱାର ଏହି ସମସ୍ତ ସମ୍ଭାବନାକୁ ଖାରଜ କରିଦେଇଛନ୍ତି।

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ମଧ୍ୟ ଶରଦ ପାୱାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ପ୍ରାୟ ଅଢ଼େଇ ଘଣ୍ଟା ଧରି ଏକାଠି ବସି ଆଲୋଚନା କରିଥିଲୁ। ମରୁଡ଼ି ପରିସ୍ଥିତିକୁ ନେଇ ତାଙ୍କ ନିକଟରେ ବିଭିନ୍ନ ପ୍ରକାରର ଦାବି ରଖାଯାଇଛି।

ସେ କହିଛନ୍ତି ଯେ, ପ୍ରଦେଶ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ଆନ୍ଦୋଳନ ସମୟରେ ସରକାରଙ୍କୁ କେଉଁ ପ୍ରକାରର ସ୍ମାରକପତ୍ର ଦିଆଯିବ, ସେନେଇ ଜଣାଇ ଦିଆଯାଇଛି। ରବିବାର କୋର୍‌ କମିଟିର ବୈଠକ ହୋଇଥିଲା ଏବଂ ରାଜ୍ୟ ସରକାର କେଉଁ କେଉଁ ଦାବି ପୂରଣ କରିବେ ବୋଲି ଆଶା କରାଯାଉଛି, ସେ ସମ୍ପର୍କିତ ସ୍ମାରକପତ୍ର ମଧ୍ୟ ଦିଆଯାଇଛି।

ଶରଦ ପାୱାର କହିଛନ୍ତି, ଆସନ୍ତା ଦୁଇରୁ ଚାରି ଦିନ ମଧ୍ୟରେ ଆମେ ସରକାରଙ୍କୁ ଏହି ଦାବିଗୁଡ଼ିକ ପୂରଣ କରିବାକୁ ଅନୁରୋଧ କରିବୁ। ଆମକୁ ଲଢ଼େଇ କରିବାର ନାହିଁ। କିନ୍ତୁ ଯଦି ଦାବିଗୁଡ଼ିକ ଗ୍ରହଣ କରାନଯାଏ, ତେବେ ରାସ୍ତାକୁ ଓହ୍ଲାଇ ସଂଘର୍ଷ କରିବୁ। ଏହା ପରେ ସେ କହିଛନ୍ତି ଯେ, ମରୁଡ଼ି ପରିସ୍ଥିତିକୁ ଦେଖି ସରକାରଙ୍କୁ ଚାଷୀମାନଙ୍କୁ ସଶକ୍ତ କରିବାର ଆବଶ୍ୟକତା ରହିଛି। ମରୁଡ଼ି ସମୟରେ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ସରକାରଙ୍କୁ ମଧ୍ୟ ଅନେକ ନିଷ୍ପତ୍ତି ନେବାକୁ ପଡ଼ିଥାଏ।

ନିଜେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ଥିବା ସମୟର ଏକ ଅନୁଭୂତି ଶେୟାର କରି ଶରଦ ପାୱାର କହିଛନ୍ତି ଯେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏକ ବୈଠକ ଡାକିଥିଲେ। ସେହି ବୈଠକରେ ସେ କହିଥିଲେ ଯେ, ମରୁଡ଼ି ସମୟରେ ନିଆଯିବାକୁ ଥିବା ନିଷ୍ପତ୍ତି ପାଇଁ ଏମ୍‌ପିମାନଙ୍କୁ ଅଧିକାର ଦିଆଯିବା ଉଚିତ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।