Neglect: ଗୁହିଆଶାଳରେ ନବଜାତ, ଜନନୀ ଯନ୍ତ୍ରଣା
"କାଳିଆପାଣି (ରବି ନାରାୟଣ କର): ପ୍ରଶାସନର ନଗଡ଼ା ଫୋକସ୍ ଧୂଆଁବାଣ ହୋଇଛି।
ନଗଡ଼ା ପଡ଼ୋଶୀ ଗାଁ ଗୁହିଆଶାଳରେ ପ୍ରସୂତି ମହିଳା ଖାଉଛନ୍ତି ଭାତଲୁଣ ଓ ଶିଶୁ ପିଉଛି ପେଯ।
ଅତ୍ୟନ୍ତ ଦୀନହୀନ ଓ ଦୁଃଖକଷ୍ଟରେ ରହୁଥିବା ଜଣେ ପ୍ରସୂତି ମହିଳା ପଥି ଓ ଗରମ ଖାଦ୍ୟ ପରିବର୍ତ୍ତେ ଭୋକ ବିକଳରେ ପଖାଳ ଖାଉଥିବା ଦେଖାଯାଇଛି।
ନିଜେ ବଞ୍ଚି ଛୁଆକୁ ବଞ୍ଚେଇବା ପାଇଁ ସେ ସଂଘର୍ଷ କରୁଛନ୍ତି।
Advertisment ଆଖିରୁ ଲୁହ ଗଡ଼ାଇ ଲୁଣ ମଡ଼ାଇ ପଖାଳ ଖାଉଥିବାର ଦୃଶ୍ୟ ସାଧାରଣରେ ଆଲୋଡ଼ନର କାରଣ ହୋଇଛି।
ନଗଡ଼ାରେ ପ୍ରଶାସନର ସାଢ଼େ ୧୦ ବର୍ଷର କସରତ ସତ୍ତ୍ବେ ଜୁଆଙ୍ଗ ଜନଜାତି ପରିବାରରେ ଭାତଲୁଣ ଓ ପେଯ ତୋରାଣି ପାରମ୍ପରିକ ଖାଦ୍ୟ ହୋଇରହିଛି।
ଅଙ୍ଗନବାଡ଼ି କେନ୍ଦ୍ରର ପୁଷ୍ଟିଯୁକ୍ତ ଖାଦ୍ୟ ସାରଣୀ ସେମାନଙ୍କ ପାଇଁ ପ୍ରହସନ ପାଲଟିଥିବା ସାଧାରଣରେ ଅଭିଯୋଗ ହୋଇଛି।
ଗତ ୩ ତାରିଖରେ କୈଳାସ ପ୍ରଧାନଙ୍କ ପତ୍ନୀ ସୀମା ତାଙ୍କ ଝାଟିମାଟି ଭଙ୍ଗା ଦଦରା କୁଡ଼ିଆରେ ତୃତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି।
ତାଙ୍କ ସମ୍ଭାବ୍ୟ ପ୍ରସବ ତାରିଖ ନଭେମ୍ବର ୨୧ ତାରିଖ ଥିଲା।
ଅଢ଼େଇ ମାସ ପୂର୍ବରୁ ଜନ୍ମ ହୋଇଥିବା ଏହି ଶିଶୁକନ୍ୟା ଓ ପ୍ରସୂତି ସୀମା ଦୁର୍ଗମ ଗାଁରେ ସଂକଟରେ ପଡ଼ି ରହିଥିବା ଦେଖାଯାଇଛି।
ତାଙ୍କ ୨ ଝିଅ ସୁପ୍ରଭା(୪) ଓ ସୁମିତ୍ରା(୨) ପେଯ ତୋରାଣି ପିଇ ବଞ୍ଚିଥିବା ସେ କହନ୍ତି।
ଗୁହିଆଶାଳ ଗସ୍ତ କରିଥିବା ଭ୍ରାମ୍ୟମାଣ ଡାକ୍ତରୀଦଳ ସେମାନଙ୍କୁ ଦୟନୀୟ ସ୍ଥିତିରେ ଦେଖି ମାଆ ଓ ୩ ଶିଶୁକନ୍ୟାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଣିବାକୁ ପ୍ରସ୍ତାବ ରଖିଥିଲେ।
ହେଲେ ପ୍ରସୂତି ମହିଳା ନବଜାତ ଶିଶୁକୁ କୋଳରେ ଧରି ବର୍ଷାଦିନରେ କାଦୁଅପାଣି ପଚରପଚର ରାସ୍ତାରେ ଖାଲିପାଦରେ ଚାଲିଚାଲି ୩ କିଲୋମିଟର ଦୂର ନାଲିଆଡାବ ଯିବା କଷ୍ଟକର ଦର୍ଶାଇ ଶାଶୂ ଲୁଚନୀ ପ୍ରଧାନ ମନା କରିଦେଇଥିଲେ।
ଚତୁର୍ମାସ୍ୟାରେ ପ୍ରାୟ ସବୁଦିନ ଅପରାହ୍ଣରେ ବର୍ଷା ହେଉଥିବା ଏହି ପାହାଡ଼ୀ ଗାଁକୁ ଏଯାବତ୍ ନିର୍ଦ୍ଦିଷ୍ଟ ବାଟ ନାହିଁ।
ଲୋକେ ଗୁଳାବାଟରେ ଯା"ଆସ କରନ୍ତି।
ସେହିପରି ଲଗାଣ ବର୍ଷା ପାଇଁ ଘରୁ ଜଙ୍ଗଲ ଯାଇ ହେଉନି।
ଚେରମୂଳି ଆଣି ହେଉନି।
ଏସବୁକୁ ହାଟରେ ବିକି ରୋଜଗାର ବାଟ ବନ୍ଦ୍।
ଅଙ୍ଗନବାଡ଼ି କର୍ମୀଙ୍କ ଘର ଗାଁରୁ ୧୫ କିଲୋମିଟର ଦୂର।
ସେ ତାଙ୍କ ଶିଶୁପୁତ୍ରକୁ କାଖେଇ ବଣଜଙ୍ଗଲର ଆବଡ଼ାଖାବଡ଼ା ଓ ପାଣିକାଦୁଅ ଗୁଳାରେ ବାଟ ଚାଲିବା କଷ୍ଟକର।
Neglect: ପୁଣି ନଗଡ଼ାରେ ଅପପୁଷ୍ଟି; ୨ ସାମ୍ ଶିଶୁ ଚିହ୍ନଟ ପୁଷ୍ଟିଯୁକ୍ତ ଖାଦ୍ୟ ଓ ଅଣ୍ଡା ଛତୁଆ ଗାଁକୁ ବୋହିକରି ଆଣିବା, ସନ୍ତସନ୍ତିଆ ପରିବେଶ ଥାଇ ଓଦା ଚୁଲିରେ ରାନ୍ଧିବା ଏବଂ ଅଙ୍ଗନବାଡ଼ି କେନ୍ଦ୍ରରୁ ଶିଶୁ, କିଶୋରୀ, ଗର୍ଭବତୀ ଓ ପ୍ରସୂତି ମାଆଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିବା କାର୍ଯ୍ୟ ତୁଲାଇବା ତାଙ୍କ ପାଇଁ କାଠିକର ପାଠ।
ଅଧିକାଂଶ ସେ ଆସୁନଥିବା ଅଭିଯୋଗ ହୁଏ।
ବର୍ଷାଦିନେ ଗାଁର ସବୁ ପରିବାରରେ ଖାଦ୍ୟ ସଂକଟ ଉତ୍କଟ ବୋଲି ଅନ୍ୟ ୩ ପ୍ରସୂତି ମେଞ୍ଜାରି ପ୍ରଧାନ, ସୁନିଆରି ପ୍ରଧାନ ଓ ରୁପାଇ ପ୍ରଧାନ କହିଥିଲେ।
ତଳଡିହ ଜୁଆଙ୍ଗ ବସ୍ତିର ସ୍ଥିତି ଆହୁରି ତଦ୍ରୁପ ବୋଲି ଦେଖାଯାଇଛି।
ରାସ୍ତା ନଥିବା ଏହି ଗାଁରେ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ମୌଳିକ ସମସ୍ୟା ସାଧାରଣରେ ଦୁର୍ବିଷହ ହୋଇରହିଛି।
ଚତୁର୍ମ୍ୟାସ୍ୟାରେ ଏହି ଗାଁରେ ମହିଳା ଓ ଶିଶୁ ବିକାଶ ଯୋଜନା ଦିଗହରା ହୋଇରହିଛି।
ଯାହାକି ସୁକିନ୍ଦା ବ୍ଲକର ଶିଶୁ ଓ ମାତୃ ମୃତ୍ୟୁ ହାର ନକମିବାର ପ୍ରମୁଖ କାରଣ ହୋଇରହିଛି।
୪୦ ପରିବାର ରହୁଥିବା ଏହି ଗାଁରେ ଗତ ୩ ମାସ ମଧ୍ୟରେ ୩ ଶିଶୁକନ୍ୟାଙ୍କର ମୃତ୍ୟୁ ହେଲାଣି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।