Neglect: ଭୋରରୁ ଆରମ୍ଭ ହେଉଛି ପେଟ ପାଇଁ ସଂଘର୍ଷ, ସ୍ମାର୍ଟସିଟିର ବର୍ଜ୍ୟ ଗୋଟାଳିଙ୍କ ସଂଘର୍ଷ କାହାଣୀ
ରାଉରକେଲା (ଦେବବ୍ରତ ଗଡ଼ତିଆ): ଜନ୍ମମାଟି ଝାଡ଼ଖଣ୍ଡ ସିମଡେଗା ଜିଲ୍ଲାରେ। ପ୍ରାୟ ୨୦ ବର୍ଷ ପୂର୍ବେ ରାଉରକେଲାକୁ ଚାଲିଆସିଥିଲେ ଗୋନୁଆ। ବୟସ ପାଖାପାଖି ୬୫/୭୦ ହେବ। ସେବେଠାରୁ ଆଜିପର୍ଯ୍ୟନ୍ତ, ବୋତଲ, କାଗଜଠୁଙ୍ଗା, ପ୍ଲାଷ୍ଟିକ୍, ଲୁହା ସାମଗ୍ରୀ ଆଦି ବର୍ଜ୍ୟ ସଂଗ୍ରହ କରୁଛନ୍ତି। ତାକୁ ବିକ୍ରି କରି ଯାହା ମିଳୁଛି, ସେଥିରେ କଷ୍ଟେମଷ୍ଟେ କାଳାତିପାତ କରୁଛନ୍ତି। କେବଳ ଗୋନୁଆ ନୁହେଁ; ବରଂ ଏକାଧିକ ବେସାହାରାଙ୍କ ଜୀବିନିଜୀବିକା ପାଲଟିଛି ଏହି ବର୍ଜ୍ୟ। ଓଡ଼ିଶାର ଅନ୍ୟତମ ଅର୍ଥନୈତିକ ପେଣ୍ଠସ୍ଥଳୀ ସ୍ମାର୍ଟସିଟି ରାଉରକେଲାରେ ଏଭଳି ନିରାଶ୍ରୟଙ୍କ ସଂଖ୍ୟା ଢେର୍ ଅଧିକ।
ସହରର ଗୋଟିଏପଟେ ଆଭିଜାତ୍ୟର ପ୍ରଦର୍ଶନ ଚାଲିଥିବା ବେଳେ ଅନ୍ୟପଟେ ଶତାଧିକ ନିରାଶ୍ରୟ ମୁଣ୍ଡ ଗୁଞ୍ଜିବାକୁ ଚାଳିଆଟିଏ ନପାଇ ଖୋଲା ଆକାଶ ତଳେ ରାତି କାଟୁଛନ୍ତି। ଏମାନେ ହେଉଛନ୍ତି ସହରର ଅଲିଖିତ ବାସିନ୍ଦା। ଯେତେବେଳେ ସାରା ସହର ଗଭୀର ନିଦ୍ରାରେ ଶୋଇଥାଏ, ସେତେବେଳେ ଭୋର୍ ପ୍ରାୟ ୩/୪ ଟାରୁ ଏମାନଙ୍କ ସଂଘର୍ଷ ଆରମ୍ଭ ହୋଇଯାଏ। କାକର ଓ ଅନ୍ଧାରକୁ ଆଡ଼େଇ ହାତରେ ଏକ ବଡ଼ ବସ୍ତା ଧରି ସେମାନେ ବାହାରି ପଡ଼ନ୍ତି ରାସ୍ତାଘାଟ ଓ ଅଳିଆ ଗଦାକୁ।
ଦିନସାରା ବୁଲି ବୁଲି ପ୍ଲାଷ୍ଟିକ ବୋତଲ, କାଗଜ କାର୍ଟୁନ, ଅବ୍ୟବହୃତ ଲୁହା ସାମଗ୍ରୀ ଆଦି ସଂଗ୍ରହ କରିବା ସେମାନଙ୍କର ଦୈନନ୍ଦିନ ଜୀବିକା। ଏତେ କଠିନ ପରିଶ୍ରମ ପରେ ମିଳୁଥିବା ସେହି ସାମଗ୍ରୀକୁ ସେମାନେ ସ୍ଥାନୀୟ ବ୍ୟବସାୟୀଙ୍କୁ ଅତି ନଗଣ୍ୟ ମୂଲ୍ୟରେ ବିକ୍ରି କରନ୍ତି, ଯାହାକି ଦୁଇ ଓଳି ଖାଇବାକୁ ମଧ୍ୟ ପର୍ଯ୍ୟାପ୍ତ ନୁହେଁ। ଏହି ଅସହାୟ ଲୋକମାନଙ୍କର ଜୀବନଯାପନ ପ୍ରଣାଳୀ ଅତି ଦୟନୀୟ ଓ ହୃଦୟବିଦାରକ। ଫୁଟପାଥ୍, ରାସ୍ତାକଡ଼ ହିଁ ସେମାନଙ୍କ ପାଇଁ ଶୋଇବା ଘର ଓ ରୋଷେଇ ଶାଳ। ଏମିତିକି କିଛି ବେସାହାରା ଡିଭାଇଡର ମଝିରେ ଥିବା ଖୋଲାସ୍ଥାନରେ ରାତ୍ରୀଯାପନ କରୁଛନ୍ତି।
ବିଶେଷକରି ନୂଆ ବସଷ୍ଟାଣ୍ଡ୍ ନିକଟସ୍ଥ ରାସ୍ତାର ଡିଭାଇଡର୍ରେ ଏଭଳି ଦୃଶ୍ୟ ନିତିଦିନିଆ ଦେଖିବାକୁ ମିଳିଥାଏ। ଇଟା ଖଣ୍ଡେ କିମ୍ବା ପଥର ସାହାଯ୍ୟରେ ଚୁଲି ତିଆରି ଆହାର ପ୍ରସ୍ତୁତ କରୁଛନ୍ତି। ବର୍ଷା, ଶୀତ କିମ୍ବା ଗ୍ରୀଷ୍ମ, ସବୁ ଋତୁରେ ସେମାନଙ୍କୁ ପ୍ରକୃତିର ପ୍ରକୋପ ସହିବାକୁ ପଡ଼େ। ସ୍ମାର୍ଟସିଟିର ଏଭଳି ଦୃଶ୍ୟ, ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ରାଉରକେଲାର ଅର୍ଥନୈତିକ ସମୃଦ୍ଧି ମଧ୍ୟରେ ଏହି ମଣିଷମାନଙ୍କୁ ସାମାଜିକ ସୁରକ୍ଷା ଓ ମୌଳିକ ଅଧିକାର ଯୋଗାଇଦେବା ଆଜିର ସମୟରେ ସବୁଠାରୁ ବଡ଼ ଆବଶ୍ୟକତା ପାଲଟିଛି। ତଥାପି, କୌଣସି କାରଣରୁ ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଶୁଭଦୃଷ୍ଟି ଏମାନଙ୍କ ଉପରେ ପଡ଼ୁନି। ଅନ୍ତଃତପକ୍ଷେ, ଏମାନଙ୍କୁ ସହରରେ ଥିବା ରାତ୍ରୀ ଆଶ୍ରୟସ୍ଥଳୀରେ ରଖିବାକୁ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।