New Zealand: ‘ରୋକୋ’ଙ୍କୁ ଅଟକାଇ ପାରିବ କି ନ୍ୟୁଜିଲାଣ୍ଡ; ଦିନିକିଆ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଭାରତ
ଅକ୍ଲାଣ୍ଡ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୨ରେ ଜିତିବା ପରେ ଏବେ ଦିନିକିଆ ଉପରେ ନଜର ରଖିଛି।
୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ବୁଧବାର ଅକ୍ଲାଣ୍ଡରେ ଆରମ୍ଭ ହେବ।
ଏହି ଶୃଙ୍ଖଳାରେ ଭାରତର ଦୁଇ ତାରକା ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଙ୍କ ସହ ଅଧିନାୟକ ଶୁବମନ ଗିଲ୍ଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିବ।
Advertisment ଦିନିକିଆରୁ ଅବସର ନେବା ଚର୍ଚ୍ଚାରେ ଥିବା ରୋହିତ ଗତ ଦୁଇ ଶୃଙ୍ଖଳାରେ ଚମତ୍କାର ଖେଳି ନିନ୍ଦୁକଙ୍କୁ କଡ଼ା ଜବାବ ଦେଇଛନ୍ତି।
ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ୧୩୮ ରନ୍ର ମ୍ୟାଚ୍ ବିଜୟୀ ପାଳି ଖେଳିବା ପରେ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଶୃଙ୍ଖଳାରେ ୩୨, ୧୦୧, ୯୨ ରନ୍ କରିଥିଲେ।
ଏହି ୩ ମ୍ୟାଚ୍ରେ ୭୫ ହାରାହାରି ଓ ୧୧୫.୩୮ ଷ୍ଟ୍ରାଇକ୍ରେଟ୍ରେ ୨୨୫ ରନ୍ କରି ନିଜ ଫର୍ମର ପ୍ରମାଣ ଦେଇଥିଲେ।
କୋହଲି ବି ଦିନିକିଆରେ ଭଲ ଫର୍ମରେ ଅଛନ୍ତି।
ସେ ଗତ ୫ ପାଳିରେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ତାଙ୍କ ପ୍ରଦର୍ଶନ ଭଲ ରହିଛି।
ସେ ଏହି ଦଳ ବିପକ୍ଷରେ ୩୬ ମ୍ୟାଚ୍ ଖେଳି ୭ ଶତକ ଓ ୧୦ ଅର୍ଦ୍ଧଶତକ ସହ ୫୭.୪୮ ହାରରେ ୧୮୯୭ ରନ୍ କରିଛନ୍ତି।
ନ୍ୟୁଜିଲାଣ୍ଡ ମାଟିରେ କୋହଲି ଗୋଟିଏ ଶତକ ଓ ୪ ଅର୍ଦ୍ଧାତକ ସହାୟତାରେ ୧୩ ମ୍ୟାଚ୍ରୁ ୪୯.୬୬ ହାରରେ ୫୯୬ ରନ୍ କରିଛନ୍ତି।
ଫଳରେ ଛୋଟ ବାଉଣ୍ଡରି ଓ ଅନୁକୂଳ ପିଚ୍ରେ 'ରୋକୋ' ଭାବେ ପରିଚିତ ଏହି ଦୁଇ ତାରକା ଖେଳାଳିଙ୍କୁ ଅଟକାଇବା ଘରୋଇ ବୋଲରଙ୍କ ପାଇଁ ବଡ଼ ଆହ୍ବାନ ହେବ।
ସେହିଭଳି ଅଧିନାୟକ ଗିଲ୍ ଗତ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ରେ ୧୧୦ ଓ ୨୧୩* ରନ୍ କରି ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି।
ଏମାନଙ୍କ ସହ କେଏଲ୍ ରାହୁଲ ଓ ଶ୍ରେୟସ ଆୟର ଫର୍ମରେ ଥିବାରୁ ଦଳର ବ୍ୟାଟିଂ ଶକ୍ତି ବୃଦ୍ଧି ପାଇଛି।
ଚମତ୍କାର ବ୍ୟାଟିଂ ଯୋଗୁଁ ସଫଳ ପ୍ରତ୍ୟାବର୍ତ୍ତନ ତେବେ ଭାରତ ପାଇଁ ଦ୍ରୁତ ବୋଲିଂ ବଡ଼ ଚିନ୍ତାର କାରଣ ହୋଇଛି।
ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଆହତ ଯୋଗୁଁ ଅଲ୍ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଦଳରେ ନାହାନ୍ତି।
ଫଳରେ ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜଙ୍କ ଉପରେ ବଡ଼ ଦାୟିତ୍ବ ରହିବ।
ପେସ୍ ଅଲ୍ରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କ ସହ ଦଳରେ ଥିବା ଅନଭିଜ୍ଞ ବୋଲର ଗୁରନୂର ବ୍ରାର, ଆକ୍ବିବ ନବି, ଅଂଶୁଲ କମ୍ବୋଜ ସୁଯୋଗ ପାଇଲେ ନିଜ ଚମତ୍କାରିତା ଦେଖାଇବାକୁ ଚେଷ୍ଟା କରିବେ।
ସ୍ପିନ୍ରେ କୁଲଦୀପ ଯାଦବଙ୍କ ଉପରେ ଦଳ ଭରସା କରିବ।
ସ୍ପିନ୍ ଅଲ୍ରାଉଣ୍ଡର ଅକ୍ଷର ପଟେଲ ଓ ନମନ ଧୀର ଥିଲେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ଏମାନଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ।
ଅନ୍ୟପକ୍ଷରେ ପ୍ରଥମ ୩ ଟ୍ବେଣ୍ଟି-୨୦ ହାରି ଶୃଙ୍ଖଳା ହାତଛଡ଼ା କରିଥିବା ନ୍ୟୁଜିଲାଣ୍ଡ ଶେଷ ଦୁଇ ମ୍ୟାଚ୍ରେ ଗ୍ଲେନ୍ ଫିଲିପ୍ସ, ଡାରିଲ ମିଚେଲ ଓ ମାଇକେଲ ବ୍ରେସୱେଲଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା।
ଏହି ଦୁଇ ମ୍ୟାଚ୍ ଜିତି ଟ୍ବେଣ୍ଟି-୨୦ ଶୃଙ୍ଖଳା ସମ୍ମାନର ସହ ଶେଷ କରିବା ସହ ଦିନିକିଆ ପୂର୍ବରୁ ନିଜ ମନୋବଳ ଦୃଢ଼ କରିଥିଲା।
ହେଲେ ଦଳ ପାଇଁ ଆହତ ସମସ୍ୟା ବଡ଼ ଚିନ୍ତାର କାରଣ ହୋଇଛି।
ଆଘାତ ଜନିତ ସମସ୍ୟାରୁ ଠିକ୍ ସମୟରେ ମୁକୁଳି ପାରି ନଥିବାରୁ ଦୁଇ ଗୁରୁତ୍ବପୂର୍ଣ୍ଣ ବ୍ୟାଟର୍ ମାର୍କ ଚାପମାନ୍ ଓ ରାଚିନ୍ ରବୀନ୍ଦ୍ର ବାଦ୍ ପଡ଼ିଛନ୍ତି।
ଏବେ ଏଥିରେ ଡେଭନ୍ କନୱେ ଯୋଡ଼ି ହୋଇଛନ୍ତି।
ମଙ୍ଗଳବାର କ୍ଷେତ୍ରରକ୍ଷଣ ଅଧିବେଶନ ବେଳେ ମ୍ୟାଟ୍ ହେନରିଙ୍କ ସହ ସେ ଧକ୍କା ହେବାରୁ ତାଙ୍କ ମସ୍ତିଷ୍କରେ ଆଘାତ ଲାଗିଛି।
ଫଳରେ ପ୍ରଥମ ଦିନିକିଆରେ କନୱେ ଖେଳି ପାରିବେନି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।
ତାଙ୍କ ସ୍ଥାନରେ ଟିମ୍ ସେଫର୍ଟଙ୍କୁ ସାମିଲ କରାଯାଇଛି।
ଭାରତ (ସମ୍ଭାବ୍ୟ ୧୧): ଶୁବମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ (ୱିକେଟ୍ରକ୍ଷକ), ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଗୁରନୂର ବ୍ରାର, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ।
ନ୍ୟୁଜିଲାଣ୍ଡ (ସମ୍ଭାବ୍ୟ ୧୧): ହେନରି ନିକୋଲାସ, ଟିମ୍ ସେଫର୍ଟ, ୱିଲ ୟଙ୍ଗ, ଡାରିଲ ମିଚେଲ, ଟମ ଲାଥମ (ୱିକେଟ୍କିପର), ମାଇକେଲ ବ୍ରେସୱେଲ, ମିଚେଲ ସାଣ୍ଟନର (ଅଧିନାୟକ), ନାଥନ ସ୍ମିଥ, କାଇଲ ଜାମିସନ, ମ୍ୟାଟ୍ ହେନରି, ଜାକବ ଡଫି।
ପ୍ରଥମ ୪ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ ହେବନି: ଗିଲ୍ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଶ୍ଚିତ କରିଛନ୍ତି ଯେ ପ୍ରଥମ ୪ ବ୍ୟାଟିଂ ଅର୍ଡରରେ କୌଣସି ପରିବର୍ତ୍ତନ ହେବନି।
ପୂର୍ବ ପରି ୪ ଡାହାଣହାତୀ ବ୍ୟାଟର୍ ଗିଲ୍, ରୋହିତ ଶର୍ମା, ବିରାଟ କୋହଲି ଓ ଶ୍ରେୟସ ଆୟର ପ୍ରଥମ ୪ରେ ଖେଳିବେ।
ଏହାପରେ ସ୍ଥିତି ଦେଖି ୫ ଓ ୬ ନମ୍ବରରେ ଡାହାଣହାତୀ କେଏଲ୍ ରାହୁଲ ଓ ବାମହାତୀ ବ୍ୟାଟର୍ଙ୍କୁ ଛଡ଼ାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।