ଅକ୍ଟୋବର ୨ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଉଡ଼ିବ ବିମାନ, ସପ୍ତାହକୁ ଦୁଇଥର…

Sep 10, 2026 - 22:59
ଅକ୍ଟୋବର ୨ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଉଡ଼ିବ ବିମାନ, ସପ୍ତାହକୁ ଦୁଇଥର…

ଭୁବନେଶ୍ୱର,୧୦ା୯(ବନ୍ଦନା ସେଠୀ) – ଭୁବନେଶ୍ୱରରୁ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ପୁଣି ଆରମ୍ଭ ହେବ। ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବ୍ୟାଙ୍କକ୍‌ ରୁଟ୍‌ରେ ବିମାନ ଉଡ଼ିବ। ସପ୍ତାହକୁ ଦୁଇଥର ଏହି ବିମାନ ସେବା ଉପଲବ୍ଧ ହେବ। ଫଳରେ ଓଡ଼ିଶାରୁ ଥାଇଲାଣ୍ଡ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁବିଧାଜନକ ହେବ। ବ୍ୟାଙ୍କକ୍‌ ବିମାନ ସେବା ପୁନଃ ଆରମ୍ଭ ହେବା ଦ୍ୱାରା ଓଡ଼ିଶାର ପର୍ଯ୍ୟଟକ, ବ୍ୟବସାୟୀ ଓ ବିଦେଶ ଯାତ୍ରୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି।

ଏନେଇ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ବ୍ୟାଙ୍କକ୍‌ ଏକ ଟୁରିଷ୍ଟ ଜାଗା ଏବଂ ମୌସୁମୀ ଋତୁ ସାଧାରଣତଃ ଅଫ୍‌ ସିଜିନ୍‌ ହୋଇଥାଏ। ତେଣୁ ଏହି କାରଣ ଏବଂ ଅନ୍ୟକିଛି କାରଣ ପାଇଁ ଗତ ଜୁଲାଇରୁ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ଯୋଗାଯୋଗ ଅସ୍ଥାୟୀ ଭାବେ ବନ୍ଦ ରହିଥିଲା। ଏବେ ପୁଣି ଏହି ରୁଟ୍‌ରେ ବିମାନ ସେବା ଆରମ୍ଭ ହେବ। ବିଶେଷକରି ଭୁବନେଶ୍ୱରରୁ ଦକ୍ଷିଣ-ପୂର୍ବ ଏସିଆ ସହ ଆକାଶପଥରେ ଯୋଗାଯୋଗକୁ ଏହି ସେବା ଆହୁରି ସୁଦୃଢ଼ କରିବ ବୋଲି ସେ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।