ଅନ୍ତର୍ଜାତୀୟ ଭାରୋତ୍ତୋଳନରେ ଗୁଡ଼ାରି ପୁଅ ବୀରେନ୍ଦ୍ର ଶବର ଜିତିଲେ ୨ ସ୍ବର୍ଣ୍ଣ ପଦକ

Nov 01, 2026 - 22:44
ଅନ୍ତର୍ଜାତୀୟ ଭାରୋତ୍ତୋଳନରେ ଗୁଡ଼ାରି ପୁଅ ବୀରେନ୍ଦ୍ର ଶବର ଜିତିଲେ ୨ ସ୍ବର୍ଣ୍ଣ ପଦକ

ଗୁଡ଼ାରି,୧ା୧୧(ପ୍ରମୋଦ କୁମାର ପତି): ହରିଆଣାର ଫରିଦାବାଦରେ ଆୟୋଜିତ ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗୁଡ଼ାରି ପୁଅ ବୀରେନ୍ଦ୍ର ଶବର (୩୨) ଜିତିଛନ୍ତି ୨ ସ୍ବର୍ଣ୍ଣ ପଦକ। ୯୩ କାଟାଗୋରି ସିନିଅର ବର୍ଗରେ ବୀରେନ୍ଦ୍ର ପାଓ୍ବାର ଲିଫ୍ଟଙ୍ଗ ଗେମ୍‌ରେ ୨୫୦ କିଲୋଗ୍ରାମ ଡେଡ୍‌ ଲିଫ୍ଟ ଏବଂ ୧୭୦ କିଲୋଗ୍ରାମ ବେଞ୍ଚପ୍ରେସରେ ସ୍ବର୍ଣ୍ଣ ପଦକ ହାସଲ କରି ଗୁଡ଼ାରି ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଗତ ୩୦ ଏବଂ ୩୧ ତାରିଖ ଦୁଇ ଦିନ ଧରି ଏହି ପ୍ରତିଯୋଗିତା ଚାଲିଥିଲା। ଏହି ପ୍ରତିଯୋଗିତାରେ ଶ୍ରୀଲଙ୍କା, ଭୁଟାନ, ସାଉଥ କୋରିଆ ଏବଂ ନେପାଳରୁ ଖେଳାଳିମାନେ ଭାଗ ନେଇଥିଲେ। କିନ୍ତୁ ସମସ୍ତଙ୍କୁ ପଛରେ ଛାଡ଼ି ବୀରେନ୍ଦ୍ର ଏହି ସଫଳତା ହାସଲ କରିଛନ୍ତି।

ପୂର୍ବରୁ ସେ ଭାରୋତ୍ତୋଳନ ପ୍ରତିଯୋଗିତାରେ ଦିଲ୍ଲୀ, କୋଲକାତା ଏବଂ ହରିଆଣାର ୨ ଥର ଲେଖାଏ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଗୁଡ଼ାରି ବ୍ଲକ ଅନ୍ତର୍ଗତ କଦମା ଗ୍ରାମର ମା’ ବାପା ଛେଉଣ୍ଡ ଗରିବ ଆଦିବାସୀ ଯୁବକ ବୀରେନ୍ଦ୍ରଙ୍କ ସଂଘର୍ଷ କାହାଣୀ ଅବର୍ଣ୍ଣନୀୟ। ମା’ ଙ୍କ ଗର୍ଭରେ ଥିବା ବେଳେ ନିଜ ବାପାଙ୍କୁ ହରାଇଥିବା ବେଳେ ଗତ ୨୦୧୪ରେ ମା’ ମଧ୍ୟ ଆରପାରିକୁ ଚାଲିଯାଇଛନ୍ତି। ବର୍ତ୍ତମାନ ସେ ରାୟଗଡ଼ା ସହରର ଏକ ଜିମ୍‌ ସେଣ୍ଟରରେ ତାଲିମ ପ୍ରଦାନ କରୁଛନ୍ତି। ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିବାରୁ ସେ ଆବଶ୍ୟକ କ୍ରୀଡ଼ା ସାମଗ୍ରୀ ଏପରିକି କ୍ରୀଡ଼ା ପୋଷାକ ମଧ୍ୟ କ୍ରୟ କରିପାରୁ ନ ଥିବା ପ୍ରକାଶ କରିଛନ୍ତି। ନିଜସ୍ବ ଚେଷ୍ଟାରେ ସେ ଏତେ ଦୂର ଯାଇଛନ୍ତି। ସରକାର କିମ୍ବା କୌଣସି ସଂସ୍ଥା କିମ୍ବା କୌଣସି ବୈଦାନ୍ୟ ବ୍ୟକ୍ତି ଯଦି ବୀରେନ୍ଦ୍ରଙ୍କୁ ସହଯୋଗର ହାତ ବଢ଼ାନ୍ତି ତେବେ ସେ ଏସିଆନ ଗେମ୍‌ରେ ନିଶ୍ଚିତ ଖେଳିବାର ସୁଯୋଗ ପାଇବି ବୋଲି କହିଛନ୍ତି। ଏହି ଖବର ଶୁଣିବା ପରେ ବିଡିଓ ଶୁଚିସ୍ମିତା ବେହେରା, ତହସିଲଦାର ଏ. ସ୍ନେହଲତା ଏବଂ ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଗ ବୀରେନ୍ଦ୍ରଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।