ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍ ଭାବେ କଲେ…
ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ ବୈଭବଙ୍କୁ ‘TIME 100 Next 2026’ ତାଲିକାରେ ସ୍ଥାନ ମିଳିଛି। ଭବିଷ୍ୟତରେ ବିଶ୍ୱସ୍ତରରେ ପ୍ରଭାବ ପକାଇପାରୁଥିବା ଉଦୀୟମାନ ବ୍ୟକ୍ତିତ୍ୱଙ୍କୁ ଚିହ୍ନଟ କରୁଥିବା ଏହି ତାଲିକାରେ ବୈଭବ ସବୁଠୁ କମ ବୟସ୍କ ବ୍ୟକ୍ତି ବୋଲି ଦାବି କରାଯାଇଛି।
ଟାଇମ ମ୍ୟାଗାଜିନ ବୈଭବଙ୍କୁ ‘Phenoms’ ବର୍ଗରେ ସାମିଲ କରିଛି। ଏହା ସହିତ ତାଙ୍କ ନାଁ ଏବେ ବିଶ୍ୱର ଉଦୀୟମାନ ପ୍ରତିଭାମାନଙ୍କ ତାଲିକାରେ ସ୍ଥାନ ପାଇଛି। TIME 100 Next 2026ରେ ବୈଭବଙ୍କ ବ୍ୟତୀତ ଖେଳ ଜଗତର ଆଉ ୬ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି। ସେମାନଙ୍କ ମଧ୍ୟରେ ଆମେରିକୀୟ ଫୁଟବଲ କ୍ୱାର୍ଟରବ୍ୟାକ ଆର୍ଚ ମ୍ୟାନିଂ, NBA ଷ୍ଟାର୍ ଟାଇରିସ ମ୍ୟାକ୍ସି, ମହିଳା ଫୁଟବଲର୍ ନାଓମି ଗିର୍ମା, ଷ୍ଟ୍ରାଇକର୍ ଫୋଲାରିନ ବାଲୋଗୁନ, ଟେନିସ ଖେଳାଳି ଆଲେକ୍ସାଣ୍ଡ୍ରା ଏଲା ଏବଂ ବାସ୍କେଟବଲ ଷ୍ଟାର୍ ଅଲିଭିଆ ମାଇଲ୍ସ ରହିଛନ୍ତି।
ବୈଭବ ସୂର୍ଯ୍ୟବଂଶୀଙ୍କ କ୍ରିକେଟ ଯାତ୍ରା ଏକ ରୋମାଞ୍ଚକର କାହାଣୀଠାରୁ କମ ନୁହେଁ। ୨୦୨୪ IPL ନିଲାମରେ ସେ ମାତ୍ର ୧୩ ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସ ଦଳରେ ସାମିଲ ହୋଇ ଇତିହାସ ରଚିଥିଲେ। ସେତେବେଳେ ସେ IPL ନିଲାମ ଇତିହାସର ସବୁଠୁ କମ ବୟସ୍କ ଖେଳାଳି ହୋଇଥିଲେ।
ଏହାର ପରବର୍ତ୍ତୀ ବର୍ଷ ବୈଭବ IPLରେ ପଦାର୍ପଣ କରିଥିଲେ। ଏହାପରେ ପୁରୁଷ T20 କ୍ରିକେଟ ଇତିହାସରେ ସବୁଠୁ କମ ବୟସରେ ଶତକ ହାସଲ କରି ଆଉ ଏକ ବଡ଼ ରେକର୍ଡ ନିଜ ନାଁରେ କରିଥିଲେ। ବୈଭବଙ୍କ ନାଁରେ ଆଉ ଏକ ବିଶେଷ ରେକର୍ଡ ରହିଛି। ସେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସବୁଠୁ କମ ବୟସ୍କ ଖେଳାଳି ହୋଇଛନ୍ତି। ଏହି ଉପଲବ୍ଧି ହାସଲ କରିବା ସମୟରେ ସେ କିମ୍ବଦନ୍ତୀ ବ୍ୟାଟର୍ ସଚିନ ତେନ୍ଦୁଲକରଙ୍କ ପୂର୍ବ ରେକର୍ଡକୁ ଅତିକ୍ରମ କରିଥିବା ଦାବି କରାଯାଇଛି। ବର୍ତ୍ତମାନ ବୈଭବ ଭାରତୀୟ ଦଳ ପାଇଁ ମଧ୍ୟ ପ୍ରଦର୍ଶନ କରୁଛନ୍ତି। ଏଥିସହ ଚଳିତ ଏସିଆନ ଗେମ୍ସରେ ମଧ୍ୟ ସେ ଭାରତୀୟ ଦଳର ସବୁଠୁ କମ ବୟସ୍କ ସଦସ୍ୟ ବୋଲି କୁହାଯାଉଛି।
ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ମଇଦାନରୁ ଆରମ୍ଭ କରି ଏବେ ବିଶ୍ୱର ପ୍ରତିଷ୍ଠିତ ଟାଇମ ମ୍ୟାଗାଜିନ୍ର TIME 100 Next ତାଲିକାରେ ସ୍ଥାନ ପାଇବା ବୈଭବଙ୍କ ବଢ଼ୁଥିବା ପରିଚୟର ଆଉ ଏକ ଉଦାହରଣ ହୋଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।