ଆଜି ଛାତ୍ର ସଂସଦ ନିର୍ବାଚନ: ୩୫୯ ଉଚ୍ଚ ଶିକ୍ଷାନୁଷ୍ଠାନର ୬,୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

Oct 15, 2026 - 09:12
ଆଜି ଛାତ୍ର ସଂସଦ ନିର୍ବାଚନ: ୩୫୯ ଉଚ୍ଚ ଶିକ୍ଷାନୁଷ୍ଠାନର ୬,୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର,୧୫ା୧୦(ସୁଚିସ୍ମିତା ସାହୁ): ଦୀର୍ଘ ୯ ବର୍ଷ ପରେ ଗୁରୁବାର ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଛାତ୍ରୀଛାତ୍ରମାନେ ନିଜ ପ୍ରତିନିଧି ବା ଛାତ୍ର ନେତାଙ୍କୁ ବାଛିବେ। ଏହା ପୂର୍ବରୁ ବୁଧବାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ‘ହ୍ବାଏ ଆଇ ଷ୍ଟାଣ୍ଡ୍‌ ଫର୍‌’ ବୈଠକ ଶେଷ ହୋଇଛି। ପ୍ରାର୍ଥୀମାନେ ଛାତ୍ରୀଛାତ୍ରଙ୍କ ସମ୍ମୁଖରେ ନିଜ ଆଭିମୁଖ୍ୟ, ଯୋଜନା ଓ ପ୍ରତିଶ୍ରୁତି ଉପସ୍ଥାପନ କରିଛନ୍ତି। ଭୋଟରଙ୍କ ସମର୍ଥନ ହାସଲ ପାଇଁ ପ୍ରାର୍ଥୀମାନେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଉଦ୍ୟମ କରିଛନ୍ତି। ଏହା ଭିତରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ହିଂସାକାଣ୍ଡ ଘଟିଛି। ତେବେ ଶୃଙ୍ଖଳିତ ନିର୍ବାଚନ ପାଇଁ ସବୁ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୧୫ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତଦାନ ହେବ। ଏହାପରେ ଭୋଟ ଗଣତି କରାଯାଇ ଫଳ ଘୋଷଣା କରାଯିବ। ୧୬ ତାରିଖ ସକାଳ ୧୧ଟାରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।
ଉଚ୍ଚଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ, ରାଜ୍ୟର ୩୫୯ଟି ଉଚ୍ଚ ଶିକ୍ଷାନୁଷ୍ଠାନର ମୋଟ ୬,୮୯୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଛାତ୍ରୀଛାତ୍ର। ୩୪୬ଟି ମହାବିଦ୍ୟାଳୟରୁ ୬,୫୩୩ଜଣ ଏବଂ ୧୩ଟି ବିଶ୍ୱବିଦ୍ୟାଳୟରୁ ୩୫୮ଜଣ ପ୍ରାର୍ଥୀ ରହିଛନ୍ତି। ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପ୍ରମୁଖ ପଦବୀ ପାଇଁ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବ। ସଭାପତି ପଦ ପାଇଁ ସର୍ବାଧିକ ୮୬୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଏମାନଙ୍କ ମଧ୍ୟରୁ ୮୨୮ ଜଣ ସଭାପତି ପ୍ରାର୍ଥୀ ମହାବିଦ୍ୟାଳୟର ହୋଇଥିବାବେଳେ ୩୮ଜଣ ବିଶ୍ୱବିଦ୍ୟାଳୟର ରହିଛନ୍ତି। ସେହିପରି ଉପସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୭୧୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬୭୯ଜଣ ମହାବିଦ୍ୟାଳୟ ଓ ୩୭ଜଣ ବିଶ୍ୱବିଦ୍ୟାଳୟର ରହିଛନ୍ତି। ଅନ୍ୟପଟେ ସାଧାରଣ ସମ୍ପାଦକ ପଦ ପାଇଁ ମୋଟ ୬୧୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଏମାନଙ୍କ ମଧ୍ୟରେ ୫୯୩ଜଣ ମହାବିଦ୍ୟାଳୟର ଓ ୨୩ ଜଣ ବିଶ୍ୱବିଦ୍ୟାଳୟର ପ୍ରାର୍ଥୀ ରହିଛନ୍ତି।
ସୂଚନାଯୋଗ୍ୟ, ଛାତ୍ର ସଂସଦ ନିର୍ବାଚନ ପାଇଁ ୩୫୯ଟି ଶିକ୍ଷାନୁଷ୍ଠାନରୁ ମୋଟ ୮୭୮୫ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ସେଥିରୁ ୧୨୧୬ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିବାବେଳେ ୪୪୩ଜଣ ନାମାଙ୍କନ ପ୍ରତ୍ୟାହାର କରିଥିଲେ। ଫଳରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ୬୮୯୧ ଜଣ ପ୍ରାର୍ଥୀ ରହିଛନ୍ତି। ମତଦାନ ସମୟ ପାଖେଇ ଆସୁଥିବାବେଳେ ଛାତ୍ରୀଛାତ୍ର ଓ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ବଢ଼ି ଚାଲିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।