ଆପଣଙ୍କ ବୟସ କେତେ
ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍ଲାଇଟ୍ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି ପଚାରିଲା, ଆଜ୍ଞା, କ’ଣ ଖୋଜୁଛନ୍ତି? ମୁଁ କିଛି ସାହାଯ୍ୟ କରିପାରିବି କି?ବୃଦ୍ଧ ଜଣକ କହିଲେ, ମୋ ଘର ଚାବି ହଜିଯାଇଛି, ସେଇଟାକୁ ହିଁ ଖୋଜୁଛି। ଯୁବକଟି ମଧ୍ୟ ବୃଦ୍ଧଙ୍କ ସହ ମିଶି ଲାଇଟ୍ ତଳେ ଚାବି ଖୋଜିବାରେ ଲାଗିଲା। ବହୁତ ସମୟ ଖୋଜିବା ପରେ ଚାବି ମିଳିଲା ନାହିଁ। ଶେଷରେ ଯୁବକ ପଚାରିଲା, ଆପଣଙ୍କର ମନେ ଅଛି, ଚାବିଟି ଠିକ୍ କେଉଁଠି ଖସିଥିଲା?
ବୃଦ୍ଧ ଜଣକ ନିଜ ଅନ୍ଧାରୀ ଘର ଆଡ଼କୁ ଆଙ୍ଗୁଠି ଦେଖାଇ କହିଲେ, ଚାବିଟି ତ ଘର ଭିତରେ ହିଁ ହଜାଇଛି। ଯୁବକ ଆଶ୍ଚର୍ଯ୍ୟ ହୋଇ କହିଲା, ଯଦି ଚାବି ଘର ଭିତରେ ହଜାଇଛନ୍ତି, ତେବେ ଆପଣ ବାହାରେ ଷ୍ଟ୍ରିଟ୍ଲାଇଟ୍ ତଳେ କାହିଁକି ଖୋଜୁଛନ୍ତି? ବୃଦ୍ଧ ଜଣକ ଉତ୍ତର ଦେଲେ, କାରଣ ଘର ଭିତରେ ଅନ୍ଧାର ଅଛି, ଆଉ ବାହାରେ ଆଲୁଅ ଅଛି। ଏହି କାହାଣୀରୁ କ’ଣ ଜାଣିବାକୁ ପାଇଲେ ବୋଲି ବୁଦ୍ଧ ନିଜ ଶିଶ୍ୟମାନଙ୍କୁ ପଚାରିଲେ। ବୁଦ୍ଧଙ୍କ ପାଖରେ ବସିଥିବା ଜଣେ ଭିକ୍ଷୁ କହିଲେ, ଆମେ ସମସ୍ତେ ଜାଣନ୍ତି ମାନସିକ ଶାନ୍ତି, ଆନନ୍ଦ ଓ ଜୀବନର ଅର୍ଥ ନିଜ ଭିତରେ ଥାଏ ତଥାପି ବାହାର ଜଗତର ଚାକଚକ୍ୟ ଓ ଆଲୋକରେ ଏସବୁ ଖୋଜିବାର ଭୁଲ୍ କରିଥାଉ। ଉତ୍ତରରେ ଖୁସି ହୋଇ ବୁଦ୍ଧ ସେହି ଭିକ୍ଷୁଙ୍କୁ ପଚାରିଲେ, ଆପଣଙ୍କ ବୟସ କେତେ? ଭିକ୍ଷୁ କହିଲେ, ଆପଣ ଭଲ ଭାବରେ ଜାଣନ୍ତି, ତଥାପି ପଚାରୁଛନ୍ତି। ମୋର ବୟସ ପାଞ୍ଚ ବର୍ଷ।
ବୁଦ୍ଧ ହସି ହସି କହିଲେ- ଥଟ୍ଟା କରୁଛନ୍ତି, ସତୁରି-ପଞ୍ଚସ୍ତରିରୁ କମ୍ ହୋଇ ନ ଥିବ। ବୃଦ୍ଧ ଭିକ୍ଷୁ ଜଣକ ହସି କହିଲେ, ସତୁରି ବର୍ଷ ଜିଇଛି, କିନ୍ତୁ ସେଗୁଡ଼ିକୁ ଜୀବନର ବର୍ଷ ବୋଲି କୁହାଯାଇପାରିବ ନାହିଁ। ଗତ ପାଞ୍ଚ ବର୍ଷ ହେବ ଜୀବନକୁ ଜାଣିଛି, ତେଣୁ ପାଞ୍ଚ ବର୍ଷ ଗଣନା କରୁଛି। ସତୁରି ବର୍ଷ ତ ଶୋଇବାରେ, ନିଦରେ, ଅଚେତନତାରେ ଏବଂ ମୂର୍ଖତାରେ ବିତିଗଲା। ସେଗୁଡ଼ିକୁ ଜୀବନ ସହିତ କିପରି ଗଣନା କରିବି? ପ୍ରକୃତ ଜୀବନକୁ ଜାଣି ନ ଥିଲି, ତେଣୁ ପୂର୍ବରୁ ସେଗୁଡ଼ିକୁ ମଧ୍ୟ ଗଣି ନେଉଥିଲି। ଯେବେଠାରୁ ଏହାକୁ ଜାଣିଛି, ସେବେଠାରୁ ବୟସ ଗଣିବା ବହୁତ କଷ୍ଟକର ହୋଇପଡ଼ିଛି। ପ୍ରକୃତରେ ବୟସ ଜାଣିବାକୁ ହେଲେ ପଚାରନ୍ତୁ ଆପଣଙ୍କ ଚେତନା କେତେ ଗଭୀର? ଆପଣଙ୍କ ହୃଦୟରେ କେତେ ଶାନ୍ତି ଓ କରୁଣା ଅଛି? ଆପଣ ଜୀବନର ଅନୁଭୂତିରୁ କେତେ ଶିକ୍ଷା ଓ ଜ୍ଞାନ ଆହରଣ କରିଛନ୍ତି? ବୁଦ୍ଧ ଆପଣାର ସମସ୍ତ ଭିକ୍ଷୁଙ୍କୁ କହିଲେ, ଆଜିଠାରୁ ତୁମେ ସମସ୍ତେ ମଧ୍ୟ ଜୀବନର ଗଣନା ଏହିପରି କରିବ।
ସାଧାରଣତଃ ଆମେ ଯେତେବେଳେ କାହାକୁ ପଚାରୁଛନ୍ତି, ଆପଣଙ୍କ ବୟସ କେତେ? ଉତ୍ତରଟି ବର୍ଷ, ମାସ କିମ୍ବା ଦିନର ଗଣନାରେ ଆସିଥାଏ। ସଂସାରର ନିୟମ ଅନୁସାରେ ଆମ ଶରୀର ଜନ୍ମ ନିଏ, ବୃଦ୍ଧି ପାଏ ଏବଂ ଦିନେ କାଳର କରାଳ ଗ୍ରାସରେ ବିଲୀନ ହୋଇଯାଏ। ମାତ୍ର, ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଯଦି ଦେଖାଯାଏ, ଏହି ପ୍ରଶ୍ନର ଉତ୍ତର ଗୋଟିଏ ସଂଖ୍ୟାରେ ସୀମିତ ନୁହେଁ। ଭଗବଦ୍ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି- ଆତ୍ମାର କେବେ ଜନ୍ମ ହୁଏନାହିଁ କି ମୃତ୍ୟୁ ହୁଏନାହିଁ। ତେଣୁ ଆମର ପ୍ରକୃତ ବୟସ କେବେ ବି ବର୍ଷର ସଂଖ୍ୟାରେ ମାପିହେବ ନାହିଁ। ଜୀବନର ସାରବତ୍ତା କେତେ ବର୍ଷ ବଞ୍ଚତ୍ଲେ ସେଥିରେ ନାହିଁ ବରଂ କିପରି ବଞ୍ଚତ୍ଲେ ସେଥିରେ ଅଛି। ବୟସର ଗଣନା ଚର୍ମର କୁଞ୍ଚନ ଏବଂ ପାଚିଲା କେଶରୁ ହୁଏନାହିଁ।
ପ୍ରକୃତ ବୟସ ବୁଦ୍ଧି, ସଂସ୍କାର, କରୁଣା ଏବଂ ଚେତନାର ପରିପକ୍ୱତା ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ।
ଜଣେ ବ୍ୟକ୍ତି ୮୦ ବର୍ଷ ବଞ୍ଚତ୍ବା ପରେ ମଧ୍ୟ ଯଦି କାମ, କ୍ରୋଧ ଓ ମୋହ ମଧ୍ୟରେ ଆବଦ୍ଧ ଥାଏ, ତେବେ ସେ ଆଧ୍ୟାତ୍ମିକ ଦୃଷ୍ଟିରୁ ଶିଶୁ ସଦୃଶ। ଅନ୍ୟପଟେ, ଅଳ୍ପ ବୟସରେ ସଂସାରର ଅସାରତାକୁ ବୁଝି ପ୍ରଭୁପ୍ରେମରେ ବିଲୀନ ହୋଇଥିବା ସାଧକ (ଯେପରି ସନ୍ଥ ଜ୍ଞାନେଶ୍ୱର କିମ୍ବା ଭକ୍ତ ପ୍ରହ୍ଲାଦ) ଚେତନାର ସର୍ବୋଚ୍ଚ ଶିଖରରେ ପହଞ୍ଚତ୍ଥାନ୍ତି। ଯେଉଁ ଦିନରୁ ବ୍ୟକ୍ତି ମନରେ ମୁଁ କିଏ? ଏବଂ ଜୀବନର ଲକ୍ଷ୍ୟ କ’ଣ? ବୋଲି ପ୍ରଶ୍ନ ଉଠେ, ସେହି ଦିନରୁ ତାଙ୍କର ପ୍ରକୃତ ଜନ୍ମ ହୁଏ। ସାଧନାରେ ବିତାଇଥିବା ସମୟ ହିଁ ତାଙ୍କର ସାତ୍ୟିକ ବୟସ।
ଗୋଟିଏ ଛୋଟ ମଞ୍ଜିରୁ ଗଜା ବାହାରେ। ବୃକ୍ଷ ବଡ଼ ହୁଏ, ପତ୍ର, ଫୁଲ ଏବଂ ଫଳ ଆସେ। ସେହି ଛୋଟ ମଞ୍ଜିରୁ ଏକ ବିଶାଳକାୟ ବୃକ୍ଷ ବାହାରେ, ଯାହା ତଳେ ହଜାର ହଜାର ଲୋକ ବିଶ୍ରାମ ନେଇପାରନ୍ତି ।
ଏତେ ଛୋଟ ମଞ୍ଜି ଭିତରେ ଏତେ ବଡ଼ ବୃକ୍ଷ କିପରି ଲୁଚି ରହିପାରେ? ଏହା କଳ୍ପନା ବାହାରେ।
ଜୀବନର ସତ୍ତା ମଧ୍ୟ ମଞ୍ଜି ପରି ଭିତରେ ଥାଏ। ଆମେ ସମସ୍ତେ ଜୀବନକୁ ବାହାରେ ହିଁ ଖୋଜୁ। ବାହାରେ ଜୀବନର କେବଳ ବିସ୍ତାର ଅଛି। ମଣିଷ କେବଳ ଶ୍ୱାସକ୍ରିୟା ଏବଂ କ୍ୟାଲେଣ୍ଡରର ପୃଷ୍ଠା ଓଲଟାଇବାକୁ ଜୀବନ ବୋଲି ଧରିନିଏ। ସାମ୍ପ୍ରତିକ ଯୁଗରେ ମଣିଷ ନିଜର ସୁଖକୁ ଗାଡ଼ି, ବଙ୍ଗଳା, ପଦପଦବୀ ଓ ସାମାଜିକ ସ୍ବୀକୃତି ମଧ୍ୟରେ ଖୋଜେ। କିନ୍ତୁ ବୃକ୍ଷର ଉଦାହରଣ ଆମକୁ ଦେଖାଇଦିଏ ଯେ ସୃଷ୍ଟିର ସମସ୍ତ ମୂଳ ଶକ୍ତି ଅନ୍ତର୍ନିହିତ।
ଜୀବନର ପ୍ରକୃତ ରସ ଓ ଶାନ୍ତି ଅନ୍ତରରୁ ଉତ୍ସାରିତ ହୁଏ। ବାହ୍ୟ ପ୍ରାପ୍ତି କେବଳ ପତ୍ର ସଦୃଶ। ସେଗୁଡ଼ିକ ସୁନ୍ଦର ଦିଶିପାରନ୍ତି, ମାତ୍ର ସେଗୁଡ଼ିକ ଜୀବନର ମୂଳ ସତ୍ତା ନୁହନ୍ତି। ଯେଉଁ ଦିନ ବ୍ୟକ୍ତି ନିଜର ବାସ୍ତବ ସ୍ବରୂପକୁ ଚିହ୍ନିପାରେ, ସେହି ଦିନ ସେ କାଳଜୟୀ ହୋଇଯାଏ।
ଗୌତମ ବୁଦ୍ଧ ନିଜ ମହାନିର୍ବାଣର କିଛି ସମୟ ପୂର୍ବରୁ ପ୍ରିୟ ଶିଶ୍ୟଙ୍କୁ ଆତ୍ମଦୀପୋଭବ (ଆପଣା ଦୀପ ନିଜେ ହୁଅ) ର ଉପଦେଶ ଦେଇଥିଲେ। ଏହା ବୌଦ୍ଧ ଦର୍ଶନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଓ ପ୍ରେରଣାଦାୟୀ ବାଣୀ।
ନୟାଗଡ଼, ମୋ:୯୪୩୭୬୪୨୯୪୭
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।