ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦର ପ୍ରଭାବ: ଦାରିଙ୍ଗବାଡ଼ିରେ ରାସ୍ତା ଅବରୋଧ
ଦାରିଙ୍ଗବାଡ଼ି, ୮।୧୦ (ଅରୁଣ ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ି ସମେତ ସିମନବାଡ଼ି ଓ ବ୍ରାହ୍ମଣୀଗାଁ ଅଞ୍ଚଳରେ ବ୍ଲକ କଂଗ୍ରେସ କର୍ମୀଙ୍କ ସହ ବିଭିନ୍ନ ସହଯୋଗୀ ଦଳର କର୍ମୀମାନେ ବନ୍ଦ ପାଳନ କରିଛନ୍ତି। ସିମନବାଡ଼ିରେ ପଞ୍ଚାୟତ ସ୍ତରୀୟ କଂଗ୍ରେସ ସଭାପତି ରାମଦେଓ ପ୍ରଧାନଙ୍କ ନେତୃତ୍ୱରେ କର୍ମୀମାନେ ରାସ୍ତା ଅବରୋଧ କରି ବିକ୍ଷୋଭ କରିଥିଲେ। ସିମନବାଡ଼ିରୁ ବାଲିଗୁଡ଼ା, ରାଇକିଆ ଓ ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ସେହିପରି ଦାରିଙ୍ଗବାଡ଼ି ଚାରିଛକ ଠାରେ ବ୍ଲକ କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ସମେତ ସହଯୋଗୀ ଦଳର କର୍ମୀମାନେ ରାସ୍ତା ଉପରେ ଦଉଡ଼ି ବାନ୍ଧି ଗାଡ଼ିମୋଟର ଅଟକାଇଥିଲେ। ଏହାଫଳରେ ଗୋପାଳପୁରରାୟପୁରକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହୋଇଥିଲା। ଦାରିଙ୍ଗବାଡ଼ି ଓ ଆଖପାଖ ଅଞ୍ଚଳର ବିଦ୍ୟାଳୟଗୁଡ଼ିକରେ ପରୀକ୍ଷା ଚାଲିଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀମାନେ ସମୟରେ ବିଦ୍ୟାଳୟରେ ପହଞ୍ଚିବାରେ ଅସୁବିଧାରେ ପଡ଼ିଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମେତ ଅନ୍ୟ ବିଦ୍ୟାଳୟକୁ ପରୀକ୍ଷା ଦେବାକୁ ଆସୁଥିବା ଅନେକ ଛାତ୍ରଛାତ୍ରୀ ରାସ୍ତା ଅବରୋଧ ଯୋଗୁ ହନ୍ତସନ୍ତ ହୋଇଥିବା ଜଣାପଡ଼ିଛି।
ବନ୍ଦ ପାଳନ ଯୋଗୁ ସିମନବାଡ଼ି, ବ୍ରାହ୍ମଣୀଗାଁ ଓ ଦାରିଙ୍ଗବାଡ଼ି ଅଞ୍ଚଳରେ ଔଷଧ ଦୋକାନକୁ ଛାଡ଼ି ଅଧିକାଂଶ ଦୋକାନବଜାର ବନ୍ଦ ରହିଥିଲା। ଫଳରେ ସାଧାରଣ ଜନଜୀବନ ମଧ୍ୟ ପ୍ରଭାବିତ ହୋଇଥିଲା। ଭୁବନେଶ୍ୱରରୁ ଦାରିଙ୍ଗବାଡ଼ି ଅଭିମୁଖେ ଆସୁଥିବା ରାତ୍ରିକାଳୀନ ବସ୍ଗୁଡ଼ିକ ଭୋର ସମୟରେ କିଛି ବିଳମ୍ବରେ ପହଞ୍ଚିଥିଲା। ସେହି ସମୟରେ ବନ୍ଦ ପାଳନ ଆରମ୍ଭ ହୋଇଯାଇଥିବାରୁ ବିକ୍ଷୋଭକାରୀମାନେ ବସ୍ଗୁଡ଼ିକୁ ବସ୍ଷ୍ଟାଣ୍ଡକୁ ଯିବାକୁ ଦେଇନଥିଲେ। ଏହାକୁ ନେଇ କିଛି ସମୟ ପାଇଁ ଅଶାନ୍ତିର ପରିସ୍ଥିତି ସୃଷ୍ଟି ହୋଇଥିଲା।
ବସ୍ଗୁଡ଼ିକ ଅଟକି ରହିବା ଯୋଗୁ ଯାତ୍ରୀମାନେ ଅସୁବିଧାରେ ପଡ଼ିଥିବା ବେଳେ ବସ କର୍ମଚାରୀ ଓ ରାତିସାରା ଯାତ୍ରା କରି ଗାଡ଼ି ଚଳାଇ ଆସିଥିବା ଚାଳକମାନେ ମଧ୍ୟ ହଇରାଣ ହୋଇଥିଲେ। ଖବର ଲେଖାଯିବା ସୁଦ୍ଧା ବନ୍ଦ ପାଳନ ଶାନ୍ତିଶୃଙ୍ଖଳାର ସହ ଚାଲିଥିବା ବେଳେ କୌଣସି ପ୍ରକାର ବିଶୃଙ୍ଖଳା ହେଲେ ଦାରିଙ୍ଗବାଡ଼ି ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିଥିବା ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।