ଉଗ୍ର ହେଲାଣି ଅର୍ଣ୍ଣବ: ଭୁବନେଶ୍ୱର-ପୁରୀରେ ୧୦୦ ଛୁଇଁବ ପବନ! ଆଜି ରାତିରେ…
ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ଅର୍ଣ୍ଣବ। ଦ୍ରୁତ ଗତିରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଅତିଭୀଷଣ ବାତ୍ୟା ରୂପ ନେଇ ମାଡ଼ି ଆସୁଛି ଅର୍ଣ୍ଣବ । ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୨୨ କିମି ବେଗରେ ପଶ୍ଚିମ ଦିଗକୁ ଗତି କରୁଛି । ବିଶାଖାପାଟଣାଠୁ ୨୬୦ କିମି, କାକିନାଡ଼ାଠୁ ୩୦୦ କିମି, ଗୋପାଳପୁରଠାରୁ ୩୮୦ କିମି ଦକ୍ଷିଣରେ । କାଲି ଆନ୍ଧ୍ର ବାପଟାଲା ପାଖରେ ଲ୍ୟାଣ୍ଡଫଲ ସମ୍ଭାବନା । ସମୁଦ୍ର ଭିତରେ ଏବେ ୧୬୦ କିମି ବେଗରେ ପବନ । ଝଟକା ପବନର ବେଗ ଘଣ୍ଟା ପ୍ରତି ୧୮୦ କିମି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଲ୍ୟାଣ୍ଡଫଲ ବେଳକୁ ପବନ ସର୍ୱାଧିକ ୧୫୦ କିମି ରହିପାରେ । ସେପଟେ ଭୀଷଣ ବାତ୍ୟା ଅର୍ଣ୍ଣବକୁ ନେଇ ଏସଆରସିଙ୍କ ସୂଚନା । ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଲ୍ୟାଣ୍ଡ ଫଲ କରିବ ବାତ୍ୟା ।
ଏପଟେ ବାତ୍ୟାର ପ୍ରଭାବରେ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶା ଅଧିକ ପ୍ରଭାବିତ ହୋଇପାରେ। ଆସନ୍ତା ୨୯ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ଆଶଙ୍କା ରହିଛି। କେବଳ ଓଡ଼ିଶା ନୁହେଁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ମଧ୍ୟ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହୋଇପାରେ।
ଓଡ଼ିଶାରେ ବଢ଼ିବ ବର୍ଷା ଓ ପବନର ପ୍ରକୋପ। ଆଜି ରାତିରୁ ପବନର ବେଗ ବଢ଼ିବା ସହ କିଛି ଜିଲାରେ ଘଣ୍ଟାପ୍ରତି ୮୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନୀ ଶରତ ସାହୁ ଏନେଇ ବଡ଼ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ, ବଙ୍ଗୋପସାଗରରେ ଏବେ ଦୁଇଟି ପାଣିପାଗ ସିଷ୍ଟମ ସକ୍ରିୟ ରହିଛି। ଗୋଟିଏ ହେଉଛି ବାତ୍ୟା ଅର୍ଣ୍ଣବ ଏବଂ ଅନ୍ୟଟି ତାମିଲନାଡୁ ଉପକୂଳ ଦିଗରୁ ଆସୁଛି। ଏହି ଦୁଇଟି ସିଷ୍ଟମର ପ୍ରଭାବରେ ରାଜ୍ୟରେ ବର୍ଷା ଓ ପବନର ପ୍ରକୋପ ବଢ଼ିପାରେ। ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଆଜି ରାତିରୁ ଘଣ୍ଟାପ୍ରତି ୭୫ରୁ ୧୦୦ କିଲୋମିଟର ବେଗରେ ପବନ ବହିପାରେ। ଏହା ସହ ଏହି ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ମଧ୍ୟ ବଢ଼ିବାର ସମ୍ଭାବନା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।