ଉଚ୍ଚତା ମାତ୍ର ୪ ଫୁଟ ୭ ଇଞ୍ଚ, ୨୧୫ କିଲୋ ଭାର ଉଠାଇ ଚମତ୍କାର କଲେ ଏହି ଖେଳାଳି

Sep 24, 2026 - 11:27
ଉଚ୍ଚତା ମାତ୍ର ୪ ଫୁଟ ୭ ଇଞ୍ଚ, ୨୧୫ କିଲୋ ଭାର ଉଠାଇ ଚମତ୍କାର କଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୪।୯: ଏସିଆନ ଗେମ୍ସର ୪୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ଭାରତକୁ ରୌପ୍ୟ ପଦକ ମିଳିଛି। ଭାରତୀୟ ଷ୍ଟାର୍‌ ଭାରୋତ୍ତୋଳକ ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଥିବା ବେଳେ ଉତ୍ତର କୋରିଆର ରି ସଙ୍ଗ-ଗମ ବିଶ୍ୱ ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ରି ସଙ୍ଗ-ଗମ ମୋଟ ୨୧୫ କିଲୋଗ୍ରାମ ଭାର ଉଠାଇ ଏହି ସଫଳତା ହାସଲ କରିଛନ୍ତି। ମୀରାବାଇ ଚାନୁଙ୍କ ତୁଳନାରେ ସେ ୧୭ କିଲୋଗ୍ରାମ ଅଧିକ ଭାର ଉଠାଇଛନ୍ତି। ଏହି ପ୍ରଦର୍ଶନ ସହ ରି ସଙ୍ଗ-ଗମ ପୁଣିଥରେ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ରି ସଙ୍ଗ-ଗମ ଏସିଆନ ଗେମ୍ସରେ କ୍ରମାଗତ ତୃତୀୟ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୨୦୧୮ ଏସିଆନ ଗେମ୍ସରେ ମଧ୍ୟ ସେ ସ୍ବର୍ଣ୍ଣ ଜିତିଥିଲେ। ଏହାପରେ ହାଙ୍ଗଝୋଉ ଏସିଆନ ଗେମ୍ସରେ ବିଶ୍ୱ ରେକର୍ଡ ସହ ସ୍ବର୍ଣ୍ଣ ହାସଲ କରିଥିଲେ। ଏବେ ପୁଣି ବିଶ୍ୱ ରେକର୍ଡ ସହ ସ୍ବର୍ଣ୍ଣ ଜିତି ସେ ଏସିଆନ ଗେମ୍ସରେ ନିଜର ଦବଦବା ଜାରି ରଖିଛନ୍ତି।
ରି ସଙ୍ଗ-ଗମଙ୍କ ଶାରୀରିକ ଗଠନ ମଧ୍ୟ ଚର୍ଚ୍ଚାର ବିଷୟ। ତାଙ୍କ ଉଚ୍ଚତା ମାତ୍ର ୪ ଫୁଟ ୭ ଇଞ୍ଚ ହୋଇଥିଲେ ମଧ୍ୟ ଭାରୋତ୍ତୋଳନରେ ତାଙ୍କ ଶକ୍ତି ଓ ପ୍ରଦର୍ଶନ ଅତ୍ୟନ୍ତ ଉଲ୍ଲେଖନୀୟ। ମୀରାବାଇ ଚାନୁଙ୍କ ସହ ତାଙ୍କର ମୁକାବିଲାରେ ରି ସଙ୍ଗ-ଗମଙ୍କ ଦବଦବା ଦେଖିବାକୁ ମିଳିଛି।

ରି ସଙ୍ଗ-ଗମ କେବଳ ଏସିଆନ ଗେମ୍ସରେ ନୁହେଁ, ବିଶ୍ୱ ଚାମ୍ପିୟନଶିପ୍‌ରେ ମଧ୍ୟ ନିଜର ଦକ୍ଷତା ପ୍ରମାଣ କରିଛନ୍ତି। ୨୦୨୪ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଅନ୍ୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମଧ୍ୟ ତାଙ୍କ ନାମରେ ସ୍ବର୍ଣ୍ଣ ପଦକ ରହିଛି। ଏହି ବିଜୟ ସହ ରି ସଙ୍ଗ-ଗମ ପୁଣିଥରେ ନିଜକୁ ବିଶ୍ୱର ଶ୍ରେଷ୍ଠ ଭାରୋତ୍ତୋଳକଙ୍କ ମଧ୍ୟରେ ସାମିଲ କରିଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।