ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର
ବ୍ୟାଙ୍କକ୍,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଏଆଇର ପ୍ରଭାବ ଦେଖିବାକୁ ମିଳୁଛି। କିନ୍ତୁ ଏଆଇ ପ୍ରଭାବରେ ବିଶ୍ୱ ନିଯୁକ୍ତି କ୍ଷେତ୍ରର ୪୦ ପ୍ରତିଶତ ପ୍ରଭାବିତ ହେବାକୁ ଯାଉଛି ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ୍)ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା ସତର୍କତା ଜାରିକରି କହିଛନ୍ତି।ସେ କହିଛନ୍ତି, ଏଆଇ ଭିତ୍ତିଭୂମିରେ ପର୍ଯ୍ୟାପ୍ତ ବିନିଯୋଗ ବିଶ୍ୱସ୍ତରୀୟ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ସହ ଏହାକୁ ପ୍ରାୟ ୩%ରେ ସ୍ଥିର ରଖିଛି ା ଯାହା ଏସିଆ ପାଇଁ ଏକପ୍ରକାର ସୁଫଳ ଆଣିଦେଇଛି। କିନ୍ତୁ ଏଆଇ ପ୍ରଭାବରେ ଶ୍ରମ ବଜାର, ଟିକସ ବ୍ୟବସ୍ଥା ଏବଂ ଶିକ୍ଷା କ୍ଷେତ୍ର ବ୍ୟାପକ ଭାବେ ପ୍ରଭାବିତ ହେବ ବୋଲି କ୍ରିଷ୍ଟାଲିନା କହିଛନ୍ତି।କୃତ୍ରିମ ବୁଦ୍ଧିମତ୍ତା ଭିତ୍ତିଭୂମିରେ ବିନିଯୋଗର ଧାରା ଅନେକ କ୍ଷେତ୍ରରେ ଚାହିଦା ବୃଦ୍ଧି କରିଛି। ଯାହା ଏସୀୟ ଅର୍ଥନୀତିର ଅଭିବୃଦ୍ଧି ପାଇଁ ସହାୟକ ହେବା ସହିତ ବିକାଶଶୀଳ ଏସୀୟ ଅର୍ଥନୀତିକୁ ୦.୨ରୁ ୦.୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାର ସମ୍ଭାବନା ବଢାଇଛି। କିନ୍ତୁ ଏହା ବୈଶ୍ୱିକ ସ୍ତରରେ ନିଯୁକ୍ତି କ୍ଷେତ୍ରରେ ଅନେକ ଦିଗରେ ଅସମାନତା ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି। ବ୍ୟାଙ୍କକ୍ଠାରେ ଆଇଏମଏଫ୍ ଏବଂ ବିଶ୍ୱ ବ୍ୟାଙ୍କର ସପ୍ତାହବ୍ୟାପୀ ବୈଠକର ପ୍ରଥମ ଦିନରେ ଶତାଧିକ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରି ସେ ଏହା କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।