ଏଥର ପୋଲିସ ପାଳି, ବର୍ଦ୍ଦିରେ ରହି ସୋସିଆଲ ମିଡିଆରେ ଫଟୋ ଭିଡିଓ ପୋଷ୍ଟ କଲେ…
ଭୁବନେଶ୍ୱର,୨୦ା୯: ଏଣିକି ପୋଲିସ ପାଳି। ରାଜ୍ୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡ୍ଲାଇନ୍ ଜାରି କରାଯାଇଛି। ବର୍ଦ୍ଦିରେ ରହି ସୋସିଆଲ ମିଡିଆରେ ଫଟୋ, ଭିଡିଓ ପୋଷ୍ଟ କରିବା ମନା। ଏପରିକି ସମ୍ବେଦନଶୀଳ ସ୍ଥାନରେ ଡ୍ୟୁଟି ସମୟରେ ଫଟୋ, ଭିଡିଓ ଉତ୍ତୋଳନ କରିପାରିବେନାହିଁ।
କିଛି ଦିନ ହେବ ଦେଖାଯାଉଥିଲା ଯେ ଅନେକ ପୋଲିସ କର୍ମଚାରୀ ବର୍ଦ୍ଦି ପିନ୍ଧି ଡ୍ୟୁଟି ସମୟରେ ଫଟୋ ଓ ଭିଡିଓ ଉଠାଇ ଫେସବୁକ୍, ଇନଷ୍ଟାଗ୍ରାମ୍ କିମ୍ବା ୟୁଟ୍ୟୁବ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରୁଥିଲେ। ଏହାଦ୍ୱାରା ନିଜର ବୃତ୍ତିଗତ ନିଷ୍ଠା ଓ ସୁରକ୍ଷା ବ୍ୟବସ୍ଥା ପ୍ରଭାବିତ ହେଉଥିବା ଅଭିଯୋଗ ହେଉଥିଲା। ଏହାକୁ ରୋକିବା ପାଇଁ କମିଶନରେଟ୍ ପୋଲିସ ଏଭଳି କଡ଼ା ନିର୍ଦ୍ଦେଶନାମା ଜାରି କରିଛି।
ଲୋକ ଭବନ, ଲୋକ ସେବା ଭବନ, ଲିଙ୍ଗରାଜ ମନ୍ଦିର ଭଳି ସ୍ଥାନରେ କଟକଣା ଜାରି କରାଯାଇଛି। ହାଇକୋର୍ଟ, ଆର୍ବିଆଇ ଭଳି ଅନ୍ୟ ସମ୍ବେଦନଶୀଳ ସ୍ଥାନରେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ ପୋଲିସ ଅଧିକାରୀ।
ପୋଲିସ ବିଭାଗର ଭାବମୂର୍ତ୍ତି ଅକ୍ଷୁଣ୍ଣ ରଖିବା ସହ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ କମିଶନରେଟ୍ ପୋଲିସର ଏହି ନିଷ୍ପତ୍ତିକୁ ସାଧାରଣରେ ସ୍ୱାଗତ କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।