ଏହି ୫ ଜିଲାରେ ୨୮ ଓ ୨୯ରେ ସ୍କୁଲ୍, କଲେଜ ଛୁଟି : ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ…
ଭୁବନେଶ୍ୱର, ୨୪ା୧୦: ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ୫ଟି ଜିଲାରେ ଆସନ୍ତା ୨୮ ଓ ୨୯ ତାରିଖରେ ସ୍କୁଲ୍ ଓ କଲେଜ ବନ୍ଦ ରହିବ। ଏହି ଜିଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି। ଅନ୍ୟ ଜିଲାଗୁଡ଼ିକରେ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ସମ୍ପୃକ୍ତ ଜିଲ୍ଲାପାଳମାନେ ପରିସ୍ଥିତି ଅନୁଧ୍ୟାନ କରି ନିଷ୍ପତ୍ତି ନେବେ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଥିବା ସିଏମ୍ଓ ପକ୍ଷରୁ କୁହାଯାଇଛି।
ବାତ୍ୟାର ମୁକାବିଲା ଓ ଧନଜୀବନ ସୁରକ୍ଷା ପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ପ୍ରାୟ ୬୦ଟି ଓଡ୍ରାଫ୍ ଟିମ୍ ଓ ୧୭ଟି ଏନ୍ଡିଆର୍ଏଫ୍ ଟିମ୍ ନିୟୋଜିତ କରାଯାଇଥିବାବେଳେ ୨୨୫ଟି ଅଗ୍ନିଶମ ଟିମ୍କୁ ସଜାଗ ରଖାଯାଇଛି। ଜରୁରୀ ପରିସ୍ଥିତିରେ ଉଦ୍ଧାର, ସ୍ଥାନାନ୍ତର ଓ ରିଲିଫ୍ କାର୍ଯ୍ୟ ପାଇଁ ଏହି ଟିମ୍ଗୁଡ଼ିକ ପ୍ରସ୍ତୁତ ରହିବେ।
ପାଣିପାଗ ଆକଳନ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ତେଣୁ ଜିଲ୍ଲା ପ୍ରଶାସନଗୁଡ଼ିକୁ ସତର୍କ ରହିବା ସହ ଆବଶ୍ୟକ ପ୍ରସ୍ତୁତି କରିବାକୁ କୁହାଯାଇଛି। ଜନସାଧାରଣ ଭୟଭୀତ ନ ହୋଇ ପ୍ରଶାସନର ନିର୍ଦ୍ଦେଶ ଓ ପାଣିପାଗ ବିଭାଗର ସତର୍କ ସୂଚନା ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।