ଓଡ଼ାପଡ଼ା ତହସିଲଦାର ନିଲମ୍ବିତ: କମିଶନରଙ୍କ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ
ଢେଙ୍କାନାଳ,୧୮ା୧୦(ରତନ ନାୟାର): ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା କନିଷ୍ଠ ବ୍ୟାଚ୍ର ଅଧିକାରୀ ତଥା ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀଙ୍କୁ ନିଲମ୍ବନ କରାଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ନଂ. ୪୨୭୧୩/୧୬ା୧୦ା୨୦୨୬ରେ ତାଙ୍କୁ ନିଲମ୍ବନ କରାଯାଇଥିବା ଢେଙ୍କାନାଳ ଜିଲାପାଳଙ୍କୁ ଜଣାଯାଇଛି। ତହସିଲଦାର ମନୋଜ କୁମାର ମାଝୀଙ୍କୁ ଧାରା-ଏ, ଉପଧାରା-୧, ରୁଲ୍-୧୨ ଅଫ୍ ଓସିଏସ୍ ରୁଲ୍ସ-୧୯୬୨ ଆଧାରରେ ନିଲମ୍ବନ କରାଯାଇଛି। ନିଲମ୍ବନ ଅବଧି ସମୟରେ ତାଙ୍କୁ କଟକ ସ୍ଥିତ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ କୁହାଯାଇଛି। କମିଶନରଙ୍କ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଆଇନ ଉଲ୍ଲଂଘନ, ଛାତ୍ରୀଛାତ୍ରମାନେ ଆବେଦନ କରୁଥିବା ଜାତିଗତ ପ୍ରମାଣପତ୍ର ଠିକ୍ ଭାବରେ ଏବଂ ନିର୍ଦ୍ଧାରିତ ସମୟରେ ପ୍ରଦାନ ନ କରିବା ଏବଂ ବେଆଇନ ପଥର ଖଣିରେ ଚୋରାଚାଲାଣ ବଢିବା ଆଦି ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଅଭିଯୋଗଗୁଡିକର ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।