ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ
ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ। ସମଗ୍ର ଓଡ଼ିଶାରେ ଏହାକୁ ନେଇ ଆନନ୍ଦ ପ୍ରକାଶ ପାଇଥିଲା। ୨ ବର୍ଷ ପରେ ଏହାର ବର୍ତ୍ତମାନ ସ୍ଥିତି ଓ ଅଗ୍ରଗତିକୁ ନେଇ ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସବିଶେଷ ତଥ୍ୟ ମାଗିଥିଲେ। ରାଜ୍ୟ ସରକାରଙ୍କ ବିଭାଗୀୟ ଜନସୂଚନା ଅଧିକାରୀ ତଥା ସରକାରଙ୍କ ଉପସଚିବ ସେପ୍ଟେମ୍ୱର ୨୫ରେ ପଣ୍ଡାଙ୍କୁ ତଥ୍ୟ ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ରର ନକଲ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ରର ନକଲ ପଣ୍ଡାଙ୍କ ହସ୍ତଗତ ହୋଇଛି।
ତଥ୍ୟରୁ ଜଣାପଡିଛି ଯେ, ୨୦୨୪ ଅଗଷ୍ଟ ୨୭ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ଓ ସାର ରସାୟନ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ପତ୍ର ମାଧ୍ୟମରେ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା କରିବା ପାଇଁ ନିବେଦନ କରିଥିଲେ। ପତ୍ରରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ, ରାଜ୍ୟର ଜନସଂଖ୍ୟା ୪.୬ କୋଟି ଥିଲେ ମଧ୍ୟ ରାଜ୍ୟରେ ଏକମାତ୍ର ଏମ୍ସ ଭୁବନେଶ୍ୱରରେ ରହିଛି। ଏହି ପ୍ରମୁଖ ସ୍ୱାସ୍ଥ୍ୟ ସଂସ୍ଥାନକୁ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ କାର୍ଯ୍ୟକ୍ଷମ କରାଯାଇଥିଲା। ଏଠାରେ ଓଡ଼ିଶା ସମେତ ପଡୋଶୀ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ଲୋକମାନେ ସ୍ୱାସ୍ଥ୍ୟ ସେବା ପାଉଛନ୍ତି। ତେଣୁ ଆଉ ଏକ ଏମ୍ସର ଆବଶ୍ୟକତା ଓଡ଼ିଶାର ସମ୍ୱଲପୁରରେ ରହିଛି। ଏହାଦ୍ୱାରା ପଶ୍ଚିମ ଓଡ଼ିଶା ସମେତ ଛତିଶଗଡ଼ ଓ ଝାଡ଼ଖଣ୍ଡର ଲୋକେ ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇପାରିବେ। ୨୦୨୪ ଅକ୍ଟୋବର ୨୩ରେ କେନ୍ଦ୍ରମନ୍ତ୍ରୀ ନଡ୍ଡା ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ଉତ୍ତର ଦେଇଥିଲେ ଯେ, ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ଭୁବନେଶ୍ୱରଠାରେ ଏକ ଏମ୍ସ ନିର୍ମାଣ କରାଯାଇଛି ଏବଂ ବାଲେଶ୍ୱରଠାରେ ଏହାର ଏକ ସାଟେଲାଇଟ ସେଣ୍ଟର ମଧ୍ୟ ସ୍ଥାପନ କରାଯାଇଛି। ରାଜ୍ୟର ତିନୋଟି ମେଡିକାଲ କଲେଜ ଯଥା- ବ୍ରହ୍ମପୁର, କଟକ ଓ ବୁର୍ଲାରେ ସୁପର ସ୍ପେଶାଲିଟି ବ୍ଲକ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ପ୍ରତିଷ୍ଠା କରିବା ପାଇଁ ମଞ୍ଜୁର କରାଯାଇଛି। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଉନ୍ନତ କରିବା ପାଇଁ କାର୍ଯ୍ୟ କରାଯାଉଛି। ସମ୍ୱଲପୁରରେ ଏମ୍ସ ସ୍ଥାପନ ପାଇଁ ଓଡ଼ିଶା ସରକାର ତାଙ୍କ ଅର୍ଥ ସମ୍ୱଳ ଏବଂ ଯୋଜନା କାର୍ଯ୍ୟାନ୍ୱୟନ (ପିଆଇପି) ମଧ୍ୟରେ ଏହି ପ୍ରକଳ୍ପକୁ ଯଦି ସାମିଲ କରନ୍ତି, ତାହାହେଲେ କେନ୍ଦ୍ର ସରକାର ଏନ୍ଏଚ୍ଏମ୍ ନିୟମ ଆଧାରରେ ସହାୟତା ଯୋଗାଇ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଉଲ୍ଲେଖ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।