କନ୍ୟା ସଶକ୍ତୀକରଣର ବାର୍ତ୍ତା: ଦାରିଙ୍ଗବାଡ଼ିରେ ‘ୟୁଥ୍‌ କନ୍‌କ୍ଲେଭ୍‌’; ସହର ପରିକ୍ରମା କଲା ବିଶାଳ ଶୋଭାଯାତ୍ରା

Oct 07, 2026 - 21:29
କନ୍ୟା ସଶକ୍ତୀକରଣର ବାର୍ତ୍ତା: ଦାରିଙ୍ଗବାଡ଼ିରେ ‘ୟୁଥ୍‌ କନ୍‌କ୍ଲେଭ୍‌’; ସହର ପରିକ୍ରମା କଲା ବିଶାଳ ଶୋଭାଯାତ୍ରା

ଦାରିଙ୍ଗବାଡି, ୭।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକ୍‌ ସ୍ତରୀୟ ୟୁଥ୍‌ କନ୍‌କ୍ଲେଭ୍‌ ତଥା ‘ବେଟି ବଚାଓ, ବେଟି ପଢ଼ାଓ’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ (ICDS) କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଦାରିଙ୍ଗବାଡ଼ି ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର, ଆଇଆଇସି ସଂଗ୍ରାମ କେଶରୀ ଜେନା, ବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରତାପ ବେହେରା, ଜିଲା ସଂଯୋଜକ ଦୀପକ ସାହୁ, ‘ପ୍ରେମ’ ଅନୁଷ୍ଠାନର ସୁଧୀର ଦିଗାଲ ଏବଂ ‘ଜାଗୃତି’ ଅନୁଷ୍ଠାନର ସଦାନନ୍ଦ ସିଂ ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟର ଅଧ୍ୟାପିକା ସସ୍ମିତା ସାମନ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ସଭାରେ ବକ୍ତାମାନେ ସମାଜରେ କନ୍ୟାସନ୍ତାନର ମହତ୍ତ୍ୱ, ସେମାନଙ୍କ ଉଚ୍ଚଶିକ୍ଷା, ସାମାଜିକ ସୁରକ୍ଷା ଏବଂ ସ୍ୱାବଲମ୍ବୀ ହେବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏଥିସହ ବାଲ୍ୟବିବାହ ଓ ବାଲ୍ୟଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଗୁରୁତ୍ୱାରୋପ କରାଯାଇ ପୁଅ ଓ ଝିଅଙ୍କ ମଧ୍ୟରେ ସମାନତା ରକ୍ଷା କରିବାକୁ ଆହ୍ୱାନ ଦିଆଯାଇଥିଲା।

ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସରରୁ ଏକ ବିଶାଳ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏଥିରେ ଅତିଥିମାନଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ। ଶେଷରେ ଆୟୋଜିତ କର୍ମଶାଳାରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର କ୍ରୀଡ଼ା ଅଧ୍ୟାପକ ରଶ୍ମି ରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।