କବାଡ଼ିରେ ଭାରତକୁ ସ୍ବର୍ଣ୍ଣ: ରୋମାଞ୍ଚକର ଫାଇନାଲ ମ୍ୟାଚ୍ରେ ଇରାନକୁ ହରାଇଲା
ନାଗୋୟା,୨୬।୯:ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା କବାଡ଼ି ଦଳ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଛି। ରୋମାଞ୍ଚକର ଫାଇନାଲ ମ୍ୟାଚ୍ରେ ଭାରତ ଇରାନକୁ ୩୭-୩୪ ପଏଣ୍ଟରେ ପରାସ୍ତ କରି ଚଳିତ ଏସିଆନ ଗେମ୍ସରେ ଦେଶ ପାଇଁ ତୃତୀୟ ସ୍ବର୍ଣ୍ଣ ହାସଲ କରିଛି। ଏହା ସହ ଭାରତର ମୋଟ ପଦକ ସଂଖ୍ୟା ୨୭ରେ ପହଞ୍ଚିଛି।
ମ୍ୟାଚ୍ର ପ୍ରଥମାର୍ଦ୍ଧରେ ଭାରତୀୟ ଦଳ ଇରାନ ଉପରେ ଚାପ ସୃଷ୍ଟି କରି ୨୨-୧୬ରେ ଅଗ୍ରଣୀ ରହିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ଇରାନ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲା। ଏକ ସମୟରେ ସ୍କୋର ୨୭-୨୬ରେ ପହଞ୍ଚିଥିଲା ଏବଂ ଭାରତୀୟ ଦଳ ଅଲଆଉଟ ହୋଇଯାଇଥିଲା। ଫଳରେ ମ୍ୟାଚ୍ରେ ରୋମାଞ୍ଚ ବଢ଼ିଯାଇଥିଲା।
ଏହି ସମୟରେ ଟାଇମଆଉଟ ପରେ ଭାରତୀୟ ଦଳ ନିଜ ରଣନୀତିରେ ପରିବର୍ତ୍ତନ ଆଣିଥିଲା। ଶେଷ ୫ ମିନିଟ୍ରେ ଭାରତ ଜୋରଦାର ପ୍ରତ୍ୟାବର୍ତ୍ତନ କରି ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ଭାରତୀୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଆଗରେ ଇରାନ ଚାପରେ ପଡ଼ିଥିଲା ଏବଂ ଶେଷରେ ଭାରତ ୩୭-୩୪ରେ ବିଜୟୀ ହୋଇଥିଲା।
ଏହି ବିଜୟ ସହ ଏସିଆନ ଗେମ୍ସ ଇତିହାସରେ ଭାରତୀୟ ମହିଳା କବାଡ଼ି ଦଳ ଚତୁର୍ଥ ଥର ପାଇଁ ସୱର୍ଣ୍ଣ ପଦକ ଜିତିଛି। ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରେ ଭାରତକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଏହା ବ୍ୟତୀତ ଅନ୍ୟ ସଂସ୍କରଣରେ ଭାରତୀୟ ମହିଳା କବାଡ଼ି ଦଳ ସ୍ବର୍ଣ୍ଣ ପଦକ ଜିତିଛି। ଏସିଆନ ଗେମ୍ସରେ ଭାରତୀୟ ମହିଳା କବାଡ଼ି ଦଳର ପଦକ ଜିତିବାର ଧାରା ମଧ୍ୟ ଜାରି ରହିଛି।
ଫାଇନାଲ ପୂର୍ବରୁ ଭାରତୀୟ ଦଳର ଅଧିନାୟିକା ପୁଷ୍ପା ରାଣା ଇରାନକୁ ଏକ ଶକ୍ତିଶାଳୀ ଓ ଟକ୍କର ଦେବା ଭଳି ଦଳ ବୋଲି କହିଥିଲେ। ତେବେ ନିଜ ଦଳ ସ୍ବର୍ଣ୍ଣ ପଦକ ଜିତିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା। ଫାଇନାଲରେ ବିଜୟ ସହ ଭାରତୀୟ ଦଳ ସେହି ଆଶାକୁ ସଫଳ କରିଛି।
ଏସିଆନ ଗେମ୍ସ ୨୦୨୬ରେ ଏହା ଭାରତର ତୃତୀୟ ସ୍ବର୍ଣ୍ଣ ପଦକ। ଏହା ପୂର୍ବରୁ ଭାରତୀୟ ମହିଳା କ୍ରିକେଟ ଦଳ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଶୁଟିଂରେ କମଲଜିତ ଓ ସୁରୁଚି ସିଂହ ମିକ୍ସଡ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ହାସଲ କରିଛନ୍ତି। ଚଳିତ ଏସିଆନ ଗେମ୍ସରେ ଭାରତ ଏପର୍ଯ୍ୟନ୍ତ ମୋଟ ୨୭ଟି ପଦକ ଜିତି ପଦକ ତାଲିକାରେ ଦ୍ୱାଦଶ ସ୍ଥାନରେ ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।