କଲେଜ ବ୍ୟାଗ୍ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ
ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ କରି ୪ କେଜି ଗଞ୍ଜେଇ ଜବତ କରିଛି।
ପୋଲିସ ଟିମ୍ ସମ୍ପୃକ୍ତ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପୋଲିସର ମାରାଥନ ଜେରା ପରେ ଯୁବକ ଜଣକ ମହାରାଷ୍ଟ୍ର ପୁନେ ସହରର ଅଭିଜିତ ଶିବାଜୀ ଭଗବତ ବୋଲି ଜଣାପଡିଛି। ଯୁବକ ଜଣକ ଗଜପତି ଜିଲା ମୋହନାରୁ ଏକ ଯାତ୍ରୀବାହୀ ବସ୍ରେ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଧରି ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ଓହ୍ଲାଇଥିଲେ। ପରେ ସେ ଅନ୍ୟ ଏକ ଯାତ୍ରୀବାହୀ ବସ୍ରେ ଯିବାକୁ ଅପେକ୍ଷା କରିଥିଲେ।
ସେତିକିବେଳେ ପୋଲିସ ଟିମ୍କୁ ଦେଖି ଯୁବକ ଜଣକ ଇତଃସ୍ତତ ଦୌଡ଼ି ହଡବଡେଇ ଯାଇଥିଲେ। ସେଠାରେ ପଇଁତରା ମାରୁଥିବା କିଛି ପୋଲିସ କର୍ମଚାରୀ ସମ୍ପୃକ୍ତ ଯୁବକଙ୍କ ଚଳପ୍ରଚଳ ଦେଖି ସନ୍ଦେହ ସୃଷ୍ଟି କରିଥିଲେ। ଜଣେ ପୋଲିସ କର୍ମଚାରୀ ଯୁବକଙ୍କୁ ଡାକି ସେ ଧରିଥିବା କଲେଜ ବ୍ୟାଗ ତଲାସି କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା।
ଏନେଇ କର୍ମଚାରୀ ଜଣକ ଥାନା ଆଇଆଇସି କିଶୋର କୁମାର ସାମଲଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଆଇଆଇସିଙ୍କ ନିର୍ଦ୍ଦେଶ କ୍ରମେ ଯୁବକଙ୍କୁ ଥାନାକୁ ନେଇ ଜେରା କରିବା ପରେ ସେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସ୍ବୀକାର କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଥାନାରେ ଅଟକ ରଖାଯାଇଛି। ମଙ୍ଗଳବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ସାମଲ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।