କଳାହାଣ୍ଡିରେ ଧୁମ୍ଧାମ୍ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ
ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ ୯ଟା ୪୯ରେ ନବାନ୍ନ ଲାଗି ହୋଇଥିଲା। ପରେ ସହରର ପ୍ରତ୍ୟେକ ବର୍ଗର ଲୋକ ମହାପ୍ରଭୁଙ୍କୁ ଲାଗିଥିବା ନବାନ୍ନ ଭୋଗ ଘରକୁ ନେଇଥିଲେ। ସେହି ଭୋଗ ପୁଣି ନିଜ ଇଷ୍ଟଦେବୀଙ୍କୁ ସମର୍ପଣ କରି ପରିବାର ସଦସ୍ୟ ଏକାଠି ନୂଆଁ ଖାଇଥିଲେ।
ସେହିପରି ଗାଁର ଆରାଧ୍ୟ ଦେବତାଙ୍କଠାରେ ନବାନ୍ନ ଲାଗିବା ପରେ ତାହାକୁ ନେଇ ନିଜ ଇଷ୍ଟଦେବୀଙ୍କୁ ସମର୍ପଣ କରି ଲୋକେ ନୂଆଁ ଖାଇଥିଲେ। ଏହି ପର୍ବର ଅନନ୍ୟ ପରମ୍ପରା ହେଉଛି ପରିବାରର ସମସ୍ତ ସଦସ୍ୟ ଏକାଠି ହେବା। ଯିଏ ଯେତେ ଦୂରରେ ଥାଆନ୍ତୁ ନା କାହିଁକି ବର୍ଷକୁ ଥରେ ଏହି ପର୍ବରେ ସାମିଲ ହେବାକୁ ନିଜ ଗାଁ ବା ସହରକୁ ଆସିଥାନ୍ତି। ତେଣୁ ଏହାକୁ ଭାଇଚାରାର ପର୍ବ ବୋଲି କୁହାଯାଏ। ଜିଲାର ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଭିନ୍ନ ସମ୍ପ୍ରଦାୟର ଲୋକେ ନୂଆଁଖାଇ ପାଳନ କରିଥିଲେ।
ସକାଳେ ପ୍ରତ୍ୟେକ ଘରେ ବିଭିନ୍ନ ପ୍ରକାର ପିଠା, ଖିରି, ନୂଆଧାନର ଚୁଡ଼ା ଇଷ୍ଟ ଦେବଦେବୀଙ୍କୁ ନିକଟରେ ଲାଗି କରାଯାଇଥିଲା। ପରେ ପରିବାରର ସମସ୍ତେ ଏକାଠି ବସି ନବାନ୍ନ ଭକ୍ଷଣ କରିଥିଲେ। ବିଶେଷ କରି ଅଞ୍ଚଳର ବ୍ରାହ୍ମଣ, ପାଇକ, ମେହେର (ଭୁଲିଆ), ବଙ୍କା, କୁମ୍ଭାର, ମାଳୀ, ଦଳିତ, ଆଦିବାସୀ, ଲୋହରା, ଯାଦବ ଆଦି ସମ୍ପ୍ରଦାୟର ଲୋକେ ଏକାଠି ହୋଇ ନୂଅଁା ଖାଇଛନ୍ତି।
ଚିଚୈଗୁଡାରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ଓ ପ୍ରଗତି ଅନୁଷ୍ଠାନର ମୁଖ୍ୟ ଇଂ. ଅଜୟ ପଣ୍ଡା ମଧ୍ୟ ନୂଆଁଖାଇରେ ପରିବାର ସହ ସାମିଲ ହୋଇଥିଲେ। ନବାନ୍ନ ଭକ୍ଷଣ ପରେ ପ୍ରଥମେ ନିଜ ସମ୍ପ୍ରଦାୟର ବୟୋଜ୍ୟେଷ୍ଠଙ୍କୁ ପ୍ରଣାମକରି ଗାଁ ଦାଣ୍ଡରେ ଗ୍ରାମବାସୀଙ୍କ ସହ ଜୁହାର ଭେଟ କରି ଦିଅଁଦର୍ଶନ ପରମ୍ପରା ରହିଛି। ସେହି ଅନୁଯାୟୀ ଅପରାହ୍ନରୁ ସା ପର୍ଯ୍ୟନ୍ତ ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଅନ୍ୟପକ୍ଷେ ଅଞ୍ଚଳରେ ଆନନ୍ଦ ଓ ଉତ୍ସାହର ମାହୋଲ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।