କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗମନାଗମନ ବନ୍ଦ ଆଶଙ୍କା
ଭଞ୍ଜନଗର, ୨୪।୯ (ବାବୁଲା ପ୍ରଧାନ):ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପୁଣି ଭୂସ୍ଖଳନ ହୋଇଛି। ଏଥର ଅନ୍ଧାରୀକୋଟି ମନ୍ଦିର ନିକଟରେ ଭୂସ୍ଖଳନ ହୋଇଥିବାରୁ ଘାଟି ରାସ୍ତାରେ ଗମନାଗମନ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଉକ୍ତ ସ୍ଥାନରେ ଗତ ପ୍ରାୟ ୩ ବର୍ଷ ଧରି ରାସ୍ତା ପ୍ରଶସ୍ତୀକରଣ କାମ ଚାଲିଥିବା ବେଳେ ବାରମ୍ବାର ଭୂସ୍ଖଳନ ଯୋଗୁ ଗମନାଗମନ ବ୍ୟାହତ ହେଉଛି। ଏଥିସହ ରାସ୍ତା ନିର୍ମାଣ କରୁଥିବା ଠିକାଦାର ମଧ୍ୟ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ଭୂସ୍ଖଳନ ପରେ ଭଞ୍ଜନଗର ଭାରପ୍ରାପ୍ତ ତହସିଲଦାର ଅବିନାଶ ମାହାରଙ୍କ ସମେତ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଲଗାଣ ବର୍ଷା ଯୋଗୁ ଘାଟି ରାସ୍ତାରେ ପୁଣି ଭୂସ୍ଖଳନ ହୋଇଥିବାରୁ ବର୍ତ୍ତମାନ ଏହି ରାସ୍ତା ଦେଇ ଯାତାୟାତ କେତେ ଦିନ ବନ୍ଦ ରହିବ, ତାହା ନେଇ ଅନିଶ୍ଚିତତା ଦେଖାଦେଇଛି। ବର୍ଷା ଛାଡ଼ିବା ପରେ ଘାଟି ରାସ୍ତା ଶୀଘ୍ର ଖୋଲିବ ବୋଲି ଆଶା କରାଯାଉଥିଲେ ମଧ୍ୟ ଏବେ ପୁଣି ଭୂସ୍ଖଳନ ହେବାରୁ ଯାତାୟାତ ସ୍ବାଭାବିକ ହେବା ନେଇ ପ୍ରଶ୍ନ ଉଠିଛି। ଫଳରେ ଯାତ୍ରୀ ଓ ସ୍ଥାନୀୟ ଲୋକେ ପୁଣି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ।
ସୂଚନାଯୋଗ୍ୟ, ଠିକ ଏକ ବର୍ଷ ପୂର୍ବେ କଳିଙ୍ଗା ଘାଟିରେ ବଡ଼ ଧରଣର ଭୂସ୍ଖଳନ ହେବାରୁ ମାସ ମାସ ଧରି ଘାଟି ରାସ୍ତା ବନ୍ଦ ରହିଥିଲା। ପରେ ପ୍ରଶାସନ ପକ୍ଷରୁ ରାସ୍ତା ମରାମତି ଓ ମାଟି ହଟାଇବା କାମ କରାଯିବା ପରେ ଗମନାଗମନ ସ୍ବାଭାବିକ ହୋଇଥିଲା। ଇତିମଧ୍ୟରେ ଗତ ଦୁଇଦିନ ଧରି ଭଞ୍ଜନଗର ଅଞ୍ଚଳରେ ଲଗାଣ ବର୍ଷା ହେବାରୁ ଘାଟି ରାସ୍ତା ପୁଣି ଭୁଶୁଡ଼ି ପଡ଼ିଛି।
ପୂର୍ବରୁ ଅନ୍ଧାରୀକୋଟି ମନ୍ଦିରଠାରୁ ପ୍ରାୟ ୫୦୦ ମିଟର ଦୂରରେ ଭୂସ୍ଖଳନ ହୋଇଥିବା ବେଳେ ଏଥର ମନ୍ଦିର ନିକଟରେ ହିଁ ଭୂସ୍ଖଳନ ହୋଇଛି। ବାରମ୍ବାର ଭୂସ୍ଖଳନ ହେଉଥିବାରୁ କଳିଙ୍ଗା ଘାଟିର ସୁରକ୍ଷା ନେଇ ପ୍ରଶ୍ନ ଉଠିବା ସହ ଏହି ମାର୍ଗର ବିକଳ୍ପ ରାସ୍ତା ର୍ନିମାଣ ଏବେ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।
ପ୍ରଶାସନିକ ଅଧିକାରୀ ମାନେ ଘାଟିରେ ଡେରା ପକାଇ ରହିଛନ୍ତି। ଖବର ଲେଖା ହେବା ବେଳକୁ ସଂମ୍ପୃକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି। ଯେଉଁଭଳି କ୍ଷତି ହୋଇଛି ଗମନାଗମନ ସ୍ବାଭାବିକ ହେବାକୁ ପୁଣି ମାସ ମାସ ଲାଗିଯିବ। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଖବରପାଇ ବିଭାଗୀୟ ଅଧିକାରୀ ମାନଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହ ଉକ୍ତ ରାସ୍ତାରେ ଯେଭଳି କୌଣସି ଧନଜୀବନ କ୍ଷତି ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।