କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ
ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଗତକାଲି ଦେଶର ରାଜଧାନୀ ଦିଲ୍ଲୀର ଆକାଶବାଣୀ ଭବନ ନିକଟରେ ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ସେ ଦଳୀୟ ନେତାମାନଙ୍କ ସହ ଧାରଣାରେ ବସିଥିଲେ। ଏହି ସମୟରେ ପୋଲିସ ଦ୍ୱାରା ତାଙ୍କୁ ଅଟକ ରଖାଯିବା ଏବଂ ପରେ ମୁକ୍ତ କରାଯିବା ଘଟଣା ପରେ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲେ। ସର୍ୱସାଧାରଣ ଜୀବନରେ ବେଶ ସକ୍ରିୟ ରହୁଥିବା ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ସମ୍ପତ୍ତି ଏବଂ ତାଙ୍କ ଗୁରୁଗ୍ରାମସ୍ଥିତ କାର୍ଯ୍ୟାଳୟର ମୂଲ୍ୟକୁ ନେଇ ଲୋକଙ୍କ ମନରେ ପ୍ରାୟତଃ ଉତ୍ସୁକତା ରହିଥାଏ। ନିର୍ୱାଚନ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଥିବା ସରକାରୀ ଦସ୍ତାବିଜ ଆଧାରରେ ଆସନ୍ତୁ ବିସ୍ତୃତ ଭାବେ ଜାଣିବା ଯେ ରାହୁଲ ଗାନ୍ଧୀଙ୍କ ମୋଟ ସମ୍ପତ୍ତି କେତେ ଏବଂ ସେ କେଉଁ କେଉଁ ଉତ୍ସରୁ ରୋଜଗାର କରନ୍ତି।
୨୦୨୪ ଲୋକ ସଭା ନିର୍ୱାଚନ ସମୟରେ ଦାଖଲ କରାଯାଇଥିବା ସତ୍ୟପାଠ (affidavit) ଅନୁଯାୟୀ, ରାହୁଲ ଗାନ୍ଧୀଙ୍କ ମୋଟ ସମ୍ପତ୍ତି ୨୦.୩୯ କୋଟି ଟଙ୍କାରୁ ଅଧିକ। ସତ୍ୟପାଠରେ ସେ ସୂଚନା ଦେଇଥିଲେ ଯେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ତାଙ୍କର ମୋଟ ଆୟ ପ୍ରାୟ ୬ କୋଟି ଟଙ୍କା ଥିଲା। ଏହା ପୂର୍ୱରୁ ୨୦୧୯ ସାଧାରଣ ର୍ନିବାଚନରେ ସେ ନିଜ ସମ୍ପତ୍ତି ୧୫.୮୮ କୋଟି ଟଙ୍କା ଘୋଷଣା କରିଥିଲେ। ଏହିଭଳି ଭାବେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ତାଙ୍କର ମୋଟ ପରିସମ୍ପତ୍ତିରେ ପ୍ରାୟ ୫ କୋଟି ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି।
ସତ୍ୟପାଠରେ ଦିଆଯାଇଥିବା ବିବରଣୀ ଅନୁଯାୟୀ, ରାହୁଲ ଗାନ୍ଧୀଙ୍କ ପାଖରେ ବିଶେଷ ନଗଦ ଟଙ୍କା (କ୍ୟାଶ) ରହେ ନାହିଁ। ସତ୍ୟପାଠ ଦାଖଲ ସମୟରେ ତାଙ୍କ ପାଖରେ ମାତ୍ର ୫୫ ହଜାର ଟଙ୍କା ନଗଦ ଉପଲବ୍ଧ ଥିଲା। ଏହା ବ୍ୟତୀତ ଦିଲ୍ଲୀସ୍ଥିତ ଦୁଇଟି ଭିନ୍ନ ଭିନ୍ନ ବ୍ୟାଙ୍କ ଖାତାରେ ତାଙ୍କର ମୋଟ ୨୬.୨୫ ଲକ୍ଷ ଟଙ୍କା ଜମା ରହିଛି। ରାହୁଲ ଗାନ୍ଧୀ ନିଜର ଦୈନନ୍ଦିନ ଆବଶ୍ୟକତା ଏବଂ ବ୍ୟକ୍ତିଗତ ଖର୍ଚ୍ଚ ଏହି ଆକାଉଣ୍ଟଗୁଡ଼ିକରେ ଥିବା ଜମା ଟଙ୍କା ତଥା ନିଜର ନିୟମିତ ଆୟ ମାଧ୍ୟମରେ ପରିଚାଳନା କରନ୍ତି।
ରାହୁଲ ଗାନ୍ଧୀଙ୍କ ଚଳନ୍ତି ସମ୍ପତ୍ତିର ଏକ ବଡ଼ ଅଂଶ ସେୟାର ବଜାର ଏବଂ ଆର୍ଥିକ ନିବେଶରେ ଲଗାଯାଇଛି। ତାଙ୍କ ପାଖରେ ୟଙ୍ଗ ଇଣ୍ଡିଆନ କମ୍ପାନୀର ୧୦୦ ଟଙ୍କା ମୂଲ୍ୟର ୧,୯୦୦ ସେୟାର ଅଛି, ଯାହାର ମୋଟ ମୂଲ୍ୟ ୧.୯୦ ଲକ୍ଷ ଟଙ୍କା। ଏହା ବ୍ୟତୀତ ସେ ଦେଶର ୨୫ଟି ପ୍ରମୁଖ କମ୍ପାନୀର ସେୟାରରେ ୪.୩୩ କୋଟି ଟଙ୍କା ନିବେଶ କରିଛନ୍ତି। ସେହିପରି ୭ଟି ଭିନ୍ନ ଭିନ୍ନ ମ୍ୟୁଚୁଆଲ ଫଣ୍ଡରେ ତାଙ୍କର ୩.୮୧ କୋଟି ଟଙ୍କା ଲାଗିଛି, ଯେତେବେଳେ କି ପ୍ରାୟ ୧୫ ଲକ୍ଷ ଟଙ୍କାର ଗୋଲ୍ଡ ବଣ୍ଡରେ (Gold Bonds) ମଧ୍ୟ ତାଙ୍କର ନିବେଶ ରହିଛି।
ଆର୍ଥିକ ସୁରକ୍ଷା ପାଇଁ ରାହୁଲ ଗାନ୍ଧୀ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF) ଏବଂ ବିମା ଯୋଜନାରେ ୬୧.୫୨ ଲକ୍ଷ ଟଙ୍କା ଜମା କରି ରଖିଛନ୍ତି। ଅନ୍ୟପକ୍ଷରେ ମୂଲ୍ୟବାନ ଧାତୁ କଥା କହିଲେ, ତାଙ୍କ ପାଖରେ ପ୍ରାୟ ୪.୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଏବଂ ଅନ୍ୟାନ୍ୟ ଅଳଙ୍କାର ରହିଛି। ଏହି ସମସ୍ତ ଆର୍ଥିକ ମାଧ୍ୟମ, ନିବେଶ, ବ୍ୟାଙ୍କ ଜମା ଏବଂ ଅଳଙ୍କାରକୁ ମିଶାଇ ରାହୁଲ ଗାନ୍ଧୀଙ୍କ ମୋଟ ଚଳନ୍ତି ସମ୍ପତ୍ତିର ମୂଲ୍ୟ ୯.୨୪ କୋଟି ଟଙ୍କା ହେଉଛି।
ଅଚଳ ସମ୍ପତ୍ତି କ୍ଷେତ୍ରରେ ରାହୁଲ ଗାନ୍ଧୀଙ୍କ ପାଖରେ ପ୍ରାୟ ୧୧.୧୫ କୋଟି ଟଙ୍କାର ପରିସମ୍ପତ୍ତି ରହିଛି। ଏଥିରେ ରାଜଧାନୀ ଦିଲ୍ଲୀର ମେହରୌଲିସ୍ଥିତ ସୁଲତାନପୁର ଗ୍ରାମରେ ଥିବା ଦୁଇଟି କୃଷି ଜମି ଅନ୍ତର୍ଭୁକ୍ତ। ଏହି ଚାଷ ଜମିକୁ ସେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ମିଳିତ ଭାବେ କ୍ରୟ କରିଥିଲେ। ଏହି ଜମିରେ ଉଭୟ ଭାଇ-ଭଉଣୀଙ୍କର ଅଧା ଅଧା ଅଂଶୀଦାରୀ ରହିଛି ଏବଂ ବର୍ତ୍ତମାନର ବଜାର ଦର ଅନୁସାରେ ଏହି ସମ୍ପୂର୍ଣ୍ଣ ଜମିର ମୂଲ୍ୟ ପ୍ରାୟ ୨.୧୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି।
ରାହୁଲ ଗାନ୍ଧୀଙ୍କ ନାମରେ କୌଣସି ବ୍ୟକ୍ତିଗତ ଘର କିମ୍ୱା କାର୍ ପଞ୍ଜୀକୃତ ହୋଇନାହିଁ, କିନ୍ତୁ ତାଙ୍କ ନାମରେ ଏକ ବ୍ୟବସାୟିକ ସମ୍ପତ୍ତି (କମର୍ସିଆଲ ପ୍ରପର୍ଟି) ରହିଛି। ହରିୟାଣାର ଗୁରୁଗ୍ରାମରେ ଥିବା ଏକ ବହୁତଳ ଅଟ୍ଟାଳିକାରେ ତାଙ୍କର ୫,୫୩୮ ବର୍ଗଫୁଟର ଏକ ଅଫିସ ସ୍ପେସ ରହିଛି। ରିଅଲ ଇଷ୍ଟେଟ ବଜାରର ସଦ୍ୟତମ ତଥ୍ୟ ଏବଂ ର୍ନିବାଚନୀ ସତ୍ୟପାଠ ଅନୁସାରେ, ଏହି କାର୍ଯ୍ୟାଳୟର ବର୍ତ୍ତମାନର ମୂଲ୍ୟ ପ୍ରାୟ ୯ କୋଟି ଟଙ୍କା। ଏହି ଅଫିସ ହିଁ ତାଙ୍କ ମୋଟ ଅଚଳ ସମ୍ପତ୍ତିର ସବୁଠାରୁ ବଡ଼ ଅଂଶ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।