କୋଟିଆରୁ ଆନ୍ଧ୍ର ସମିତିସଭ୍ୟ ନିର୍ବାଚିତ
ପଟ୍ଟାଙ୍ଗି,୭ା୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନକୁ ନେଇ ୨ ରାଜ୍ୟ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଏହା ସତ୍ତ୍ୱେ ସୀମାନ୍ତବାସୀ ଆନ୍ଧ୍ର ନିର୍ବାଚନରେ ମତଦାନ ସାବ୍ୟସ୍ତ କରିଛନ୍ତି। ଏହି ନିର୍ବାଚନରେ ଆନ୍ଧ୍ର ପକ୍ଷରୁ କୋଟିଆର ଗଞ୍ଜେଇପଦର ପାଇଁ ଓଡ଼ିଶାର ଯୁବକଙ୍କୁ ସମିତିସଭ୍ୟ ପଦ ନିମନ୍ତେ ପ୍ରାର୍ଥୀ କରାଯାଇଥିଲା। ଓଡ଼ିଶାର ଗଞ୍ଜେଇପଦର ଗଁା ତଥା ଆନ୍ଧ୍ରର ଏକ ପଞ୍ଚାୟତରୁ ଉକ୍ତ ରାଜ୍ୟର ଶାସକ ଦଳ ସମର୍ଥିତ ପ୍ରାର୍ଥୀ ଭାବେ ଲଢ଼ୁଥିବା ଉପରସେମ୍ବି ଗ୍ରାମର ଚିରଞ୍ଜୀବୀ ତାଡ଼ିଙ୍ଗି ନିଜ ପ୍ରତିଦ୍ୱନ୍ଦ୍ୱୀ ନେରିଡ଼ିବାଲସା ଗ୍ରାମର କାନପୁରୀ ମାଝୀଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି।
ଆନ୍ଧ୍ରର ଓ୍ବାଇସିପି ଦଳର ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀ କାନପୁରୀ ୨୨୧ ଖଣ୍ଡ ଭୋଟ ପାଇଛନ୍ତି। ପ୍ରାର୍ଥୀ ଚିରଞ୍ଜୀବୀ ୨୨୬ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ଫଗୁଣସିନେରୀ ଆନ୍ଧ୍ରର କୋଡମା ପଞ୍ଚାୟତ ଅଧୀନରେ ରହିଛି। ସେଠାରେ ଟିଡିିପି ଦଳର ସମର୍ଥିତ କୁନେଟି ରେନ୍ଦୋ ନିର୍ବାଚିତ ହୋଇଛନ୍ତି। ଆନ୍ଧ୍ରର ତୋନାମ ପଞ୍ଚାୟତ ଅଧୀନ ଫାଟୁସିନେରୀରେ ଟିଡିପି ସମର୍ଥିତ ତାଡିଙ୍ଗି ସାମାଲାମ୍ମା ନିର୍ବାଚିତ ହୋଇଥିବା ଜଣାପଡ଼ିଛି। ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନରେ ଓଡ଼ିଶାର ଫଗୁଣସିନେରୀ, ଫାଟୁସିନେରୀ ଏବଂ ଗଞ୍ଜେଇପଦର ଗଁାରୁ ସରପଞ୍ଚ ଓ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ କରିବାକୁ ଆନ୍ଧ୍ର ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ କୋଟିଆ ପଞ୍ଚାୟତରେ ଓଡ଼ିଶାର ରାଜନୈତିକ ଦଳର କଣ ଭୂମିକା ରହିବ ସେନେଇ ଆଲୋଚନା ହେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।