କୋଟିଆରେ ଓଡ଼ିଶା ପ୍ରଶାସନର ତତ୍ପରତା, ସୀମାନ୍ତର ୩ ସ୍ଥାନରେ ପୋଲିସ ପୋଷ୍ଟ ସ୍ଥାପନ

Oct 25, 2026 - 21:16
କୋଟିଆରେ ଓଡ଼ିଶା ପ୍ରଶାସନର ତତ୍ପରତା, ସୀମାନ୍ତର ୩ ସ୍ଥାନରେ ପୋଲିସ ପୋଷ୍ଟ ସ୍ଥାପନ

ପଟ୍ଟାଙ୍ଗି,୨୫।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ତପ୍ତତରତା ଦେଖାଇଛି ଜିଲା ପ୍ରଶାସନ । ପଡୋଶୀ ଆନ୍ଧ୍ର ରାଜ୍ୟର ସମିତି ଏବଂ ଜିଲା ପରିଷଦ ସଦସ୍ୟ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୈତିକ ଦଳ ଠାରୁ ଆରମ୍ଭ କରି ପ୍ରଶାସନ କ୍ଷେତ୍ରରେ ଚିନ୍ତା ବଢାଇବା ଥିବା ସହ ତପ୍ତତରତା ଦେଖା ଦେଇଛି ।

ସୂଚନା ଅନୁସାରେ,  ରବିବାର କୋରାପୁଟ ଏଡିଏମ୍ ନରେଶ ଚନ୍ଦ୍ର ଶବର ଗସ୍ତ କରି ପଞ୍ଚାୟତର ସମସ୍ତ ସୀମାନ୍ତ ଗ୍ରାମର ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ସୁନାବେଡା ଏସଡିପିଓ ଦାଇତ୍ଵରେ ରହିଥିବା କୋରାପୁଟ ଏସଡିପିଓ ସଞ୍ଜୟ ମଣ୍ଡଳଙ୍କ ନେତୃତ୍ୱରେ ନେରିଡିବାଲସା, ତଳସମ୍ବି ଏବଂ ହରମାଣ୍ଡିଙ୍ଗି ଛକ ପ୍ରମୁଖ ତିନୋଟି ଗ୍ରାମରେ ପୋଲିସ୍ ପୋଷ୍ଟ୍ ସ୍ଥାପନ କରାଯାଇଛି । ଉକ୍ତ ପୋଷ୍ଟରେ ପୋଲିସ୍ ସେଠାରେ ସବୁବେଳେ ଜଗି ରହିବା ସହ ସୀମାନ୍ତ ଗ୍ରାମକୁ ଅନୁପ୍ରବେଶର ଗତିବିଧିକୁ ତଦାରଖ କରିବାରେ ସୁବିଧା ହୋଇ ପାରିବ ।

ସେପଟେ ପୋଲିସର ଏହିପରି ପୋଷ୍ଟ୍ ସ୍ଥାପନକୁ ନେଇ ଆନ୍ଧ୍ର ରାଜ୍ୟ ପାଇଁ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ଲୋକମାନେ ନିର୍ବାଚନ ସମୟରେ ଲୋକମାନେ କିପରି ମତଦାନ କେନ୍ଦ୍ରରେ ପହଞ୍ଚି ପାରିବେ ସେନେଇ ଯୋଜନା ଆରମ୍ଭ କରିଦେଇଛନ୍ତି । ଅନ୍ୟ ପକ୍ଷରେ ଉପରସେମ୍ବି ଗ୍ରାମର ଏକ ଚର୍ଚ୍ଚରେ ଆନ୍ଧ୍ର ରାଜ୍ୟର ପୋଲିସ୍ ସାଧା ପୋଷାକରେ ରହି ନିଜର ଡିୟୁଟି କରୁଥିବା ବେଳେ ବର୍ତ୍ତମାନ ଓଡ଼ିଶାର ଏହିପରି ତିନୋଟି ପୋଲିସ୍ ପୋଷ୍ଟ୍ ସ୍ଥାପନକୁ ନେଇ ସେମାନଙ୍କ ପାଇଁ ଚିନ୍ତା ବଢାଇ ଦେଇଛି । ଉକ୍ତ ତିନି ପୋଷ୍ଟ୍ ଉପରେ କୋଟିଆ ଆଇଆଇସି ମଧୁସୂଦନ ଭୋଇ ତତ୍ୱଭାନାରେ ପରିଚାଳିତ ହେବ । ତଳସମ୍ବିରୁ ଆନ୍ଧ୍ରର ତୋନାମ୍ ପଞ୍ଚାୟତକୁ ଯିବା ପାଇଁ ନିକଟତର ହେଉଥିବାରୁ ଉକ୍ତ ରାସ୍ତା ଦେଇ ଧୂଳଗପଦର , ଉପରସେମ୍ବି, ତଳସମ୍ବି ପରି ଅନ୍ୟ ଗ୍ରାମବାସୀ ଯିବାରେ ସୁବିଧା ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ତଳସମ୍ବି ଗ୍ରାମରେ ଗୋଟିଏ ପୋଲିସ୍ ପୋଷ୍ଟ୍ କରା ଯାଇଛି । ଅନ୍ୟଟି ହରମାଣ୍ଡିଙ୍ଗି ଛକ ଏବଂ ନେରିଡିବାଲସାରେ ପୋଲିସ୍ ପୋଷ୍ଟ୍ ସ୍ଥାପନ କରା ଯାଇଥିବା ଜଣାପଡ଼ିଛି ।

ଉକ୍ତ ପୋଲିସ୍ ପୋଷ୍ଟ୍ ସ୍ଥାପନ କରିବା ନିମନ୍ତେ ସ୍ଥାନ ଚିହ୍ନଟ ସମୟରେ ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ, କୋଟିଆ ଓଏସଡି ଅଧିକାରୀ ସୌରଭ କାନ୍ତ ଦାସ, ଯନ୍ତ୍ରୀ ପ୍ରସନ୍ନ କୁମାର ଗରଡା ଏବଂ ପିଇଓ ବଳଭଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଓଡିଶା ସରକାର ପକ୍ଷରୁ ସ୍ଥାପନ କରାଯାଇଥିବା ପୋଲିସ୍ ପୋଷ୍ଟ୍ ମାଧ୍ୟମରେ ଆମକୁ ମତଦାନ ଦେବାରୁ ଯଦି ବଞ୍ଚିତ କରାଯାଏ ତାହା ହେଲେ ଓଡ଼ିଶାର ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ଠାରୁ ସମ୍ପୂର୍ଣ୍ଣ ଦୁରେଇ ରହିବା ସହ କୈଣସି ସହଯୋଗ କରିବୁ ନାହିଁ ବୋଲି ସୀମାନ୍ତ ଗ୍ରାମବାସୀଙ୍କ ମଧ୍ୟରେ ଆରମ୍ଭ ହୋଇ ଗଲାଣି ଆଲୋଚନା ।  ଆମେ ଯେହେତୁ ଦୁଇ ରାଜ୍ୟରୁ ସରକାରୀ ସହାୟତା ପାଉଛୁ ଯେତେବେଳେ ଆମେ ଦୁଇ ରାଜ୍ୟ କୁ ନିର୍ବାଚନରେ ସହଯୋଗ କରିବା ଆମର କର୍ତ୍ତବ୍ୟ କିନ୍ତୁ ଏହିପରି ପୋଲିସ୍ ପୋଷ୍ଟ୍ ସ୍ଥାପନ କରି ଆମକୁ ବନ୍ଧି କରି ରଖିବା କେତେ ଦୂର ଠିକ୍ ହେଉଛି ବୋଲି କୋଟିଆ ର ସୀମାନ୍ତ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।