କ୍ରିକେଟ୍ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା
ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍ଡ କପ ଲିଗ-୨ ମ୍ୟାଚ୍ରେ ଆମେରିକା ୬ ଉଇକେଟ୍ରେ UAEକୁ ପରାସ୍ତ କରିଛି। UAE ପକ୍ଷରୁ ଦିଆଯାଇଥିବା ୩୩୦ ରନ୍ର ବିଶାଳ ଲକ୍ଷ୍ୟକୁ ଆମେରିକା ମାତ୍ର ୪ ଉଇକେଟ ହରାଇ ଏବଂ ୭ଟି ବଲ ବାକି ଥାଇ ହାସଲ କରିଛି।
ଏହା ସହିତ ଏହା ଆମେରିକାର ଦିନିକିଆ କ୍ରିକେଟ୍ ଇତିହାସର ସର୍ବବୃହତ ରନ ଚେଜ ହୋଇଛି। ଏହା ପୂର୍ବରୁ ଆମେରିକା କେବେ ବି ଦିନିକିଆରେ ୩୦୦ରୁ ଅଧିକ ରନ୍ର ଲକ୍ଷ୍ୟ ସଫଳତାର ସହ ହାସଲ କରି ନ ଥିଲା। ଆମେରିକାର ଏହି ଐତିହାସିକ ବିଜୟର ହିରୋ ଥିଲେ ମିଲିନ୍ଦ କୁମାର। ସେ ମାତ୍ର ୮୪ଟି ବଲ୍ରେ ଅପରାଜିତ ୧୧୬ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର ପଞ୍ଚମ ଶତକ।
ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର
ମିଲିନ୍ଦଙ୍କ ଧମାକାଦାର ବ୍ୟାଟିଂ ଯୋଗୁ ଆମେରିକା ୩୩୦ ରନ୍ର ଲକ୍ଷ୍ୟକୁ ସହଜରେ ପାର କରିଥିଲା। ତାଙ୍କ ସହ ଶୁଭମ ରଞ୍ଜାନେ ମଧ୍ୟ ଅପରାଜିତ ୫୭ ରନ କରିଥିଲେ। ଉଭୟ ପଞ୍ଚମ ଉଇକେଟ ପାଇଁ ଅପରାଜିତ ୧୬୦ ରନ୍ର ମ୍ୟାଚ ବିଜୟୀ ଭାଗିଦାରୀ କରିଥିଲେ। ମିଲିନ୍ଦ ନିଜ ଇନିଂସରେ ୫ଟି ବିଶାଳ ଛକା ମାରିଥିଲେ। ଏହା ସହିତ ସେ ଆମେରିକା ପକ୍ଷରୁ ପୁରୁଷ ଦିନିକିଆ କ୍ରିକେଟ୍ରେ ସର୍ବାଧିକ ଛକା ମାରିଥିବା ବ୍ୟାଟର ହୋଇଛନ୍ତି।
ମିଲିନ୍ଦଙ୍କ ନାମରେ ଏବେ ଦିନିକିଆରେ ମୋଟ ୩୮ଟି ଛକା ରହିଛି। ସେ ମୋନାଙ୍କ ପଟେଲଙ୍କ ୩୪ ଛକାର ରେକର୍ଡକୁ ପଛରେ ପକାଇଛନ୍ତି। ଆରୋନ ଜୋନ୍ସ ୩୨ଟି ଛକା ସହ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ୩୩୦ ରନ ଚେଜ କରିବା ଆମେରିକାର ଦିନିକିଆ କ୍ରିକେଟ୍ରେ ଇତିହାସରେ ସର୍ବବୃହତ ସଫଳ ରନ ଚେଜ। ଏହା ପୂର୍ବରୁ ଆମେରିକାର ସର୍ବାଧିକ ସଫଳ ରନ ଚେଜ ଥିଲା ୨୯୪/୭, ଯାହା ୨୦୨୪ରେ ଏହି ଡଲାସ ମଇଦାନରେ ନେପାଳ ବିପକ୍ଷରେ ହାସଲ କରିଥିଲା। ସେହିପରି ୱାଲର୍ଡ କପ ଲିଗ-୨ ଇତିହାସରେ ମଧ୍ୟ ଏହା ଦ୍ୱିତୀୟ ସର୍ବବୃହତ ସଫଳ ରନ ଚେଜ ହୋଇଛି।
UAE ବିପକ୍ଷରେ ଏହି ଦମଦାର ବିଜୟ ପରେ ଆମେରିକା ୱାଲର୍ଡ କପ ଲିଗ-୨ର ପଏଣ୍ଟ ଟେବୁଲ୍ର ଶୀର୍ଷ ସ୍ଥାନକୁ ଉଠିଛି। ଲିଗ-୨ରେ ଦଳର ଦୃଢ଼ ପ୍ରଦର୍ଶନ ଯୋଗୁ ଆମେରିକା ପୂର୍ବରୁ ହିଁ ଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର୍ ପାଇଁ ଯୋଗ୍ୟତା ହାସଲ କରିସାରିଛି। ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ରେ ସ୍ଥାନ ପାଇବା ଆମେରିକାର ଆଶା ଏହି ବିଜୟ ପରେ ଆହୁରି ମଜଭୁତ ହୋଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।